ଗ୍ୟାସ୍ ଚୁଲି ଉପରେ ଲାଗିବ କି ବ୍ୟାନ? ଜାଣନ୍ତୁ କଣ କହୁଛନ୍ତି ଆମେରିକୀୟ ଗବେଷକ
24/01/2023 at 6:26 PM

ନୂଆଦିଲ୍ଲୀ ୨୪।୧: ରୋଷେଇ ଲାଗି ବ୍ୟବହୃତ ହେଉଥିବା ରୋଷେଇ ଗ୍ୟାସ୍ ଓ ଚୁଲାକୁ ନେଇ ଆମେରିକାରୁ ଯେଉଁ ଖବର ଆସୁଛି, ତାହା ଏବେ ଭାରତରେ ଲୋକଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ଏକ ଗବେଷଣାରୁ ଘରେ ରୋଷେଇ ଲାଗି ବ୍ୟବହୃତ ହେଉଥିବା କୁକିଂ ଗ୍ୟାସ୍ରୁ ଅନେକ ବିଷାକ୍ତ ତତ୍ୱ ବାହାରୁଛି ଯାହା ସ୍ୱାସ୍ଥ୍ୟ ପକ୍ଷେ କେବଳ କ୍ଷତିକାରକ ନୁହେଁ ଅତ୍ୟନ୍ତ କ୍ଷତିକାରକ ମଧ୍ୟ। ଗବେଷଣା ରିପୋର୍ଟ ପରେ ଆମେରିକାରେ କୁକିଂ ଗ୍ୟାସ୍ ଓ ଚୁଲା ଉପରେ କଟକଣା ଲଗାଇବାକୁ ଏବେ ବିଚାର କରାଯାଉଛି।

ଏବେ ଏହି କଥାକୁ ନେଇ ଭାରତରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଯଦି ଆମେରିକାରେ କୁକିଙ୍ଗ ଗ୍ୟାସ୍ ବ୍ୟାନ ହୁଏ ତେବେ ଭାରତରେ କଣ ଏହା ଆଗକୁ ନିଷିଦ୍ଧ ହେବ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକ ରିପୋର୍ଟ ଅନୁସାରେ ଆମେରିକାନ କଞ୍ଜ୍ୟୁମର ପ୍ରଡକ୍ଟ ସେଫ୍ଟି କମିଶନ (ସିପିଏସସି) ଘର ଭିତରେ ଗ୍ୟାସ ଚୁଲାର ବ୍ୟବହାର ନେଇ ଜରୁରି ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ କହିଛନ୍ତି। ଯଦି ମାନଦଣ୍ଡ ଠିକ୍ରେ ନିର୍ଦ୍ଧାରିତ ନ ହୁଏ ତେବେ ଦେଶରେ କୁକିଙ୍ଗ ଗ୍ୟାସ୍କୁ ବ୍ୟାନ କରାଯାଇପାରେ। ସିପିଏସଇ କମିଶନର ଏକ ଟ୍ୱିଟ୍ରେ ଗ୍ୟାସ୍ ଚୁଲାରୁ ବାହାରୁଥିବା ବିପଦଜନକ ରସାୟନିକ ମଣିଷ ଜୀବନ ଲାଗି ବିପଦଜନକ, ଏଣୁ ଏଥିରୁ ବର୍ତ୍ତିବା ଲାଗି ଏଜେନ୍ସୀ ଏହା ଉପରେ ପ୍ରତିବନ୍ଧକ ଜାରି କରିବେ ବୋଲି କହିଛନ୍ତି।

‘ଦି ଗାର୍ଡିଆନ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରକି ମାଉଣ୍ଟେନ ଇନଷ୍ଟିଚ୍ୟୁଟର ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଘରେ ରୋଷେଇ ଗ୍ୟାସ୍ରୁ ନିର୍ଗତ ହେଉଥିବା ପ୍ରଦୂଷଣ କୌଣସି ଜୀବିତ ପ୍ରାଣୀ ଲାଗି ଉପଯୁକ୍ତ ମନେ କରାଯାଇ ନପାରେ। ବିଶେଷ କରି ମଣିଷ ପାଇଁ ଏହା ଆଦୌ ନୁହେଁ ବୋଲି ସେମାନେ କହିଛନ୍ତି। ଏହି ଗବେଷଣାର ମୁଖ୍ୟ ବ୍ରେଡି ସିଲସ୍ କହିଛନ୍ତି ଯେ ଆମେ ଏପରି ଏକ ଦହନଶୀଳ ଉପକରଣର ଅଭ୍ୟସ୍ତ ହୋଇଯାଇଛେ ଯେ ଯାହାକୁ ଘରେ ଆଦୌ ସ୍ଥାନଦେବା କଥା ନୁହେଁ। ଏହି ଗବେଷଣାରେ ଘରେ ଜଳୁଥିବା ରୋଷେଇ ଗ୍ୟାସ୍ରୁ ବିଷାକ୍ତ ନାଇଟ୍ରୋଜେନ ଡାଇଅକ୍ସାଇଡ ଓ କାର୍ବନ ମନୋକ୍ସାଇଡ ଗ୍ୟାସ୍ ନିର୍ଗତ ହେଉଛି। ଯାହା ଘରେ ରହୁଥିବା ପିଲାଙ୍କ ଲାଗି ଅତ୍ୟନ୍ତ ବିପଦଜନକ।

ରିପୋର୍ଟରେ କୁହାଯାଇଛି ଯେ ଯେଉଁଘରମାନଙ୍କରେ ଅତ୍ୟଧିକ ଏଲପିଜି ଗ୍ୟାସ୍ର ଉପଯୋଗ ହେଉଛି ସେ ଘରେ ପିଲାଙ୍କ ଠାରେ ଆଜମାର ସମ୍ଭାବନା ୪୨ ପ୍ରତିଶତ ବଢିଯାଏ। ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣାରେ ପିଲାଦିନେ ଯେଉଁ ଶିଶୁଙ୍କୁ ଆଜମା ହୋଇ ଯାଉଛି ସେମାନଙ୍କ ମଧ୍ୟରୁ ୧୨.୩ ପ୍ରତିଶତ ରୁଗ୍ଣ ପିଲାଙ୍କ ଘରେ ଜଳୁଥିବା ଗ୍ୟାସ୍ ଷ୍ଟୋଭକୁ ଦାୟି କରାଯାଇପାରେ ବୋଲି କୁହାଯାଇଛି। ତେବେ କେବଳ ପିଲାଙ୍କ ଲାଗି ନୁହେଁ ବଡଙ୍କ ଲାଗି ମଧ୍ୟ ଏହି ରୋଷେଇ ଗ୍ୟାସ୍ ଅତ୍ୟନ୍ତ ବିପଦଜନକ। ରୋଷେଇ କରିବା ବେଳେ ଯେଉଁଥିରୁ ନାଇଟ୍ରୋଜେନ ଡାଇଅକ୍ସାଇଡ ଓ କାର୍ବନ ମନୋକ୍ସାଇଡ୍ ଉତ୍ସର୍ଜନ ହେଉଛି ତାହା ଯେ କୌଣସି ବ୍ୟକ୍ତିକୁ ପଲମୋନାରୀ ରୋଗରେ ପକାଇବା ନିଶ୍ଚିତ ବୋଲି କୁହାଯାଇଛି। ଏଥିଯୋଗୁ ମନୁଷ୍ୟକୁ ଗରମ ଜନିତ ସମସ୍ୟା ସାଙ୍ଗକୁ ସୁଗାର ଏପରିକି କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ ବଢିଯାଇଥାଏ ବୋଲି କୁହାଯାଇଛି।