ଜେବର ଏୟାରପୋର୍ଟ କନଷ୍ଟ୍ରକ୍ସନ ସାଇଟ୍ରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ୯ ଆହତ , ୨ ଗୁରୁତର
20/01/2023 at 7:28 PM

ଗୌତମବୁଦ୍ଧନଗର ୨୦।୧: ଉତ୍ତର ପ୍ରଦେଶ ଗୌତମ ବୁଦ୍ଧନଗର ଅଞ୍ଚଳର ଜେବରରେ ନିର୍ମାଣାଧୀନ ନୋୟେଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିର୍ମାଣ ସ୍ଥଳ ନିକଟରେ ଶୁକ୍ରବାର ଭୀଷଣ ଦୁର୍ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ହେବା ଯୋଗୁ ୯ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜେବର ଅଞ୍ଚଳର କିଶୋର ପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ କିଶୋର ପୁର ଗାଁ ନିକଟରେ ନୋୟେଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିର୍ମାଣ ନିମନ୍ତେ ସାଇଟ୍କୁ ନିର୍ମାଣ ସାମଗ୍ରୀ ପହଞ୍ଚାଇବାକୁ ସଡକ ନିର୍ମିତ ହୋଇଛି। ଏହି ସଡକ କଡରେ ଗାଁ ଲୋକେ ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ଲାଗି ଚା ଦୋକାନ ସବୁ କରିଛନ୍ତି। ଏଠାରେ ନିର୍ମାଣ ଶ୍ରମିକ ଓ ଟ୍ରକ୍ରେ ନିର୍ମାଣ ସାମଗ୍ରୀ ନେଇ ଆସୁଥିବା ଟ୍ରକ୍ ଡ୍ରାଇଭର ଓ ହେଲପରମାନେ ଚା ପିଅନ୍ତି। ଏହି ସବୁ ଚା ଦୋକାନମାନଙ୍କରେ ବ୍ୟବସାୟୀମାନେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି। ଏଥିରେ ଅରବିନ୍ଦ ନାମକ ଚା ଦୋକାନରେ ରାତିରେ କର୍ମଚାରୀମାନେ ଚା ପିଉଥିବା ବେଳେ ଦୁର୍ଘଟଣା ହୋଇଥିଲା।
ଦୁର୍ଘଟଣାରେ ସେଠାରେ ଚା ପିଉଥିବା ୮ ଜଣ କର୍ମଚାରୀ ଓ ଦୋକାନ ମାଲିକ ଗୁରତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ଦୁର୍ଘଟଣା ସୂଚନା ପାଇ ଆଡିସନାଲ ଡିସିପି ହସ୍ପିଟାଲକୁ ଯାଇ ଆହତଙ୍କ ହାଲଚାଲ ପଚାରି ବୁଝିଛନ୍ତି। ୨ ଜଣଙ୍କୁ ବାଦ ଦେଲେ ଅନ୍ୟମାନେ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେବେ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ଡିସିପି କହିଛନ୍ତି।