ଜନତାଙ୍କ ପାଇଁ ଖୁସିର ଖବର, ୫୩ ଟଙ୍କା ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର
1/03/2020 at 12:43 PM

ନୂଆଦିଲ୍ଲୀ ୦୧। ୦୩- ହୋଲି ପୂର୍ବରୁ ସାଧାରଣ ଲୋକଙ୍କୁ ମିଳିଛି ବଡ ଆଶ୍ଵସ୍ତି। ତୈଳ ବିପଣନକାରୀ କମ୍ପାନୀ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦରରେ ବଡ ଧରଣର ହ୍ରାସ କରିଛନ୍ତି। ମାର୍ଚ୍ଚ ୦୧ ଅର୍ଥାତ ଆଜିଠୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ ସବ୍ସିଡି ଗ୍ୟାସ୍ ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ଅନ୍ୟପଟେ ୧୯ କିଲୋଗ୍ରାମ ବିଶିଷ୍ଠ ଘରୋଇ ସିଲିଣ୍ଡର ମଧ୍ୟ ୮୪.୫୦ ଟଙ୍କା ଶସ୍ତା ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ସଂପ୍ରତି ୮୫୮.୫୦ ଟଙ୍କାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ପରେ ଆଜିଠୁ ୮୦୫.୫୦ ଟଙ୍କାରେ ବିକ୍ରି ହେବ। ଏହି ନୂତନ ଦର ଆଜିଠୁ ଲାଗୁ ହୋଇଛି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ଅଣ ସବସିଡି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡରର ଦର ପ୍ରାୟ ୧୫୦ ଟଙ୍କା ବୃଦ୍ଧି ଘଟିଥିଲା। ଯାହା ଦେଶବାସୀଙ୍କୁ ଖୁବ୍ ବାଧିଥିଲା। ସେହି ସମୟରେ ସମସ୍ତ ମହାନଗରରେ ଅଣ ସବସିଡି ଗ୍ୟାସ୍ ମୂଲ୍ୟରେ ୧୪୪.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା। ଏହି ଦର ଫେବୃଆରୀ ୧୨ରୁ ଲାଗୁ ହୋଇଥିଲା। କିନ୍ତୁ ଏବେ ଗ୍ୟାସ୍ ସିଲିଣ୍ଡର ୫୩ ଟଙ୍କା ଶସ୍ତା ହେବା ନିଶ୍ଚିତ ରୂପେ ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେଇଛି।
ଇଣ୍ଡିଆନ ଓଏଲର ଓ୍ଵେବସାଇଟ୍ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ଅଣ ସବସିଡି ବିଶିଷ୍ଟ ୧୪.୨ କିଲୋଗ୍ରାମର ଗ୍ୟାସ୍ ସିଲିଣ୍ଡର ୮୦୫.୫୦ ଟଙ୍କା ହୋଇଛି। ସେହି ପରି କୋଲକାତାତାରେ ସିଲିଣ୍ଡରର ଦାମ ୮୩୯.୫୦ ଟଙ୍କା, ମୁମ୍ବାଇରେ ୭୭୬.୫୦୯ ଟଙ୍କା ଓ ଚେନ୍ନାଇରେ ଅଣ ସବସିଡି ବିଶିଷ୍ଟ ୧୪.୨ କିଲୋଗ୍ରାମର ଗ୍ୟାସ୍ ସିଲିଣ୍ଡର ୮୨୬ ଟଙ୍କା ରହିଛି।
ତୈଳ କମ୍ପାନୀ ୧୯ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ ମଧ୍ୟ ୮୪.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ ଗ୍ୟାସର ଦାମ୍ ୧୩୮୧.୫୦ ଟଙ୍କା ରହିଛି। ଅନ୍ୟପଟେ କୋଲକାତାରେ ୧୪୫୦ ଟଙ୍କା, ମୁମ୍ବାଇରେ ୧୩୩୧ ଟଙ୍କା ଓ ଚେନ୍ନାଇରେ ୧୫୦୧ ଟଙ୍କା ରହିଛି।