ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟି ରବିବାର ଦକ୍ଷିଣ ଓଡ଼ିଶାର ବହୁ ଚର୍ଚ୍ଚିତ ଆସନ ଜୟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଗୌତମ ସାମନ୍ତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ଯାହା ପରେ ଜୟପୁରରେ ତ୍ରିମୁଖୀ ଲଢେଇ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଆଜିର ପ୍ରାର୍ଥୀକୁ ମିଶାଇ ବିଜେପି ୧୩୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏବେ ମଧ୍ୟ ଆହୁରି ୧୩ଟି ସିଟ୍ରେ ପ୍ରାର୍ଥୀ ଘୋଷଣା ବାକି ରହିଛି।
Also read: ଆସନ୍ତା ୨୫ରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସୋନପୁରରେ ହେବ ବିଶାଳ ଜନସଭା
ସେପଟେ ବିଜେଡି ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି। ଆଉ କଂଗ୍ରେସରୁ ମଇଦାନରେ ଅଛନ୍ତି ବରିଷ୍ଠ ନେତା ତାରା ବାହିନୀପତି। ସେ ବର୍ତ୍ତମାନ ଜୟପୁରର ବିଧାୟକ ମଧ୍ୟ ରହିଛନ୍ତି। ତେଣୁ ଏଠାରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି। ଏହି ସିଟ୍ରେ ବିଜେପି କେବେ ନିର୍ବାଚନ ଜିତି ନାହିଁ। ଗୌତମ ସାମନ୍ତରାୟ ନିର୍ବାଚନ ମଣ୍ଡଳୀରେ ନିଜର ସଂଗଠନ ମଧ୍ୟ ମଜବୁତ କରିଛନ୍ତି। ଟିକେଟ୍ ମିଳିବାର ଆଶା ଥିବାରୁ ସେ ପୂର୍ବରୁ ହିଁ ପ୍ରଚାର ଚଳାଇଥିଲେ।
୨୦୦୦, ୨୦୦୪ ଓ ୨୦୦୯ରେ ରବି ନାରାୟଣ ନନ୍ଦ କ୍ରମାଗତ ତିନି ଥର ନିର୍ବାଚନ ଜିତି ଜୟପୁରକୁ ବିଜେଡିର ଗଡ଼ କରିଥିଲେ। ତେବେ ତାରା ପ୍ରସାଦ ବାହିନୀପତି ୨୦୧୪ ନିର୍ବାଚନରେ ଏହି ସିଟକୁ ବିଜେଡି ହାତରୁ ଛଡ଼ାଇ ଆଣିଥିଲେ। ଆଉ କ୍ରମାଗତ ଦୁଇ ଥର ସେ ଏହି ସିଟ୍ରେ ଜିତି ଆସୁଛନ୍ତି। ତାରା ପୂର୍ବରୁ ୨୦୦୦ ଓ ୨୦୦୪ ନିର୍ବାଚନରେ ତାରା କୋରାପୁଟରେ ପ୍ରତିଦ୍ଵନ୍ଦ୍ଵିତା କରି ଜିତିଥିଲେ। ତେବେ ବିଜେଡି ଏଥର ବରିଷ୍ଠ ନେତା ରବି ନାରାୟଣ ନନ୍ଦଙ୍କୁ ଟିକେଟ୍ ଦେଇନି। ଆଉ ବିଜେପି ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି।