ସଚ୍ଚିନଙ୍କ ତମ୍ବୁରେ ୩୦ ବିଧାୟକ, ଗେହଲୋତ୍‌ଙ୍କ ଘରେ ନିଆଁ ଚେଙ୍ଗୁଛନ୍ତି ଜ୍ୟୋତିରାଦିତ୍ୟ !

Published By : Prameya-News7 Bureau | July 12, 2020 IST

ନୂଆଦିଲ୍ଲୀ ୧୨।୪: ରାଜସ୍ଥାନରେ ଉପୁଜିଥିବା ରାଜନୈତିକ ସଂକଟ ବେଳକୁ ବେଳ ଗୁରୁତର ହେବାରେ ଲାଗିଛି। ସଚ୍ଚିନ ସୋମବାର ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ଯୋଗଦେବେନି ବୋଲି ସଫାସଫା ଶୁଣେଇ ଦେବା ରାଜସ୍ଥାନ କଂଗ୍ରସର ଘର କଳି ଏବେ ପଦାରେ ପଡିଛି। ସେପଟେ ପାଇଲଟ ଦିଲ୍ଲୀରେ ଥିଲେ ବି ତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ଏପର୍ଯ୍ୟନ୍ତ ଆଲୋଚନା ମଧ୍ୟ କରୁନାହାନ୍ତି। ଏଣୁ ଅଶୋକ ଗେହଲୋତ୍‌ଙ୍କ ସରକାର ଏବେ ବିପଦରେ ପଡିଥିବା ସ୍ପଷ୍ଟ ହୋଇଯାଇଛି। ତେବେ କଂଗ୍ରେସ ଘର କଳିରୁ ଏବେ ବିଜେପି ଫାଇଦା ନେବାକୁ ତତ୍ପର ହୋଇଉଠିଛି। ପାର୍ଟି ପକ୍ଷରୁ ସଚ୍ଚିନଙ୍କ ବନ୍ଧୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୈଦାନକୁ ଓହ୍ଲାଇଥିବା ବେଳେ ତାଙ୍କୁ ଉସ୍‌କାଇବାରେ ଲାଗିଛନ୍ତି।

କଂଗ୍ରେସ ଛାଡି ନିକଟ ଅତୀତରେ ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସଚ୍ଚିନ ପାଇଲଟଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‌ କରିଛନ୍ତି। ଗେହଲୋତଙ୍କ ସରକାରରେ ସଚ୍ଚିନ କଡିକିଆ ହୋଇଥିବାରୁ ମୁଁ ଦୁଃଖିତ, କଂଗ୍ରେସରେ ଯୋଗ୍ୟତା ଓ ଦକ୍ଷତାର କୌଣସି ମୂଲ୍ୟ ହିଁ ନାହିଁ। ସଚ୍ଚିନ ଓ ଜ୍ୟୋତିରାଦିତ୍ୟଙ୍କ ବନ୍ଧୁତ୍ୱ କଥା ସାରା ଦେଶ ଜାଣେ। ଏଥିରେ ସିନ୍ଧିଆଙ୍କ ଟ୍ୱିଟ୍‌ ରାଜସ୍ଥାନରେ ଉପୁଜିଥିବା ରାଜନୈତିକ ସଂକଟରେ ନିଆଁରେ ଘିଅ ଭଳି ହେବାକୁ ଯାଉଥିବା ଅନୁମାନ କରାଯାଉଛି। ଅନ୍ୟ ଏକ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାଇଲଟ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ପର୍କରେ ଅଛନ୍ତି। ରବିବାର ଜ୍ୟୋତିରାଦିତ୍ୟଙ୍କ ଘରକୁ ପାଇଟଲ ଯାଇଥିବାର ମଧ୍ୟ ଚର୍ଚ୍ଚା ହେଉଛି। ଉଭୟ ନେତା ପ୍ରାୟ ୪୦ ମିିନିଟ୍‌ ଆଲୋଚନା କରିଥିବା ଜଣାପଡିଛି। ହୁଏତ ଏବେ ଜ୍ୟୋତିରାଦିତ୍ୟଙ୍କ ଟିମ୍‌ର ବିଧାୟକମାନେ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି।

wp:html /wp:html

ସଚ୍ଚିନଙ୍କ ସମର୍ଥକ ବିଧାୟକମାନେ ମାନସେର ଓ ଗୁଡଗାଓଁ ହୋଟେଲରେ ଏବେ ଅବସ୍ଥାନ କରୁଛନ୍ତି। ପ୍ରଥମେ ସଚ୍ଚିନଙ୍କୁ ମିସାଇ ୨୪ ବିଧାୟକ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ ବୋଲି ଜଣାପଡିଥିଲା। ଏବେ ବିରୋଧୀ ଗୋଷ୍ଠୀରେ ବିଧାୟକଙ୍କ ସଂଖ୍ୟା ପୁଣି ବଢିଛି। ଫଳରେ ଗେହଲୋତ୍ ସରକାରଙ୍କ ଲାଗି ବିପଦ ଘନଉଥିବାର ଆଭାସ ମିଳିବାକୁ ଲାଗିଲାଣି। ସଚ୍ଚିନଙ୍କ ଗୋଷ୍ଠୀକୁ ଆଉ ୬ ବିଧାୟକ ଆସିବା ପରେ ଏମାନଙ୍କ ସଂଖ୍ୟା ୩୦କୁ ପହଞ୍ଚିଛି। ଏଣୁ ରାଜସ୍ଥାନରେ ଏବେ ମଧ୍ୟପ୍ରଦେଶ ପରିସ୍ଥିତି ଦୋହରାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆଶଙ୍କା ବ୍ୟକ୍ତ କଲେଣି।

ଆଜି ରାଜସ୍ଥାନରେ ଗେହଲୋତଙ୍କ ସରକାର ଯଦି କ୍ଷମତାରେ ଅଛି ତାର ଶ୍ରେୟ ସଚ୍ଚିନ ପାଇଲଟଙ୍କୁ ହିଁ ଦିଆଯାଇପାରେ। ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଯୋଗୁ ଅତୀତରେ ସରକାର କ୍ଷମତାକୁ ଆସିଥିବା ବେଳେ ଏହାର ଲାଭ ସିନ୍ଧିଆଙ୍କୁ ଦିଆଯାଇନଥିଲା। କମଲ ନାଥଙ୍କୁ ଦଳ  ମୁଖ୍ୟମନ୍ତ୍ରୀ କରିଥିଲା। ଯେଉଁଥିପାଇଁ ପରେ କଂଗ୍ରେସକୁ  ବହୁ ମୂଲ୍ୟ ଦେବାକୁ ପଡିଥିଲା।  ନିଜ ସମର୍ଥକ ବିଧାୟକଙ୍କ ସହ ଜ୍ୟୋତିରାଦିତ୍ୟ ବିଜେପିରେ ଯୋଗଦେଇଥିବା ବେଳେ ଶିବରାଜ ସିଂହ ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

wp:html /wp:html

ତେବେ ପରିସ୍ଥିତିକୁ ଅଧିକ ବିଗିଡିବା ପୂର୍ବରୁ ନିୟନ୍ତ୍ରିତ କରିବା ଲାଗି ଦଳର ବରିଷ୍ଠ ନେତା କପିଲ ଶିବ୍ବଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିସାରିଛନ୍ତି। ହେଲେ ବି କେନ୍ଦ୍ରୀୟ ନେତୃତ୍ୱ ଏ ଦିଗରେ ଏବେବି ହାତ ବାନ୍ଧି ବସିବା ଗେହଲତ ସରକାର ଲାଗି ବିପଦ ଘନେଇବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.