ଭାରତୀୟ ଦଳର ଦ. ଆଫ୍ରିକା ଗସ୍ତରେ ଯିବେନି ଗୌତମ ଗମ୍ଭୀର, ଏହି ବ୍ୟକ୍ତି ସମ୍ଭାଳିବେ ଗୁରୁ ଦାୟିତ୍ଵ

Published By : Prameya-News7 Bureau | October 28, 2024 IST

india tv

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ସମାପ୍ତ ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତରେ ଦଳ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ନଭେମ୍ବର ୮ରେ ଡର୍ବାନରେ ଖେଳାଯିବ ପ୍ରଥମ ମ୍ୟାଚ୍। ତେବେ ଏହି ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ନେଇ ଆସିଛି ବଡ଼ ଖବର। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର  ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଯିବେ ନାହିଁ। 

ନଭେମ୍ବର ୪ ତାରିଖରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଅନ୍ୟପଟ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ନଭେମ୍ବର ୧୧ ତାରିଖରେ ଅଷ୍ଟ୍ରେଲିଆ ଗସ୍ତ କରିବ। ତେଣୁ ଗମ୍ଭୀର ଅଷ୍ଟ୍ରେଲିଆ ଗସ୍ତରେ ଯାଉଥିବାରୁ ଦକ୍ଷିଣ ଆଫ୍ରିକା ଯିବେ ନାହିଁ। 

ଗମ୍ଭୀରଙ୍କ ଅନୁପସ୍ଥିତିରେ ଭିଭିଏସ ଲକ୍ଷ୍ମଣ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ତୁଲାଇବେ। ସୋମବାର ବିସିସିଆଇ କ୍ରିକବଜକୁ ଏହାର ସୂଚନା ଦେଇଛିି। ଉଲ୍ଲେଖନୀୟ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭରୁ ସ୍ଥିର ନ ଥିଲା। ମାତ୍ର ବିସିସିଆଇ ଓ କ୍ରିକେଟ୍ ସାଉଥ ଆଫ୍ରିକା ପରସ୍ପର ମଧ୍ୟରେ ଆଲୋଚନା କରି ଗସ୍ତକୁ ଚୂଡ଼ାନ୍ତ ରୂପ ଦେଇଥିଲେ। 

ସାଇରାହ ବହୁତୁଲେ, ଋଷିକେଶ କାନିତକର ଓ ସୁଭାଦୀପ ଘୋଷ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତରେ  କୋଚିଂ ଷ୍ଟାଫରେ ସଦସ୍ୟ ରହିବେ। ଏହି ତିନି ବ୍ୟକ୍ତି ଓମାନରେ ଆୟୋଜିତ ଏମର୍ଜିଂ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର କୋଚିଂ ସଦସ୍ୟ ଥିଲେ। 

ସୂଚନାଯୋଗ୍ୟ, ଏହା ପୂର୍ବରୁ ରାହୁଲ ଦ୍ରାବିଡ଼ ଯେବେ ବ୍ରେକ ନେଉଥିଲେ ସେହି ସମୟରେ ଭିଭିଏସ ଲକ୍ଷ୍ମଣ ସର୍ବଦା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵ ସମ୍ଭାଳୁଥିଲେ। ଭିଭିଏସ ଲକ୍ଷ୍ମଣ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ନିର୍ଦ୍ଦେଶକ ଅଛନ୍ତି। ଏହା ସହିତ ୧୯ ବର୍ଷରୁ କମ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦରେ ଅଛନ୍ତି। 

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ରିଙ୍କୁ ସିଂ, ତିଳକ ବର୍ମା, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ନୋଇ, ଅର୍ଶଦୀପ ସି, ବିଜୟ କୁମାର ବିଶକ, ଅଭେଶ ଖାନ, ୟଶ ଦୟାଲ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.