ଫୋକସ୍‌ରେ ମହିଳା ଭୋଟ୍, ରେସରେ ସବୁଠୁ ଆଗରେ ବିଜେଡି; ଜାଣନ୍ତୁ ବିଜେପି-କଂଗ୍ରେସର ସ୍ଥିତି

Published By : Prameya-News7 Bureau | April 20, 2024 IST

ଭୁବନେଶ୍ଵର: ରାଜ୍ୟରେ ମହିଳା ଭୋଟରଙ୍କ ସମର୍ଥନ ହାତେଇବାକୁ ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତିରେ ଆଗକୁ ବଢ଼ୁଛନ୍ତି । ଖାସ୍ କରି ଅଧିକରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଉଦ୍ୟମ କରିଛନ୍ତି ସବୁ ଦଳ । ତେବେ ଏହି ରେସରେ ସବୁଠୁ ଆଗରେ ରହିଛି ବିଜେଡି । ଲୋକସଭାରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବିଜେଡି ବିଧାନସଭାରେ ମଧ୍ୟ ଏପର୍ଯ୍ୟନ୍ତ ୩୦ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସେପଟେ ବିଜେପି ଏପର୍ଯ୍ୟନ୍ତ ୪ ଲୋକସଭା ସହ ୧୦ ବିଧାନସଭାରେ ମହିଳା ପ୍ରାର୍ଥୀ ଦେଇଛି । ୧୩ ବିଧାନସଭା ଆସନରେ ମହିଳା ପ୍ରାର୍ଥୀ ଦେଇଛି କଂଗ୍ରେସ । 

Also read: ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି? କାରଣ କହିଲେ ଅମିତ ଶାହ

ଚଳିତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ମହିଳା ଭୋଟର । ଏମିତିରେ ସବୁ ଦଳ ଏଥର ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ।  ୨୦୨୪ ନିର୍ବାଚନ ରଣାଙ୍ଗନରେ ଅଧିକରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରି ମହିଳା ଭୋଟ୍‌ ହାତେଇବାକୁ ରଣନୀତି କରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି ବିଜେପି ଓ କଂଗ୍ରେସ ।  ଆଉ ଏହି ରେସ୍‌ରେ ସବୁଠୁ ଆଗରେ ରହିଛି ବିଜେଡି ।  ଲୋକସଭାରେ ୩୩ % ସିଟରେ ମହିଳା ଅର୍ଥାତ ୨୧ରୁ ୭ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବିଜେଡି ବିଧାନସଭାରେ ବି ଅଧିକରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି । ଆଜି ଘୋଷଣା ହୋଇଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୪ ମହିଳା  ପ୍ରାର୍ଥୀ  । 

ଏବେ ସୁଦ୍ଧା ବିଜେଡି ୧୩୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥି ମଧ୍ୟରେ ରହିଛନ୍ତି   ୩୨ ମହିଳା ପ୍ରାର୍ଥୀ ।  ଯାହା ପାଖା ପାଖି ୨୪ ପ୍ରତିଶତ । ବାକିଥିବା ୧୨ ସିଟରେ ମଧ୍ୟ ଆଉ କିଛି ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି ଦଳ । ଏମିତିରେ ବିଜେଡି ନିଜର ମହିଳା ସଂରକ୍ଷଣ କାର୍ଡ଼କୁ ଯେନତେନ ପ୍ରକାରେ ପୂରଣ କରିବାକୁ ପ୍ରୟାସ କରୁଛି । ସଂସଦ ଏବଂ ବିଧାନସଭାରେ ମହିଳା ମାନଙ୍କ ଲାଗି ୩୩ ପ୍ରତିଶତ ସିଟ ସଂରକ୍ଷଣ ପାଇଁ ପ୍ରଥମେ ଦାବି ଉଠାଇଥିଲା ବିଜେଡି । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଶର ବିଭିନ୍ନ ରାଜନୈତିକ ଦଳ ଏବଂ ମୁଖ୍ୟମନ୍ତ୍ରୀ ମାନଙ୍କୁ  ଚିଠି ଲେଖିଥିଲେ । ଆଉ ଏବେ ଅଧିକରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ ଦେଇ   ମହିଳା ସଶକ୍ତିକରଣ ଦିଗରେ ବିଜେଡିର ଏହା ବଡ ପଦକ୍ଷେପ ବୋଲି ବାର୍ତ୍ତା ଦେଇଛି ଦଳ ।

କେନ୍ଦ୍ରରେ ମୋଦୀ ସରକାର ମଧ୍ୟ ମହିଳାଙ୍କୁ ଗୁରୁତ୍ବ ଦେଉଛନ୍ତି ।  ସଂସଦରେ ନାରୀ ବନ୍ଦନ ବିଲ୍‌ ପାସ କରି କେନ୍ଦ୍ର ସରକାର ମହିଳାଙ୍କୁ ରାଜନୀତି କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେଉଥିବା ନେଇ ବାର୍ତ୍ତା ଦେଇଛି ବିଜେପି ।  ରାଜ୍ୟରେ ୨୧ ଲୋକସଭା ସିଟ ଭିତରୁ ବିଜେପି   ବଲାଙ୍ଗିର, କଲାହାଣ୍ଡି, ଆସ୍କା ଆଉ ଭୁବନେଶ୍ବରକୁ ମିଶାଇ ୪ ସିଟରେ ମହିଳାଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଧାନସଭା ଲାଗି ଦଳ ଘୋଷଣା କରିଥିବା ୧୩୧ ସିଟ ଭିତରୁ ୧୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଦଳର କହିବା କଥା ମୋଦୀ ସରକାରଙ୍କ ସବୁବେଳେ ମହିଳାଙ୍କ ସହ ଅଛନ୍ତି । ସେପଟେ କଂଗ୍ରେସ କଳାହାଣ୍ଡି, ଢ଼େଙ୍କାନାଳ ଓ ପୁରୀ  ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଛି । ସେହିଭଳି ବିଧାନସଭା ଲାଗି ଘୋଷଣା ହୋଇଥିବା ୧୨୩ ସିଟରୁ ୧୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ । ୨୦୧୯ରେ ମଧ୍ୟ ବିଜେଡିର   ୫ ମହିଳା ସାଂସଦ ଓ ୧୩ ମହିଳା ବିଧାୟକ ହୋଇଥିଲେ ।  ସେହିଭଳି ଓଡ଼ିଶାରେ   ବିଜେପିର ଜଣେ ମହିଳା ସାଂସଦ ଓ ଜଣେ ମହିଳା ବିଧାୟକ ଜିତିଥିଲେ ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.