ଗୌତମ ଆଦାନୀଙ୍କ ୬୦% ସଂପତ୍ତି ସ୍ଵାହା, ପ୍ରତି ସପ୍ତାହରେ ହରାଇଛନ୍ତି ୩୦୦୦ କୋଟି

Published By : Prameya-News7 Bureau | March 22, 2023 IST

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ମୋଟ୍ ସଂପତ୍ତି ସର୍ବୋଚ୍ଚସ୍ତରରୁ ଏ ପର୍ଯ୍ୟନ୍ତ ୬୦ ପ୍ରତିଶତ ହ୍ରାସ ପାଇଛି। ଗତ ଗୋଟିଏ ବର୍ଷରେ ପ୍ରତି ସପ୍ତାହରେ ପାଖାପାଖି ୩୦୦୦ କୋଟି ଟଙ୍କା ସେ ହରାଇଛନ୍ତି। ବୁଧବାର ଜାରି M3M Hurun Global Rich List, 2023 ଅନୁଯାୟୀ, ଆଦାନୀଙ୍କ ମୋଟ୍ ସଂପତ୍ତିର ପରିମାଣ ୫୩ ବିଲିୟନ ଡଲାର ରହିଛି। ଗତ ଜାନୁଆରୀ ୨୪ରେ  ପ୍ରକାଶିତ ହିଣ୍ଡେନବର୍ଗର ରିପୋର୍ଟ ପରଠୁ ଆଦାନୀଙ୍କ ସଂପତ୍ତି ହ୍ରାସ ପାଇ ଚାଲିଛି। ସେ ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ଦ୍ଵିତୀୟରୁ ଖସି ୨୩ମ ସ୍ଥାନରେ ପହଞ୍ଚିଛନ୍ତି।

ହୁରୁନ ଇଣ୍ଡିଆ ଅନୁଯାୟୀ, ଆଦାନୀଙ୍କ ନେଟ୍‌ଓ୍ଵର୍ଥରେ ୨୮ ବିଲିୟନ ଡଲାର ହ୍ରାସ ଘଟିଛି। ଫଳରେ ସେ ଭାରତର ସବୁଠୁ ଧନୀ ବ୍ୟକ୍ତିର ମାନ୍ୟତା ହରାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୮୨ ବିଲିୟନ ଡଲାରର ମୋଟ୍ ସଂପତ୍ତି ସହ ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ରହିଛନ୍ତି।

ଗୌତମ ଆଦାନୀ ଏବଂ ତାଙ୍କ ପରିବାରର ସଂପତ୍ତିରେ ୩୫ ପ୍ରତିଶତ ହ୍ରାସ ଘଟିଛି। ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ପରିବାରର ନେଟ୍‌ଓ୍ଵର୍ଥ ନିଜର ସର୍ବୋଚ୍ଚସ୍ତରରୁ ୬୦ ପ୍ରତିଶତ କମ ହୋଇଛି। ଏହି ସମୟରେ ଆଦାନୀଙ୍କ ସହିତ ମୁକେଶ ଅମ୍ବାନୀଙ୍କ ସଂପତ୍ତି ମଧ୍ୟ ୨୦ ପ୍ରତିଶତ ହ୍ରାସ ଘଟିଛି। ଅମ୍ବାନୀ ସଂପ୍ରତି ଦୁନିଆର ଧନୀ ବ୍ୟକ୍ତି ତାଲିକାରେ ନବମ ସ୍ଥାନରେ ଅଛନ୍ତି। ଡିମାର୍ଟ ନାମରୁ ରିଟେଲ୍‌ ଚେନ୍ ଚଲାଉଥିବା  କମ୍ପାନି ଏଭେନ୍ୟୁ ସୁପରମାର୍ଟ୍ସର ରାଧାକିଶନ ଦାମାନୀ ଏବଂ ତାଙ୍କ ପରିବାରର ମୋଟ୍ ସଂପତ୍ତି ଏହି ସମୟରେ ୩୦ ପ୍ରତିଶତ ହ୍ରାସ ଘଟି ୧୬ ବିଲିୟନ ଡଲାରରେ ରହିଛି। ଆଉ ସେ ଦୁନିଆର ଶୀର୍ଷ ୧୦୦ ଧନୀଙ୍କ ତାଲିକାରୁ ବାଦ୍ ପଡିଛନ୍ତି।

କାହାର ସଂପତ୍ତି ବଢିଲା

କୋଟକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ଉଦୟ କୋଟକଙ୍କ ସଂପତ୍ତି ଏହି ସମୟରେ ୧୩ ପ୍ରତିଶତ ହ୍ରାସ ସହ ୧୪ ବିଲିୟନ ଡଲାରରେ ରହିଛି। ସେ ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୩୫ତମ ସ୍ଥାନରେ ଅଛନ୍ତି। ଭ୍ୟାକ୍ସିନ କିଙ୍ଗ ନାମରେ ପରିଚିତ ସିରମ ଇନଷ୍ଟିଚ୍ୟୁଟ୍‌ର ସାଇରସ୍ ପୁନାଓ୍ଵାଲାଙ୍କ ସଂପତ୍ତି ଗତ ଏକ ବର୍ଷରେ ୪ ପ୍ରତିଶତ ବଢି ୨୭ ବିଲିୟନ ଡଲାରରେ ପହଞ୍ଚିଛି। ହୁରୁନର ଗ୍ଲୋବାଲ୍‌ ଲିଷ୍ଟରେ ୧୮୭ ଭାରତୀୟ କୋଟିପତି ଅଛନ୍ତି। ଅର୍ଥାତ ଏହି ଲୋକଙ୍କ ନିକଟରେ ୮୦୦୦ କୋଟିରୁ  ଅଧିକ ସଂପତ୍ତି ରହିଛି। ଭାରତଠୁ ଅଧିକ କୋଟିପତି କେବଳ ଆମେରିକା ଏବଂ ଚୀନରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷରେ ଦୁନିଆର କୋଟିପତିଙ୍କ ତାଲିକାରେ ଭାରତର ଯୋଗଦାନ ଲଗାତାର ବଢିବାରେ ଲାଗିଛି। ବର୍ତ୍ତମାନ ଏଥିରେ ଭାରତର ଯୋଗଦାନ ୮ ପ୍ରତିଶତରେ ପହଞ୍ଚିଛି। ହୁରୁନ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୩ରେ କୋଟିପତିଙ୍କ ସଂଖ୍ୟାରେ ୮ ପ୍ରତିଶତ ହ୍ରାସ ଘଟିଛି। ମୋଟ୍ ୧,୦୭୮ କୋଟିପତିଙ୍କ ସଂପତ୍ତିରେ ବୃଦ୍ଧି ଦେଖିବାକୁ ମିଳିଛି। ଏଥିରେ ୧୭୬ ନୂତନ ଚେହେରା ସାମିଲ୍। ସେହିପରି ୨୪୭୯ କୋଟିପତିଙ୍କ ସଂପତ୍ତିରେ ହ୍ରାସ ପରିଲଖିତ ହୋଇଛି। ଆଉ ୪୪୫ କୋଟିପତି ତାଲିକାରୁ ବାଦ୍ ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.