ଗୁଜରାଟରେ କଂଗ୍ରେସକୁ ଶକ୍ତ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା ମୋଢଓ୍ଵାଡ଼ିଆ ଓ କାର୍ଯ୍ୟକାରୀ ସଭାପତି ଅମ୍ବ୍ରିସ ଦେର

Published By : Prameya-News7 Bureau | March 04, 2024 IST

ଗାନ୍ଧିନଗର: ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟ ସହ ପ୍ରସ୍ତୁତିରେ ଜୁଟିଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ଗୁଜରାଟରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତିନି ଦିନ ପୂର୍ବରୁ ଦଳର ଦୁଇ ବରିଷ୍ଠ ନେତା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବିଧାୟକ ତଥା ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଅର୍ଜୁନ ମୋଢଓ୍ଵାଡ଼ିଆ ସୋମବାର ଗୁଜରାଟ ବିଧାନସଭା ବାଚସ୍ପତି ଶଙ୍କର ଚୌଧୁରୀଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେହିପରି ପାର୍ଟିର ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଅମ୍ବ୍ରିସ ଦେର ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଥିବା ମୋଢଓ୍ଵାଡ଼ିଆ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ପାର୍ଟି ଲୋକଙ୍କ ସହ ଆଉ ଜଡ଼ିତ ପାରୁନି ଏବଂ ଦଳର ଜନାଧାର ହ୍ରାସ ପାଇବାରେ ଲାଗିଛି। ଏହି ଦଳ ଆଉ ଦୀର୍ଘ ଦିନ ତିଷ୍ଠି ରହି ପାରିବ ନାହିଁ। ଦେଶର ଜନତା ଦେଶରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଚାହୁଁଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ କଂଗ୍ରେସ ମଧ୍ୟ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆସିଥିବା ନିମନ୍ତ୍ରଣ ପତ୍ରକୁ ପାର୍ଟି ପ୍ରତ୍ୟାଖାନ କଲା। ଦଳର ଏହି ନିଷ୍ପତ୍ତିକୁ ମୁଁ ବିରୋଧ କରିଥିଲି ଏବଂ କହିଥିଲି ଦଳର ଏମିତି ନିଷ୍ପତ୍ତି ଜନତାଙ୍କ ଭାବାବେଗ ପ୍ରତି କୁଠାରଘାତ ହେବ। ଏମିତି ନିଷ୍ପତ୍ତି ନେଇ ଦଳ ଜନତାଙ୍କଠୁ ଦୂରେଇ ଯିବାରେ ଲାଗିଛି। ଅନେକ ପ୍ରସଙ୍ଗରେ ମଧ୍ୟ ମୁଁ ପାର୍ଟି ନେତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛି। ମାତ୍ର ମୁଁ ସେଥିରେ ବିଫଳ ହେଲି। ଶେଷରେ ଆଜି ପାର୍ଟିରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛି।

wp:html /wp:html

ସୂଚନା ଅନୁଯାୟୀ, ଅର୍ଜୁନ ମୋଢଓ୍ଵାଡ଼ିଆ ଆଗାମୀ କିଛି ଦିନରେ ବିଜେପିରେ ସାମିଲ୍ ହୋଇ ପାରନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବିଧାନସଭା ଉପ ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ମୋଢଓ୍ଵାଡ଼ିଆ ରାଜ୍ୟ କଂଗ୍ରେସ ସଭାପତି ମଧ୍ୟ ଥିଲେ ଏବଂ ୨ ଥର ବିଧାୟକ ରହିଛନ୍ତି। ତୃତୀୟ ଥର ୨୦୨୨ରେ ସେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢି ଜିତିଥିଲେ।

ସେହିପରି ଗୁଜରାଟ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅମ୍ବ୍ରିସ ଦେର ମଧ୍ୟ ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ। ଦେର ସେହି ସମୟରେ ଦଳରୁ ଇସ୍ତଫା ଦେଇଛନ୍ତି ଯେତେବେଳେ ପାର୍ଟି ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ନିଲମ୍ବିତ କରିଛି।

wp:html /wp:html

ଉଲ୍ଲେଖନୀୟ ନିକଟରେ ଗୁଜରାଟ ବିଜେପି ସଭାପତି ସିଆର ପାଟିଲ ଅହମ୍ମଦାବାଦ ସ୍ଥିତ ଦେର ଙ୍କ ବାସଭବନ ଯାଇଥିଲେ। ଦେର କହିଥିଲେ ଅଯୋଧ୍ୟା ରାମ ମନ୍ଦିରକୁ ନେଇ ପାର୍ଟି ଆଭିମୁଖ୍ୟ ନେଇ ସେ ଦୁଃଖିତ। ୪୬ ବର୍ଷୀୟ ଦେର କହିଛନ୍ତି ଯେ, ସେ ପ୍ରକୃତରେ ଘରବାହୁଡ଼ା କରୁଛନ୍ତି। କାରଣ ସେ ଯୁବକ ଥିବା ସମୟରେ ବିଜେପି ପାଇଁ କାମ କରୁଥିଲେ।  ଦେର ୨୦୧୭ରୁ ୨୦୨୨ ଯାଏଁ ଅମରେଲି ଜିଲ୍ଲାର ରାଜୁଲ ସିଟରେ ବିଜୟ ହାସଲ କରିଥିଲେ। ସେତେବେଳେ ସେ ବିଜେପିର ହେଭିଓ୍ଵେଟ୍ ନେତା ହୀରା ସୋଲାଙ୍କିଙ୍କୁ ହରାଇଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ ଅମ୍ବ୍ରିସ ଦେରଙ୍କୁ ଗୁଜରାଟ କଂଗ୍ରେସର ସଭାପତି ଦାୟିତ୍ଵ ଦିଆଯାଇଥିଲା। ଉକ୍ତ ନିର୍ବାଚନରେ ପ୍ରତିପକ୍ଷ ହୀରା ସୋଲାଙ୍କିଠୁ ପରାଜିତ  ହୋଇଥିଲେ ସୁଦ୍ଧା କଂଗ୍ରେସ ତାଙ୍କୁ ସଭାପତି ପଦରେ ରଖିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.