ଆମେରିକାର ଲାଞ୍ଚ ଅଭିଯୋଗରେ ମୁହଁ ଖୋଲିଲେ ଆଦାନୀ: ପ୍ରତ୍ୟୋକ ଆକ୍ରମଣ ଆମକୁ ମଜଭୁତ କରୁଛି

Published By : Prameya-News7 Bureau | November 30, 2024 IST

indiatoday

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କ ଉପରେ ଆମେରିକା ଲାଞ୍ଚ କାରବାର ଅଭିଯୋଗ ଲଗାଇବାରେ ପ୍ରଥମ ଥର ପାଇଁ ଖୋଲାଖୋଲି ବୟାନ ଦେଇଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ୍ ଗୌତମ ଆଦାନୀ। ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଦାନୀ କହିଛନ୍ତି ଯେ ଆଦାନୀ ଗ୍ରୁପର କୌଣସି ବ୍ୟକ୍ତି ଫରେନ କରପ୍ଟ ପ୍ରାକ୍ଟିସ୍ ଆକ୍ଟ(FCPA)ରେ ମାମଲା ଭୁକ୍ତ ନୁହଁନ୍ତି। ଆମ ଗ୍ରୁପର କୌଣସି ବ୍ୟକ୍ତିଙ୍କ ନାଁରେ ଏହି ଆଇନ ବଳରେ କୌଣସି ମାମଲା ହୋଇ ନାହିଁ।

ଗୌତମ ଆଦାନୀ ଜୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ଅନୁଭୂତି ଏବଂ ବ୍ୟବସାୟିକ ରାସ୍ତାରେ ଦେଖା ଦେଇଥିବା ଆହ୍ୱାନ ବିଷୟରେ ଖୋଲାଖୋଲି ମଞ୍ଚରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଆମେ ଯେତିକି ସଫଳତା ହାସଲ କରିଛୁ, ସେତିକି ଆହ୍ୱାନ୍‌ର ମଧ୍ୟ ସାମ୍ନା କରିଛୁ। କିନ୍ତୁ ଚ୍ୟାଲେଞ୍ଜ୍ ଆମକୁ ଭାଙ୍ଗିପାରି ନାହିଁ, ବରଂ ଆମେ ଅଧିକ ଶକ୍ତିଶାଳୀ କରିଛି ବୋଲି ଆଦାନୀ କହିଛନ୍ତି। 

ଆମେରିକାର ଅଭିଯୋଗ ସମ୍ପର୍କରେ ବୟାନ ଦେଇ ଆଦାନୀ କହିଛନ୍ତି “ଆମେରିକାରୁ ଆମ ବିରୁଦ୍ଧରେ କିଛି ଅଭିଯୋଗ ଆସିଥିଲା, କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଫରେନ କରପ୍ଟ ପ୍ରାକ୍ଟିସ୍ ଆକ୍ଟ (ଏଫସିପିଏ) ଅନୁଯାୟୀ ଆଦାନୀ ଗ୍ରୁପରୁ କୌଣସି ବ୍ୟକ୍ତି ଅଭିଯୋଗରେ ସମ୍ମୁଖୀନ  ହୋଇ ନାହାଁନ୍ତି। ନକାରାତ୍ମକତା ଦ୍ରୁତ ଗତିରେ ବ୍ୟାପିଥାଏ, କିନ୍ତୁ ଏହା ଆମର ଉନ୍ନତିକୁ ଅଟକାଇ  ପାରିବ ନାହିଁ।” 

ଆଦାନୀ ଆହୁରି କହିଥିଲେ ଯେ ତୁମେ ଆଗକୁ ବଢ଼ିବା ସହିତ ଯାଞ୍ଚ ମଧ୍ୟ ଅଧିକ ହେବ। କିନ୍ତୁ ପ୍ରକୃତ ସଫଳତା ହେଉଛି ତୁମେ ସେହି ଯାଞ୍ଚରେ ମଧ୍ୟ ଦୃଢ଼ ହୋଇ ଛିଡ଼ା ହେବା ଉଚିତ। ଆମର ନୀତି ପ୍ରତି ଆମର ପ୍ରତିବଦ୍ଧତା ସର୍ବଦା ଦୃଢ଼ ରହିଛି। ଆଉ ଏହା ହିଁ ଆମକୁ ଆଗକୁ ବଢ଼ିବାକୁ ବଳ ଯୋଗାଉଛି ବୋଲି ଆଦାନୀ କହିଛନ୍ତି। 

ଚ୍ୟାଲେଞ୍ଜକୁ ଭୟ କରିବା ପରିବର୍ତ୍ତେ ଏଥିରୁ କିଛି ଶିଖିବା ଉଚିତ ବୋଲି ଗୌତମ ଆଦାନୀ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଆଦାନୀ ଗ୍ରୁପ୍ ପ୍ରତ୍ୟେକ ସମସ୍ୟାକୁ ଏକ ନୂଆ ସୁଯୋଗ ଭାବରେ ଦେଖିଛି ଓ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। 

ଆଦାନୀଙ୍କ ବିରୋଧରେ ଲାଗିଥିବା ଅଭିଯୋଗ

ନ୍ୟୁୟର୍କର ଫେଡେରାଲ କୋର୍ଟରେ ଶୁଣାଣି ସମୟରେ ଗୌତମ ଆଦାନୀଙ୍କ କମ୍ପାନୀ ଆମେରିକାରେ ନିବେଶକଙ୍କୁ ଠକିବା ଏବଂ ସୋଲାର କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଭାରତୀୟ ଅଧିକାରୀଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ଲଗାଇଥିଲେ। ଅଭିଯୋଗ ଅନୁସାରେ, ୨୦୨୦ ରୁ ୨୦୨୪ ମଧ୍ୟରେ ଆଦାନୀ ଗ୍ରୀନ୍ ଏବଂ ଆମେରିକାର ଏଜ୍ୟୋର ପାୱାର ଗ୍ଲୋବାଲକୁ ଏହି ସୋଲାର ପ୍ରୋଜେକ୍ଟ ଦେବା ପାଇଁ ବେଆଇନ ଭାବେ ଭାରତୀୟ ଅଫିସରଙ୍କୁ  ୨୬୫ ନିୟୁତ ଡଲାର (ପ୍ରାୟ ୨୨୩୬ କୋଟି ଟଙ୍କା) ଲାଞ୍ଚ  ଦିଆଯାଇଥିଲା। 

କେବଳ ସେତିକି ନୁହେଁ, ଲାଞ୍ଚ ମାମଲା ଆମେରିକୀୟ କମ୍ପାନୀ ଯଥା ଏଜ୍ୟୋର ପାୱାର ଗ୍ଲୋବାଲକୁ ମଧ୍ୟ ଆଦାନ ଗ୍ରୁପ ଲୁଚାଇଥିଲା ବୋଲି କୋର୍ଟ ଅଭିଯୋଗ ଲଗାଇଥିଲେ। ଏହି ଡିଲ୍‌ରେ ୨୦ ବର୍ଷରେ ଦୁଇ ବିଲିୟନ ଡଲାରରୁ ଅଧିକ ଲାଭ ଆକଳନ କରାଯାଇଥିଲା। ଏହାର  ଫାଇଦା ଉଠାଇବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଋଣ ଏବଂ ବଣ୍ଡ ବୃଦ୍ଧି ସଂଗ୍ରହ କରାଯାଇଥିଲା। ତେବେ ଅଭିଯୋଗ କିନ୍ତୁ ଆଦାନୀ ଗ୍ରୁପ ଖଣ୍ଡନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.