ଗୌତମ ଗମ୍ଭୀର ହେବେ ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ! ଔପଚାରିକ ଘୋଷଣା କରିବ ବିସିସିଆଇ

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ ୦୯/୦୭: ଚଳିତ ମାସ ଅନ୍ତିମ ଭାଗରେ ଭାରତୀୟ କ୍ରିକେଟ୍‌ ଦଳର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ରହିଛି । ନିକଟରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ଚାମ୍ପିଅନ ହୋଇଥିବା ଟିମ ଇଣ୍ଡିଆ ଶ୍ରୀଲଙ୍କାରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-ଟ୍ୱେଣ୍ଟି  ଖେଳିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରୁ ଉକ୍ତ ସିରିଜ ଆରମ୍ଭ ହୋଇ ଅଗଷ୍ଟ ୭ ତାରିଖରେ ଶେଷ ହେବ । ଆସନ୍ତା ସପ୍ତାହରେ ଶ୍ରୀଲଙ୍କା ଗସ୍ତ ପାଇଁ  ଦଳ ଘୋଷଣା କରାଯିବ । 

ଏହି ସିରିଜ ଜରିଆରେ  ନୂଆ କୋଚ୍‌ ଦାୟିତ୍ୱ ଆରମ୍ଭ କରିବେ । ଦଳର ତିନି ମହାରଥି ଅଧିନାୟକ ରୋହିତ ଶର୍ମା, ବିରାଟ  କୋହଲି ଓ ଯଶପ୍ରୀତ ବୁମରାଙ୍କୁ ଉକ୍ତ ସିରିଜରୁ ବିଶ୍ରାମ ମିଳିବ । ସେପ୍ଟେମ୍ବରରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ସିନିୟର ଖେଳାଳିମାନଙ୍କୁ ଉପଯୁକ୍ତ ବିଶ୍ରାମ ଦେବାକୁ ଚୟନ କମିଟି ଚିନ୍ତା  କରୁଛି । ସେପ୍ଟେମ୍ବରରେ ବାଂଲାଦେଶ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସି ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । 

ଏହାପରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌  ଦଳ ଏକ ୩ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା  ପାଇଁ ଭାରତ ଗସ୍ତରେ ଆସିବ । ଅକ୍ଟୋବର ୧୬ରୁ ନଭେମ୍ବର ୫ ତାରିଖ ମଧ୍ୟରେ ଏହି ଟେଷ୍ଟ ସିରିଜ ଖେଳାଯିବ । ଏହାପରେ ଦଳ ୪ମ୍ୟାଚ ବିଶିଷ୍ଟ ଟି- ଟ୍ୱେଣ୍ଟି ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କରିବ । ନଭେମ୍ବର ୮ରୁ ୧୫ ତାରିଖ ମଧ୍ୟରେ ଏହି  ସିରିଜ ଖେଳାଯବି । ସେଠାରୁ ଫେରିବା ପରେ ଦଳ  ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଖେଳିବା ପାଇଁ  ଅଷ୍ଟ୍ରେଲିଆ ଗସ୍ତ କରିବ । 

ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ  ଗୁଡ଼ିକୁ ନଜରରେ ରଖି ସିନିୟର ଖେଳାଳିଙ୍କୁ ବିଶ୍ରାମ  ଦେବାକୁ ପ୍ରସ୍ତାବ ରହିଛି । ରୋହିତ ଓ କୋହଲି ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଛନ୍ତି । ମାତ୍ର ବୁମରା  ସବୁ ଫର୍ମାଟ୍‌ ଖେଳୁଛନ୍ତି ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସହ ରାହୁଲ ଦ୍ରାବିଡଙ୍କ  କାର୍ଯ୍ୟକାଳ ଶେଷ ହୋଇଛି । ତେଣୁ ଶ୍ରୀଲଙ୍କା ଗସ୍ତରୁ  ନୂଆ କୋଚ୍‌ଙ୍କ କାର୍ଯ୍ୟ ଆରମ୍ଭ ହେବ । ବିସିସିଆଇ  ପରାମର୍ଶଦାତା କମିଟି ଇତି ମଧ୍ୟରେ ମୁଖ୍ୟ  କୋଚ୍‌ ପାଇଁ ଗୌତମ ଗମ୍ଭୀର ଓ ଡବ୍ଲ୍ୟୁ ରମଣଙ୍କ ସାକ୍ଷାତକାର ନେଇ ସାରିଛି । 

ସହକାରୀ କୋଚ୍‌ ପାଇଁ ଆବେଦନ ଆହ୍ୱାନ ବିସିସିଆ ପକ୍ଷରୁ ଟିମ ଇଣ୍ଡିଆର ସହକାରୀ କୋଚ୍‌ ପଦବୀ ପାଇଁ ଆବେଦନ ପତ୍ରର ଆହ୍ୱାନ କରାଯାଇଛି ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସହ ବ୍ୟାଟିଂ କୋଚ୍‌ ବିକ୍ରମ  ରାଠୋର, ବୋଲିଂ କୋଚ ପାରସ ମାହାମ୍ବ୍ରେ ଓ ଫିଲ୍ଡିଂ  କୋଚ ଟି ଦିଲ୍ଲୀପଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଯାହା ଜଣାପଡୁଛି ୯ ଜୁଲାଇରେ ହେବ ଔପଚାରିକ ଘୋଷଣା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.