ଗମ୍ଭୀରଙ୍କ ଖୁଲାସା : ଧୋନି କହିଲେ କି.. ତୁମେ ସମୟ ନେଇ ଶତକ କର, ଦରକାର ପଡିଲେ ମୁଁ ରିସ୍କ ନେଇ ବ୍ୟାଟିଂ କରିବି...

Published By : Prameya-News7 Bureau | January 14, 2023 IST

ମୁମ୍ବାଇ ୧୪।୦୧ : ଚର୍ଚ୍ଚାରେ ପୁଣି ୨୦୧୧ ବିଶ୍ୱକପ୍‌ । ୨୮ ବର୍ଷ ପରେ ଭାରତୀୟ ଟିମ୍‌ ବିଶ୍ୱକପ୍‌ ଜିତି ଇତିହାସ ରଚିଥିଲା । ହେଲେ ୨୦୧୧ ବିଶ୍ୱକପ୍‌ ଜିତିବାର ୧୨ ବର୍ଷରେ ଫାଇନାଲ ମ୍ୟାଚ୍‌କୁ ନେଇ ଚର୍ଚ୍ଚା ଥମୁନି । ଏହି ଚର୍ଚ୍ଚାରେ ଆଉ ଏକ ନୂଆ ନାମ ଯୋଡି ହୋଇଛି । ତାହା ହେଉଛି ଫାଇନାଲ ମ୍ୟାଚ୍‌ର ଷ୍ଟାର ବ୍ୟାଟସମ୍ୟାନ୍‌ ଥିବା ଗୌତମ ଗମ୍ଭୀରଙ୍କ ବୟାନ ଲାଗି ।

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ଚାଲିଥିବା ବେଳେ ଗୌତମ ଗମ୍ଭୀର କମେଣ୍ଟ୍ରି କରୁଥିଲେ । ଏହି ସମୟରେ ଗମ୍ଭୀର ୨୦୧୧ ବିଶ୍ୱକପ୍ ଫାଇନାଲ ମ୍ୟାଚ୍‌କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ସେ କହିଥିଲେ ବିରାଟ କୋହଲିଙ୍କ ଓ୍ୱିକେଟ୍‌ ପତନ ପରେ ଧୋନି ପଡିଆକୁ ଆସିଥିଲେ । ଧୋନି ଏବଂ ମୁଁ (ଗମ୍ଭୀର) ମିଶି ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ । ଟିମ୍‌କୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇଥିଲୁ ।

କିଛି ସମୟର ଖେଳ ପରେ ମୋର ବ୍ୟକ୍ତିଗତ ସ୍କୋର ଶତକ ନିକଟବର୍ତ୍ତୀ ହୋଇଯାଇଥିଲା । ଏହି ସମୟରେ ଧୋନି ମୋ ପାଖକୁ ଆସି କହିଲେ କି, ତୁମେ କ୍ରିଜ୍‌ରେ ସମୟ ନିଅ ଏବଂ ନିଜର ଶତକ ପୁରା କର । ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଯଦି ମ୍ୟାଚ୍‌ରେ ଦରକାର ପଡିଲା, ତେବେ ମୁଁ ରିସ୍କ ନେଇ ଆକ୍ରାମକ ବ୍ୟାଟିଂ କରିବି ।   

ସେପଟେ କିନ୍ତୁ ଫାଇନାଲରେ ବ୍ୟକ୍ତିଗତ ଭାବେ ୯୭ ରନ୍‌ ଖେଳୁଥିବା ଗମ୍ଭୀର ଶୁଣିନଥିଲେ ଧୋନିଙ୍କ କଥା । ଆକ୍ରାମକ ବ୍ୟାଟିଂ କରିବାକୁ ଯାଇ କ୍ଲିନ୍‌ ବୋଲ୍ଡ ହୋଇଥିଲେ । ମାତ୍ର ଆଉ ୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ଗମ୍ଭୀର । ବ୍ୟକ୍ତିଗତ ଭାବେ ୯୭ ରନ୍‌ କରି ଆଉଟ ହୋଇଯାଇଥିଲେ ଗୌତମ ଗମ୍ଭୀର ।

ସୂଚନାଯୋଗ୍ୟ ଯେ, କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ୧୯୮୩ରେ ପ୍ରଥମ ବିଶ୍ୱକପ୍‌ ଟ୍ରଫି ଜିତିଥିଲା ।ଏହାପରେ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ୨ୟ ଥର ପାଇଁ ବିଶ୍ୱକପ୍‌ ଟ୍ରଫି ଜିତିଥିଲା ଭାରତ । ଏହି ମ୍ୟାଚ୍‌ ଗୌତମ ଗମ୍ଭୀର ଜବରଦସ୍ତ ବ୍ୟାଟିଂ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.