ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ପୂର୍ବରୁ ଏକାଠି ଆସିଲେ ଗେହଲଟ୍-ପାଇଲଟ୍, କହିଲେ- ଆମେ ସବୁ ଏକଜୁଟ୍

Published By : Prameya-News7 Bureau | November 29, 2022 IST

ଜୟପୁର: ରାଜସ୍ଥାନ କଂଗ୍ରେସରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବା ପୂର୍ବରୁ କଂଗ୍ରେସ ପାଇଁ ଆସିଛି ଆଶ୍ଵସ୍ତି ଖବର। ରାଜ୍ୟର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ୍ ଏବଂ ଅଶୋକ ଗେହଲଟ୍ ଏକାଠି ନଜର ଆସିଛନ୍ତି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କିଛି ଦିନ ପୂର୍ବେ ପାଇଲଟ୍‌ଙ୍କୁ ଗଦ୍ଦାର ବୋଲି କହିଥିଲେ। ଏହାପରେ ପ୍ରଥମ ଥର ଦୁଇ ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହା ନିଶ୍ଚିତ ଭାବେ କଂଗ୍ରେସ ପାଇଁ ବହୁତ ବଡ ଆଶ୍ଵସ୍ତିକର ଖବର।

ଏହି ଅବସରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ଦେଶ ସଂପ୍ରତି ଦରବୃଦ୍ଧି ଏବଂ ରେକର୍ଡସ୍ତର ବେରୋଜଗାରୀରେ ତଳିତଳାନ୍ତ ହେଉଛି। ରାହୁଲ ଗାନ୍ଧୀଙ୍କ ସନ୍ଦେଶକୁ ସମଗ୍ର ଦେଶ ସ୍ଵୀକାର କରିଛି। ବିଜେପିକୁ ଟାର୍ଗେଟ୍ କରି ଗେହଲଟ୍ କହିଛନ୍ତି ଯେ, ବିଜେପି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଦେଖି ଭୟଭୀତ।

ସଚିନ ପାଇଲଟ୍‌ କହିଛନ୍ତି, ଆମେ ନିର୍ବାଚନ ଏବଂ ଭାରତ ଯୋଡୋ ଯାତ୍ରା ଉପରେ ବିସ୍ତୃତ ଆଲୋଚନା କରିଛୁ। ଭାରତ ଯୋଡୋ ଯାତ୍ରାକୁ ନେଇ ପୂରା ଦେଶରେ ଉତ୍ସାହର ମାହୋଲ ରହିଛି। ସମସ୍ତେ ଏକଜୁଟ୍ ଅଛନ୍ତି। ରାଜସ୍ଥାନରେ ଭାରତ ଯୋଡୋ ଯାତ୍ରା ନମ୍ବର ଓ୍ଵାନ ହେବ ବୋଲି ପାଇଲଟ୍ କହିଛନ୍ତି।

ଦୁଇ ନେତାଙ୍କୁ ଏକ ସଙ୍ଗେ ଆସିବା ନେଇ କେସି ବେଣୁଗୋପାଳ କହିଛନ୍ତି, ମୁଁ ରାଜସ୍ଥାନର ନେତାଙ୍କ ଏତେ ଚମତ୍କାର ପ୍ରସ୍ତୁତି ପାଇଁ ଅଭିନନ୍ଦନ ଜଣାଉଛି। ବଡ ନେତା ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ୍ ହୋଇଛନ୍ତି। ବେଣୁଗୋପାଳ କହିଛନ୍ତି, ଅଶୋକ ଜୀ ଏବଂ ସଚିନ ଜୀ କହିଛନ୍ତି, ଏହି ଯାତ୍ରା ସବୁଠୁ ସଫଳ ରହିବ ବୋଲି ବେଣୁଗୋପାଳ କହିଛନ୍ତି।

ସବୁଠୁ ବଡ କଥା ଗେହଲଟ୍ ଏବଂ ପାଇଲଟ୍‌ ଏକାଠି ଆସିବା କଂଗ୍ରେସ ହାଇକମାଣ୍ଡଙ୍କୁ ନିଶ୍ଚିତ ବଡ ଆଶ୍ଵସ୍ତି ପ୍ରଦାନ କରିବ। ଦୁଇ ନେତାଙ୍କୁ ଏକାଠି କରିବା ପଛରେ କେସି ବେଣୁଗୋପାଳଙ୍କ ରଣନୀତି କାମରେ ଲାଗିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି। କାରଣ ଏହାର କିଛି ଦିନ ପୂର୍ବେ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ପୁଣି ଥରେ ଚରମରେ ପହଞ୍ଚିଥିଲା। ପାଇଲଟ୍‌ଙ୍କୁ ଗଦ୍ଦାର କହିବାକୁ ପଛେଇ ନଥିଲେ ଗେହଲଟ୍। ଦୁଇ ନେତାଙ୍କ ବିବାଦ ରାଜସ୍ଥାନରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାର ସଫଳତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ମାତ୍ର ବର୍ତ୍ତମାନର ଦୃଶ୍ୟ କଂଗ୍ରେସ ମହଲକୁ ଆଶ୍ଵସ୍ତି ପ୍ରଦାନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.