୪୦ ଡିଗ୍ରୀକୁ ଖାତିର ନାହିଁ, ପ୍ରଚାର ମଇଦାନକୁ ଲମ୍ଫ ମାରିଲେ ନେତା

Published By : Prameya-News7 Bureau | April 02, 2024 IST

ଭୁବନେଶ୍ଵର: ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ବି ହେଲାଣି ଜୋରଦାର । ବଢୁଥିବା ଖରାକୁ ଖାତିର ନକରି ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଲମ୍ଫ ମାରିଲେଣି । ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ପ୍ରାର୍ଥୀମାନେ ଭଗବାନଙ୍କ ଆଶୀର୍ବାଦେ ନେଇ ପ୍ରଚାରକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି। 

ଡହ ଡହ ଖରା, ତାତି ୪୦ ଡିଗ୍ରୀ ଛୁଇଁଲାଣି । ହେଲେ ଏହାକୁ ଖାତିର ନକରି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନେତା ।ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଚଳାଇଛନ୍ତି ପ୍ରଚାର । କୋରାପୁଟିଆ ଢେମସା ନାଚରେ ନାଚି ନାଚି ତାଙ୍କୁ ପାଛୋଟି ନେଉଛନ୍ତି ଦଳୀୟ କର୍ମୀ । କୋରାପୁଟ ଛତିଶଗଡ଼ ସୀମାନ୍ତ ଚାନ୍ଦିଲି ଦେୱାଡା ବାବା ଝାଡେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଚାର ଆରମ୍ଭ କରିଥିଲେ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ କୋଟପାଡ଼ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ଶେଖର ମାଝୀ l ଉଭୟେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିକାଶ ହିଁ ମୁଦ୍ଦା ଆଉ ତାକୁ ନେଇ ଲୋକଙ୍କ ପାଖକୁ ଯିବେ l 

Also read: ବଲାଙ୍ଗୀର ଲୋକସଭାରୁ ଲଢିବେ ମନୋଜ ମିଶ୍ର, ବିଜେପି-ବିଜେଡି ପ୍ରାର୍ଥୀଙ୍କୁ ଦେବେ କଡ଼ା ଟକ୍କର !

ସେହିଭଳି ବଡଚଣା ମହୋତ୍ସବ ପଡିଆରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ନେତୃତ୍ବରେ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦ ହଜାରରୁ ଅଧିକ ବିଜେଡି କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଚଣ୍ଡିଖୋଲ ଛକରୁ ବାହାରି ବଡ଼ଚଣା ପର୍ଯ୍ୟନ୍ତ ଆସିଥିଲା । ସେହିପରି ଆଜି ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ଡକ୍ଟର ଅବିନାଶ ସାମଲଙ୍କୁ ଭୁବନରେ ଭବ୍ୟ ସ୍ବାଗତ କରାଯାଇଛି । ସେଠାରେ ଏକ ସମାବେଶରେ ସେ କର୍ମୀମାନଙ୍କ ସହିତ ଆଲୋଚନା କରିଛନ୍ତି । ସେହିଭଳି ପ୍ରଚାର ପୂର୍ବରୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ଏଥର ଏନ୍ ଡି ଏ ମେଣ୍ଟ ଚାରିଶହରୁ ଅଧିକ ଆସନରେ ବିପୁଳ ବିଜୟ ହାସଲ କରିବ ।  କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି କହିଛନ୍ତି ବୈଜୟନ୍ତ। ଆଉ ସମ୍ବିତ ପାତ୍ର କହିଛନ୍ତି ମୋଦୀ ଜନତାଙ୍କ ପାଇଁ ଗ୍ୟାରେଣ୍ଟି ଆଣିଥିବା ବେଳେ ମୁଁ ମୋଦୀଙ୍କ ପାଇଁ ଗ୍ୟାରେଣ୍ଟି ନେଇଛି। ଏଥର ରାଜ୍ୟ ଓ କେନ୍ଦ୍ରରେ ଆମେ ବିପୁଳ ବିଜୟ ହାସଲ କରିବୁ । 

କଂଗ୍ରେସର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଭାସମିତି, କର୍ମୀ ସମ୍ମିଳନୀ କରୁଛନ୍ତି ।  ଜନସାଧାରଣ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରର ଜନବିରୋଧୀ ନୀତି ସଂପର୍କରେ ଜାଣିସାରିଲେଣି । ଏଣୁ ବର୍ତ୍ତମାନ ଏକମାତ୍ର ବିକଳ୍ପ କଂଗ୍ରେସ ବୋଲି ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ କଂଗ୍ରେସର କାର୍ଯ୍ୟକ୍ରମ ଚାଲିଛି ଏବଂ କଂଗ୍ରେସ ନିଶ୍ଚିତ ଭାବେ ବିଜୟୀ ହେବ ବୋଲି କହିଛନ୍ତି ଜନାର୍ଦ୍ଦନ। ୩ ପ୍ରମୁଖ ଦଳ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ପ୍ରଚାର ସରଗରମ ହେଲାଣି । ପ୍ରାର୍ଥୀ ମାନେ ପ୍ରଚାର ମଇଦାନକୁ ଡେଇଁଲେଣି । 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.