ଆମେରିକାରେ ସମଲିଙ୍ଗୀ ବିବାହ ବିଲ୍ ପାସ୍, ସପକ୍ଷରେ ପଡିଲା ୬୧ ଭୋଟ, ଜାଣନ୍ତୁ କଣ କହିଲେ ବାଇଡେନ?
30/11/2022 at 3:36 PM

ୱାସିଂଟନ ୩୦।୧୧: ଆମେରିକାରେ ଏବେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିଯାଇଛି। ଆମେରିକା ସଂସଦ ସମାନ ସେକ୍ସ ମ୍ୟାରେଜ୍ ବିଲକୁ ଗୃହୀତ କରିଛି। ଦେଶରେ ଏଲଜିବିଟିକ୍ୟୁ ସମୂଦାୟ ବେଶ ଉତ୍ସାହର ସହ ଏହାକୁ ସ୍ୱାଗତ କରିଛନ୍ତି। ଆମେରିକା ସିନେଟ୍ (ସଂସଦ)ରେ ବିଧେୟକ ଗୃହୀତ ହେବା ପରେ ରାଷ୍ଟ୍ରପତି ଜୋ ବାଇଡେନ ଖୁସି ବ୍ୟକ୍ତ କରିଛନ୍ତି। ବାଇଡେନ କହିଛନ୍ତି ଯେ ପ୍ରେମ ତ ପ୍ରେମ ହୋଇଥାଏ, ଏବେ ଆମେରିକୀୟଙ୍କୁ ସେହି ବ୍ୟକ୍ତିଙ୍କୁ ବିବାହ କରିବାର ଅଧିକାର ମିଳିଯାଇଛି ଯାହାଙ୍କୁ ସେ ପ୍ରେମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ବାଇଡେନ ତାଙ୍କ ବୟାନରେ କହିଛନ୍ତି ଯେ ସିନେଟ୍ରେ ବିଧେୟକ ଗୃହୀତ କରିବା ପାଇଁ ହୋଇଥିବା ଭୋଟରେ ୬୧ ଜଣ ସମର୍ଥନ କରିଥିବା ବେଳେ ୩୬ ଜଣ ବିରୋଧ କରିଥିଲେ। ଫଳରେ ବିଧେୟକ ସଂଖ୍ୟାଗରିଷ୍ଠ ମତରେ ଗୃହୀତ ହୋଇଯାଇଛି। ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ସହ ଆଇନରେ ପରିଣତ ହେବ ବୋଲି କହିଛନ୍ତି। ସିନେଟ୍ରେ କ୍ଷମତାସୀନ ଦଳର ନେତା ଚକ୍ ଶୁମର ବିଲ୍ ଗୃହୀତ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏବେ ଆମେରିକାରେ ଏଲଜିବିଟିକ୍ୟୁଙ୍କୁ ଅଧିକ ନ୍ୟାୟ ମିଳିପାରିବ।

ଉଲ୍ଲେଖଯୋଗ୍ୟ ଯେ ସମଲିଙ୍ଗୀ ଦୀର୍ଘ ଦଶନ୍ଧୀରୁ ଆମେରିକାରେ ପ୍ରସଙ୍ଗ ରହି ଆସିଛି। ୨୦୧୫ ମସିହାରେ ଆମେରିକା ସୁପ୍ରିମକୋର୍ଟ ସମଲିଙ୍ଗୀ ସମାଜକୁ ସ୍ୱୀକୃତି ଦେଇଥିଲେ। ତେବେ ଠିକ୍ ସେତିକି ବେଳେ ଆମେରିକା ସର୍ବୋଚ୍ଚ କୋର୍ଟ ଗର୍ଭପାତକୁ ଆଇନତଃ ମଞ୍ଜୁରୀ ଦେଇଥିବା ନିଜକ ୫ ଦଶନ୍ଧୀ ପୁରୁଣା ନିଷ୍ପତ୍ତିକୁ ଓଲଟାଇ ଦେଇଥିଲେ। ଏହି ଘଟଣାରେ ଏଲଜିବିଟିକ୍ୟୁ ସମାଜ ଡରି ଯାଇଥିଲା। ଏଥିରେ ପ୍ରଗତିବାଦୀମାନଙ୍କୁ ଡର ଥିଲା ଯେ ଭବିଷ୍ୟତରେ ସମଲିଙ୍ଗୀ ବିବାହ ବିବପଦରେ ପଡିପାରେ। ତେବେ ଏହା ଏବେ ଦେଶରେ ଆଇନରେ ପରିଣତ ହେବାକୁ ଯାଉଛି।