ଉଦୟପୁର ୯।୧୨: ଡେଷ୍ଟିନେସନ ୱେଡିଂ ପାଇଁ ପ୍ରଶିଦ୍ଧ ସହର ରାଜସ୍ଥାନର ଉଦୟପୁର ଆଉ ଏକ ହାଇପ୍ରୋଫାଇଲ ଇଭେଣ୍ଟର ସାକ୍ଷୀ ହେବାକୁ ଯାଉଛି। ଆଦାନୀ ଗ୍ରୁପର ଚେୟାରମ୍ୟାନ ଓ ଦେଶର ବଡ଼ ବିଜନେସମ୍ୟାନ୍ ଗୌତମ ଆଦାନୀଙ୍କ କନିଷ୍ଠ ପୁତ୍ର ଜିତ ଆଦାନୀଙ୍କ ପ୍ରି-ୱେଡିଂ ସେରିମନି ଉଦୟପୁରରେ ୧୦ ଓ ୧୧ ଡିସେମ୍ବରରେ ଅନୁଷ୍ଠିତ ହେବ। ଏଥିଲାଗି ୩ ଲଗଜୁରୀ ଫାଇଭଷ୍ଟାର ହୋଟେଲ ବୁକ୍ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନେକ ବଡ଼ ବିଜନେସମ୍ୟାନସ ରାଜନେତା ଓ ହାଇପ୍ରୋଫାଇଲ ଅତିଥି ଯୋଗ ଦେଇପାରନ୍ତି।
ଏହି ଆୟୋଜନ ଉଦୟପୁରର ସୌନ୍ଧର୍ଯ୍ୟ ଓ ଭବ୍ୟତାକୁ ଆହୁରି ବଢାଇ ଦେବ। ଆଦାନୀ ପରିବାରର ଏହି ଆୟୋଜନ ପୁଣି ଥରେ ଉଦୟପୁରକୁ ହାଇପ୍ରୋଫାଇଲ ଉତ୍ସବର ଗଡ଼ରେ ପରିଣତ କରିଛି। ରିପୋର୍ଟ ଅନୁସାରେ ଆଦାନୀ ପରିବାର ତାଜ୍ ଲେକ୍ ପ୍ୟାଲେସ୍, ଲିଲା ପ୍ୟାଲେସ, ଓ ଉଦୟ ବିଳାଶ ହେଟେଲକୁ ଏହି ଆୟୋଜନ ପାଇଁ ବାଛିଛନ୍ତି। ଏଥିରେ ସେରିମନି କାର୍ଯ୍ୟକ୍ରମ ଉଦୟ ବିଳାଶ ହୋଟେଲରେ ଅନୁଷ୍ଠିତ ହେବ।
ଜିତ ଆଦାନୀଙ୍କ ପ୍ରି-ୱେଡିଂକୁ ନେଇ ପ୍ରସ୍ତୁତି ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଉଦୟ ବିଳାଶ ହୋଟେଲର ସବୁଠୁ ବିଳାଶମୟ କୋହିନୁର ସୁଟ୍ର ଦୈନିକ ଭଡ଼ା ୧୦ଲକ୍ଷ ଟଙ୍କା। ତାଜ ଲେକ ପ୍ୟାଲେସ ଓ ଲିଲା ପ୍ୟାଲେସ ହୋଟେଲରେ ଅତିଥିଙ୍କ ରହଣୀ ବ୍ୟବସ୍ଥା କରାଯାଇଛି। ଗୌତମ ଆଦାନୀଙ୍କ କନିଷ୍ଠ ପୁତ୍ର ଜିତ୍ ଆଦାନୀଙ୍କ ନିର୍ବନ୍ଧ ଗତ ମାର୍ଚ୍ଚ ମାସରେ ବିଶିଷ୍ଟ ହୀରା ବ୍ୟବସାୟୀ ଜେମିନ ଶାହଙ୍କ ଝିଅ ଡିଭା ଶାହଙ୍କ ସହିତ ଅନୁଷ୍ଠିତ ହୋଇଥିଲା। ନିର୍ବନ୍ଧର ରିତିନୀତି ଅହମ୍ମଦାବାଦରେ ଆୟୋଜନ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ନିରାଡମ୍ବର ଥିଲା ଓ ଏଥିରେ କେବଳ ବନ୍ଧୁ ଓ ପରିବାର ବର୍ଗ ଯୋଗ ଦେଇଥିଲେ।
ଜିତ୍ ଆଦାନୀଙ୍କ ଶିକ୍ଷାଗତ ଯୋଗ୍ୟତାର କଥା କହିଲେ ସେ ପେନସିଲଭାନିଆ ୟୁନିଭର୍ସିଟିରୁ ଗ୍ରାଜୁଏସନ କରିଛନ୍ତି। ୨୦୧୯ ମସିହାରେ ସେ ଭାରତ ଫେରିବା ପରେ ଆଦାନୀ ଗ୍ରୁପ ସହିତ ସଂସ୍ଲିଷ୍ଟ ଅଛନ୍ତି। ବର୍ତ୍ତମାନ ସେ ଫାଇନାନ୍ସ ବିଭାଗରେ ଭାଇସପ୍ରେସିଡେଣ୍ଟ ରୂପେ କାର୍ଯ୍ୟରତ ଅଛନ୍ତି। ଆଦାନୀ ପରିବାର ଗତ ନଭେମ୍ବର ମାସରେ ଉଦୟପୁର ଆସିଥିଲେ। ଏହି ସମୟରେ ସେମାନେ ଆୟୋଜନର ନିରୀକ୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମ କେବଳ ସଙ୍ଗୀତ ଓ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଯୋଗୁ ରାଜସ୍ଥାନର ସୁନ୍ଦରତା ଆହୁରି ବି ଖାସ ହେବ।