WTC ଫାଇନାଲ୍ ପାଇଁ ନିଜ ପସନ୍ଦର ୧୧ ଖେଳାଳି ଚୟନ କଲେ ଗାଭାସ୍କର
4/06/2023 at 11:13 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ ୭ରୁ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ର ଫାଇନାଲ୍ ମ୍ୟାଚ୍ ଲଣ୍ଡନର ଓଭାଲ ମଇଦାନରେ ଖେଳାଯିବ। ଭାରତୀୟ ଦଳ କ୍ରମାଗତ ଦ୍ଵିତୀୟ ଥର ଫାଇନାଲ୍ରେ ପହଞ୍ଚିଛି। ୨୦୨୧ରେ ଦଳ ଫାଇନାଲ୍ରେ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍ରେ ପରାଜିତ ହୋଇଥିଲା। ତେବେ ୨୦୨୩ ଫାଇନାଲ୍ ପୂର୍ବରୁ ୨ ଦଳର ଚୂଡାନ୍ତ ଏକାଦଶକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଇତି ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟର ସୁନୀଲ ଗାଭାସ୍କର ମଧ୍ୟ ଫାଇନାଲ୍ ମୁକାବିଲା ପାଇଁ ନିଜ ପସନ୍ଦର ଭାରତୀୟ ଚୂଡ଼ାନ୍ତ ଏକାଦଶ ଚୟନ କରିଛନ୍ତି। ସେ ନିଜ ଦଳରେ ୩ ଦ୍ରୁତ ବୋଲର ଏବଂ ୨ ସ୍ପିନର ଚୟନ କରିଛନ୍ତି। ସେ ଓ୍ଵିକେଟ୍ କିପର ଭାବେ କେଏସ ଭରତଙ୍କ ଉପରେ ଭରସା ପ୍ରକଟ କରିଛନ୍ତି। ଭରତ ୪ଟି ଟେଷ୍ଟ ଖେଳି ସାରିଥିବା ବେଳେ ଇଶାନ କିଷନ ଏ ପର୍ଯ୍ୟନ୍ତ ଟେଷ୍ଟ ପଦାର୍ପଣକୁ ଅପେକ୍ଷା କରିଛନ୍ତି।
ଏ ଖବର ପଢନ୍ତୁ- ଲଞ୍ଚ୍ ହେଲା ଟିମ୍ ଇଣ୍ଡିଆର ନୂଆ ଜର୍ସି, କ୍ରିକେଟ୍ର ୩ ଫର୍ମାଟ୍ ପାଇଁ ଅଲଗା ଅଲଗା ଭାବେ ତିଆରି ହୋଇଛି
ଗାଭାସ୍କର ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଓପନିଂ କରିବେ। ୩ ନମ୍ବରରେ ଚେତେଶ୍ଵର ପୂଜାରା ଏବଂ ତାଙ୍କ ପରେ ବିରାଟ କୋହଲି ବ୍ୟାଟିଂ କରିବେ। ନମ୍ବର ୫ରେ ଆଜିଙ୍କ୍ୟ ରାହାଣେଙ୍କୁ ରଖିବି। ନମ୍ବର ୬କୁ ନେଇ ଟିକିଏ ବିଚାର କରିବାକୁ ପଡ଼ିବ। କାରଣ ଭରତ ଏବଂ ଇଶାନ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ପଡ଼ିବ। ତେବେ ମୋ ମତରେ କେଏସ ଭରତ ନମ୍ବର ୬ରେ ଖେଳିବା ଉଚିତ୍ ବୋଲି ଗାଭାସ୍କର କହିଛନ୍ତି।

ଗାଭାସ୍କର ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଏବଂ ରନିଚନ୍ଦ୍ରନ ଅଶ୍ଵିନଙ୍କୁ ଦଳରେ ରଖିଛନ୍ତି। ଜାଡ଼େଜା ନମ୍ବର ୭ରେ ବ୍ୟାଟିଂ କରିବାକୁ ଫିଟ୍। ଯଦି ପାଣିପାଗ ଠିକ୍ ରହେ ତେବେ ଜାଡ଼େଜାଙ୍କ ପରେ ଅଷ୍ଟମ ସ୍ଥାନରେ ଅଶ୍ଵିନଙ୍କୁ ଖେଳାଇବା ଉଚିତ୍। ଏହା ପରେ ଦ୍ରୁତ ବୋଲର ଭାବେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ରହିବେ। ଅନ୍ୟପଟେ ଦ୍ରୁତ ବୋଲର ଅଲରାଉଣ୍ଡର ଭାବେ ଶାର୍ଦ୍ଦୁଳ ଠାକୁର ୧୧ମ ଖେଳାଳି ରହିବେ।
ସୁନୀଲ ଗାଭାସ୍କରଙ୍କ ମନ ପସନ୍ଦର ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏସ ଭରତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର।