ମୁମ୍ବାଇ ୭।୭: ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ରାହୁଲ ଦ୍ରାଭିଡଙ୍କୁ ‘ଭାରତ ରତ୍ନ’ରେ ସମ୍ମାନୀତ କରିବାକୁ ଦାବି କରିଛନ୍ତି। ଗାଭାସ୍କର ଟି-୨୦ ୱାର୍ଲଡକପ ବିଜେତା ଟିମ୍ର କୋଚ ଦ୍ରାଭିଡଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ ନିମନ୍ତେ ଅପିଲ କରିଛନ୍ତି। ସେ ଏକ ସମ୍ବାଦପତ୍ରରେ ଲେଖିଥିବା ତାଙ୍କ ସ୍ତମ୍ବରେ ଦ୍ରାଭିଡଙ୍କ ଉପଲବ୍ଧିର ବ୍ୟାଖ୍ୟାନ କରିଛନ୍ତି। କ୍ରିଡା ଜଗତରେ ଏପର୍ଯ୍ୟନ୍ତ ଭାରତ ରତ୍ନ କେବଳ ସଚ୍ଚିନ ତେନ୍ଦୁଲକରଙ୍କୁ ମିଳିଛି।
କମେଣ୍ଟେଟର ସୁନିଲ ଗାଭାସ୍କରଙ୍କ ଏକ ଆର୍ଟିକ୍ଲ ଜୁଲାଇ ୭ ତାରିଖ ‘ମିଡ ଡେ’ରେ ପ୍ରକାଶିତ ହୋଇଛି। ଏଥିରେ ସେ ଦ୍ରାଭିଡଙ୍କ ବେଶ୍ ଗୁଣଗାନ କରିଛନ୍ତି। ଗାଭାସ୍କର ଲେଖିଛନ୍ତି ‘ଏହା ଭଲ ହେବ ଯଦି ସରକାର ରାହୁଲ ଦ୍ରାଭିଡଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବେ’। ଯାହା ବାସ୍ତବିକ। ଦେଶର ଜଣେ ମହାନ ଖେଳାଳି ଓ କ୍ୟାପ୍ଟେନ ରୂପେ ସେ ଟିମ୍କୁ ୱେଷ୍ଟଇଣ୍ଡିଜ ସିରିଜ ଜିତାଇଛନ୍ତି। ଦ୍ରାଭିଡ ଭାରତର ସେହି ୩ କ୍ୟାପ୍ଟେନଙ୍କ ମଧ୍ୟରେ ଜଣେ ଯାହାଙ୍କ ନେତୃତ୍ୱରେ ଟିମ୍ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍ ସିରିଜ ଜିତିଥିଲା।
ସେ ପ୍ରଥମେ ନ୍ୟାସନାଲ କ୍ରିକେଟ ଆକାଡେମୀର ଅଧ୍ୟକ୍ଷ ଓ ପରେ ସିନିୟର ଟିମର କୋଚ ହୋଇ ପ୍ରତିଭା ମାନଙ୍କ ବିକାଶରେ ଯୋଗଦାନ ଦେଇଛନ୍ତି। ଦ୍ରାଭିଡଙ୍କ ଉପଲବ୍ଧି ଜାତି,ବର୍ଣ୍ଣ, ଧର୍ମ ଓ ସମ୍ପ୍ରଦାୟରୁ ଊର୍ଦ୍ଧ୍ୱକୁ ଉଠି ସମସ୍ତଙ୍କୁ ଖୁସି ହେବାର ସୁଯୋଗ ଦେଇଛି। ଏଣୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେବାକୁ ସେ ହିଁ ହକଦାର ବୋଲି ଗାଭାସ୍କାର ଉଲ୍ଲେଖ କରିଛନ୍ତି। ଆସନ୍ତୁ ଆମେ ସମସ୍ତେ ମିସି ସରକାରଙ୍କୁ ଦେଶର ମହାନ ସନ୍ତାନମାନଙ୍କ ମଧ୍ୟରୁ ଜଣଙ୍କୁ ଏହି ସମ୍ମାନ ଦେବା ପାଇଁ ଅପିଲ କରିବା।