ଗୌତମ ଆଦାନୀଙ୍କ ବଡ଼ ଘୋଷଣା, ଛାଡିବେ ଗ୍ରୁପ ଚେୟାରମ୍ୟାନ୍‌ ପଦ !

Published By : Prameya-News7 Bureau | August 09, 2024 IST

ନୂଆଦିଲ୍ଲୀ ୦୯।୦୮: ଏସିଆର ଏକ ନମ୍ବର ଧନୀ । ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ । ନିକଟରେ କରିଛନ୍ତି ବଡ ଘୋଷଣା । ନିଜ ରିଟାୟରମେଣ୍ଟକୁ ନେଇ ଦେଲେ ବଡ ଖବର । ୭୦ ବର୍ଷ ବୟସରେ ଛାଡିବେ ଗ୍ରୁପ ଚେୟାରମ୍ୟାନ୍‌ ପଦ । ହସ୍ତାନ୍ତର କରିବେ କୋଟି କୋଟିର ସମ୍ପତ୍ତି । କିନ୍ତୁ କାହାକୁ ? ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ । 

୬୨ ବର୍ଷୀୟ ଗୌତମ ଆଦାନୀଙ୍କ ପାଖରେ ଆଉ ମାତ୍ର ୬ ବର୍ଷ । ଏହାପରେ ନେବେ ରିଟାୟରମେଣ୍ଟ । ୨୦୩୦ ଦଶକରେ କମ୍ପାନୀ ପାଇବ ନୂଆ ମାଲିକ ।  ତେବେ ପ୍ରଥମ ଥର ପାଇଁ ଗୌତମ ଆଦାନୀ ନିଜ ଉତ୍ତରାଧୀକାରୀଙ୍କୁ ନେଇ କରିଛନ୍ତି ଆଲୋଚନା । ଆସନ୍ତୁ ଜାଣିବା ତାଙ୍କ କୋଟିକୋଟି ସମ୍ପତ୍ତିର ସାମ୍ରାଜ୍ୟ କାହାକୁ ଦେବେ ଆଦାନୀ ?  

ଏସିଆର ଦିଗ୍ଗଜ ବ୍ୟବସାୟୀ ଗୌତମ ଆଦାନୀ । ୭୦ ବର୍ଷ ବୟସରେ ଅବସର ନେବା ପରେ ଗ୍ରୁପର କମାଣ ତାଙ୍କ ପୁଅ ଏବଂ ପୁତୁରାଙ୍କୁ କରିବେ ହସ୍ତାନ୍ତର । ବ୍ଲୁମବର୍ଗଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି ଗୌତମ ଆଦାନୀ । ଯେତେବେଳେ ଆଦାନୀ ଅବସର ନେବେ, ସେତେବେଳେ ତାଙ୍କର ୪ ଜଣ ହେବେ ଉତ୍ତରାଧିକାରୀ । ପୁଅ କରନ ଏବଂ ଜିତ, ତାଙ୍କ ପୁତୁରା ପ୍ରଣବ ଏବଂ ସାଗର ।  

ଆଦାନୀ ଗ୍ରୁପ୍‌ର ୱେବସାଇଟ୍ ଅନୁଯାୟୀ ଗୌତମ ଆଦାନୀଙ୍କ ବଡ଼ ପୁଅ କରନ, ଆଦାନୀ ବନ୍ଦରର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଏହାବ୍ୟତୀତ ସାନପୁଅ ଜିତ ଆଦାନୀ ଏୟାରପୋର୍ଟର ନିର୍ଦ୍ଦେଶକ। ପ୍ରଣବ ଆଦାନୀ ଉଦ୍ୟୋଗର ନିର୍ଦ୍ଦେଶକ ଏବଂ ସାଗର ଆଦାନୀ ଗ୍ରୀନ୍ ଏନର୍ଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି। ଏବେ ପ୍ରଶ୍ନ ଆସୁଛି କମ୍ପାନୀର କିଏ ହେବେ ଚେୟାରମ୍ୟାନ୍‌ ?

ତେବେ ଚେୟାରମ୍ୟାନ୍‌ ହେବା ପାଇଁ କରନ ଏବଂ ପ୍ରଣବ ହେଉଛନ୍ତି ସବୁଠାରୁ ମଜବୁତ ପ୍ରାର୍ଥୀ । ଗୌତମ ଆଦାନୀ କହିଛନ୍ତି କି ଗ୍ରୁପର କମାଣ ଏକ ଭଲ ସିଷ୍ଟମେଟିକ୍‌ ଭାବେ ପରବର୍ତ୍ତୀ ପିଢୀ ପାଖରେ ପହଞ୍ଚିବ । ତାର ବିକଳ୍ପ ସେ ଆଗାମୀ ପିଢୀ ଉପରେ ଛାଡି ଦେଇଛନ୍ତି । 

ଏହାକୁ ନେଇ ଗୌତମ ଆଦାନୀଙ୍କ ଯୁବପିଢୀ କହିଛନ୍ତି କି  ଯେତେବେଳେ ବି ଗୌତମ ଆଦାନୀ ନିଜ ପଦ ଛାଡିବେ ସେତେବେଳେ ପରବର୍ତ୍ତି ପିଢୀ ଏହାକୁ ଏକ ପରିବାରର ଯୋଜନା ଭାବେ ସମ୍ଭାଳିବେ । ରିପୋର୍ଟ ଅନୁଯାୟୀ ୪ ଉତ୍ତରାଧୀକାରୀଙ୍କୁ ଫ୍ୟାମିଲି ଟ୍ରଷ୍ଟର ସମାନ ସମାନ ଅଂଶ ମିଳିବ ।   

ଆଦାନୀ ଗ୍ରୁପର ପୋର୍ଟଫୋଲିଓ ବିଷୟରେ କହିବାକୁ ଗଲେ ଏଥିରେ ୧୦ଟି କମ୍ପାନୀ ରହିଛି । ଯାହାର ମୋଟ ବଜାର କ୍ୟାପ୍ ପ୍ରାୟ ୨୧.୩ ହଜାର କୋଟି ଡଲାର ଅଟେ । ଗ୍ରୁପର ବ୍ୟବସାୟ ଭିତ୍ତିଭୂମି, ବନ୍ଦର, ପରିବହନ, ସିମେଣ୍ଟ, ସୌର ଶକ୍ତି ଇତ୍ୟାଦି କ୍ଷେତ୍ରଗୁଡିକରେ ବ୍ୟାପିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.