'ମାଆ ହେବାର ଅଛି, କଏଦୀଙ୍କୁ ପାରୋଲ୍ ଦିଅ', ଆବେଦନ ବଢିବାରୁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଗେହଲଟ୍ ସରକାର

Published By : Prameya-News7 Bureau | July 25, 2022 IST

ନୂଆଦିଲ୍ଲୀ: ସନ୍ତାନ ଜନ୍ମ ପାଇଁ କିଛି ଦିନ ପୂର୍ବେ ହାଇକୋର୍ଟ ଆଜୀବନ ସଜା କାଟୁଥିବା ଜଣେ କଏଦୀଙ୍କୁ ୧୫ ଦିନିଆ ପାରୋଲ୍ ଦେଇଥିଲେ। ଏବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ରାଜସ୍ଥାନ ସରକାର। ପ୍ରଧାନ ବିଚାରପତି ଏନଭି ରମଣାଙ୍କ ପୀଠରେ ଯାଚିକା ଦାଖଲ କରିଛନ୍ତି ଗେହଲଟ୍ ସରକାର। ହାଇକୋର୍ଟଙ୍କ ଏହି ଆଦେଶକୁ ଆଧାର କରି ଏବେ ଅନେକ ସଂଖ୍ୟାରେ କଏଦୀ ପାରୋଲ ଦାବି କରୁଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି।

ରାଜ୍ୟ ସରକାର ସୁପ୍ରିମକୋର୍ଟରେ କହିଛନ୍ତି, ରାଜ୍ୟର ନିୟମ ଅନୁଯାୟୀ ସନ୍ତାନ ଜନ୍ମ ପାଇଁ ପାରୋଲ ଦିଆଯିବ, ଏନେଇ ନେଇ କୌଣସି ସ୍ପଷ୍ଟ ନିୟମ ନାହିଁ। ହେଲେ ହାଇକୋର୍ଟ  ଜଣେ କଏଦୀଙ୍କୁ ୧୫ ଦିନିଆ ପାରୋଲ୍ ଦେବା ପରେ ଅନ୍ୟ କଏଦୀ ମଧ୍ୟ ପାରୋଲ ଦେବାକୁ ଦାବି କରୁଛନ୍ତି। ଏମିତିରେ ଆବେଦନ ସଂଖ୍ୟା ବଢିବାରେ ଲାଗିଛି। ଏବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଜୁଲାଇ ୨୯ ତାରିଖ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ଏପ୍ରିଲରେ ରାଜସ୍ଥାନ ହାଇକୋର୍ଟର ଯୋଧପୁର ବେଞ୍ଚ ଆଜୀବନ ସଜା କାଟୁଥିବା ଜଣେ କଏଦୀଙ୍କୁ ନିଜ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ଏବଂ ସନ୍ତାନ ଜନ୍ମ ପାଇଁ ପାରୋଲ୍ ଦେଇଥିଲେ। ଏହି ରାୟରେ ଅଦାଲତ କହିଥିଲେ, ଗର୍ଭଧାରଣ ପାଇଁ ଶାରୀରିକ ସଂପର୍କ ରଖିବାକୁ କଏଦୀଙ୍କୁ ଅନୁମତି ନଦେବା ପତ୍ନୀଙ୍କ ଅଧିକାରର କ୍ଷୁର୍ଣ୍ଣ ହେବ।

୩୪ ବର୍ଷୀୟ ନନ୍ଦଲାଲ ଭିଲଓ୍ଵାଡାଙ୍କୁ ସେସନ କୋର୍ଟ ୨୦୧୯ରେ ଏକ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରଠୁ ସେ ଆଜମେର କାରାଗାରରେ ସଜା କାଟୁଛନ୍ତି। ତାଙ୍କ ପତ୍ନୀ ରେଖା ଆଜମେରର ଜିଲ୍ଲା ପାରୋଲ୍ କମିଟିର ଅଧ୍ୟକ୍ଷଙ୍କୁ ଆବେଦନ କରି ଦାବି କରିଥିଲେ ଯେ, ତାଙ୍କ ସ୍ଵାମୀଙ୍କୁ ପାରୋଲ ଦିଆଯାଉ, ଯଦ୍ଵାରା ସେ ମାଆ ହୋଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.