ଖେଳୁ ଖେଳୁ ଗାତରେ ପଡିଗଲା ଶିଶୁ, ଅସାବଧାନତା ହେତୁ ଚାଲିଗଲା ଜୀବନ
18/08/2022 at 2:59 PM

ନୀଳଗିରି ୧୮/୦୮: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ବେଗୁନିଆ ପଞ୍ଚାୟତରେ ଦୀର୍ଘ ଦିନ ଧରି ମେଗା ପ୍ରକଳ୍ପ ଯୋଜନାରେ ପାଣି ଟାଙ୍କି କାମ ଚାଲିଆସୁଥିଲା । ହେଲେ ହଠାତ୍ ଆଜି ଅଘଟଣ ଘଟିଛି । ପାଣି ଟାଙ୍କି ନିକଟରେ ଏକ ଅସ୍ଥାୟୀ କୁଣ୍ଡ ମଧ୍ୟ ନିର୍ମାଣ ହୋଇଥିଲା ।
ଲଗାଣ ବର୍ଷା କାରଣରୁ କୁଣ୍ଡରେ ପାଣି ଭର୍ତି ହୋଇଯାଇଥିଲା । ସଂପୃକ୍ତ ଠିକାଦାର ଏଥିରେ କୌଣସି ସୁରକ୍ଷା ପାଇଁ ତାରବାଡ଼ କିମ୍ବା ସ୍ଲାବ କରିନଥିଲେ । ବେଗୁନିଆ ଗାଁର ଗୋବିନ୍ଦ ସିଂଙ୍କ ୫ବର୍ଷର ପୁଅ କିରଣ ଖେଳୁ ଖେଳୁ ଅସାବଧାନତା କାରଣରୁ କୁଣ୍ଡରେ ଖସିପଡିଥିଲେ ।
ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଠିକାଦାରଙ୍କ ଅବହେଳା ପାଇଁ ଏକ ନିରୀହ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଛି ।