ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାଖ୍ୟାନ କଲେ ବିଜୁବାବୁଙ୍କ କନ୍ୟା ଗୀତା ମେହେଟ୍ଟା

Published By : Prameya-News7 Bureau | January 26, 2019 IST

ଭୁବନେଶ୍ବର ୨୬|୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଉଣୀ ତଥା ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା ପଦ୍ମଶ୍ରୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗତକାଲି ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲେ । ବିଦେଶରେ ରହୁଥିବା ଗୀତା ନ୍ୟୁୟର୍କରୁ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, କେନ୍ଦ୍ର ସରକାର ପଦ୍ମଶ୍ରୀ ପାଇଁ ତାଙ୍କୁ ଯୋଗ୍ୟ ଭାବିଥିବାରୁ ସେ ଅତ୍ୟନ୍ତ ଖୁସୀ । ତେବେ ଯେଉଁ ସମୟରେ ଏହି ପୁରସ୍କାର ଘୋଷଣା କରାଯାଇଛି ସେ ସମୟରେ ସେ ଏହି ପୁରସ୍କାରକୁ ଗ୍ରହଣ କରିବା ଉଚିତ ଭାବୁ ନାହାଁନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସେ ଏହି ପୁରସ୍କାର ଗ୍ରହଣ କରିବା ଦ୍ବାରା ରାଜନୈତିକ କ୍ଷେତ୍ରରେ ଏକ ଭୁଲ ବାର୍ତ୍ତା ଯାଇପାରେ ବୋଲି ପ୍ରେସ ଇସ୍ତାହାରରେ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ପୁରସ୍କାର ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଗୀତାଙ୍କୁ ଜଣେ ବିଦେଶୀ ବାରତୀୟ ବୋଲି ଦର୍ଶା ଯାଇଛି । ତେବେ ଜଣାପଡିଛି ଯେ, ଏବେ ବି ଭାରତୀୟ ନାଗରିକତ୍ବ ରହିଛି ଏବଂ ଭାରତୀୟ ପାସପୋର୍ଟରେ ହିଁ ସେ ବିଦେଶରେ ଅବସ୍ଥାନ କରୁଛନ୍ତି ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ଜଣେ ଉଚ୍ଚକୋଟୀର ଲେଖିକା ଓ ବୃତ୍ତଚିତ୍ର ନିର୍ମାତା । ତାଙ୍କ ସାହିତ୍ୟ କୃତୀଗୁଡିକ ମଧ୍ୟରେ ରହିଛି କର୍ମକୋଲା(୧୯୭୯), ରାଜ୍‌(୧୯୮୯), ଏ ରିଭର ସୂତ୍ର(୧୯୯୩), ସ୍ନେକ୍ସ ଆଣ୍ଡ ଲେଡର୍ସ : ଏ ଗ୍ଲିମ୍ପ୍ସ ଅଫ ମର୍ଡନ ଇଣ୍ଡିଆ(୧୯୯୭), ଇଟର୍ଣ୍ଣାଲ ଗଣେଶ: ଫ୍ରମ ବାର୍ଥ ଟୁ ରିବର୍ଥ (୨୦୦୬) ଇତ୍ୟାଦି । ସେହିଭଳି ସେ ୧୪ଟି ବୃତ୍ତଚିତ୍ର ପ୍ରଯୋଜନା କରିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି ।

୭୬ ବର୍ଷ ବୟସ୍କା ଗୀତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.