scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରୋଷେଇ ଘରେ ପଡିଲା ଚଡକ, ମାସକ ଭିତରେ ଲମ୍ୱ ଡିଆଁ ମାରିଲା ରସୁଣ

9/12/2023 at 9:30 AM

କଟକ୦୯/୧୨: ଖାଉଟିଙ୍କୁ ଘାରିଛି ମହଙ୍ଗା ମାଡ । ଏବେ ତରକାରୀ କରିବାକୁ ଡରିଲେଣି ସାଧାରଣ ଲୋକେ । ଅଦା, ପିଆଜ, ରସୁଣ ନ ହେଲେ ପାଟିକୁ ସୁଆଦ ଲାଗିବନି ତରକାରୀ । ସେଥିପାଇଁ ଅଦା, ରସୁଣ କିଣିବାକୁ ଏବେ ଖାଉଟିଙ୍କୁ ବାଧୁଛି । ଅଦା ମୂଲ୍ୟ ସାମାନ୍ୟ କମିଥିବା ବେଳେ ମାସକ ଭିତରେ ରସୁଣ ମାରିଛି ଲମ୍ବ ଡିଆଁ ।

କାରଣ ହାଣ୍ଡିଶାଳକୁ ପହଞ୍ଚିବା ବେଳକୁ ରସୁଣ କିଲୋ ୨୫୦ ଟଙ୍କା ଛୁଇଁଲାଣି । ଛୋଟ ରସୁଣ କାଁ ଭାଁ ୨୦ ଟଙ୍କା କମ୍‌ ରହୁଛି ହେଲେ ଫାଇନ୍‌ ବଡ଼ ରସୁଣ ମୂଲଚାଲ କରିବା ମୁସ୍କିଲ୍‌ ହେଲାଣି । ଘରୋଇ ଉତ୍ପାଦନ କମ୍‌ ଏବଂ ରାଜ୍ୟ ବାହାରୁ ଆମଦାନୀ ପ୍ରଭାବିତ ହୋଇଥିବାରୁ ରସୁଣ ମୂଲ୍ୟ ଏବେ ଆକାଶଛୁଆଁ ହେଲାଣି । ଏନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି ।

ଆଇଁଷ ହେଉ କି ନିରାମିଷ ସାଦା, ତରକାରୀର ସ୍ୱାଦ ବଢ଼ାଇବାକୁ ରସୁଣ, ଅଦା ଖୋଜା ପଡ଼େ । ରୋଷେଇଘରଠୁ ଆରମ୍ଭ କରି ହୋଟେଲ, ରେସ୍ତୋରାଁ ଆଦିରେ ରସୁଣର ବହୁଳ ବ୍ୟବହାର କରାଯାଇଥାଏ । କଟକରେ ଛତ୍ରବଜାର ଓ ମାଲଗୋଦାମ ହେଉଛି ରସୁଣର ହୋଲସେଲ୍‌ ବଜାର । ଏଠାରୁ କଟକ ସହର ସମେତ ଆଖପାଖ ୧୦ ଜିଲ୍ଲାର ପରିବା ବଜାରକୁ ରସୁଣ ଯାଇଥାଏ ।

ମାଲଗୋଦାମ ଓ ଛତ୍ରବଜାରକୁ ସାଧାରଣତଃ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ରସୁଣ ଆସିଥାଏ । ପ୍ରାୟ ୭୦ ଭାଗ ରସୁଣ ଯୋଗାଇଥାଏ କେବଳ ଇନ୍ଦୋର୍‌ । ସେହିପରି ବେଙ୍ଗାଲୁରୁ, ସିଲିଗୁଡ଼ି, ଆନ୍ଧ୍ରପ୍ରଦେଶ ମୁଖ୍ୟତଃ ଓଡ଼ିଶାକୁ ଅଦା ଚାଲାଣ କରିଥାନ୍ତି । କଟକ ବଜାରକୁ ବିଚାରକୁ ନେଲେ ଏଠାକୁ ରାଜ୍ୟ ବାହାରୁ ସିଧାସଳଖ ଅଦା ଆସି ପହଞ୍ଚିଥାଏ ।

ମାଲଗୋଦାମ ଓ ଛତ୍ରବଜାର ସମେତ ବିନୋଦବିହାରୀ, କୃଷକ ବଜାର, ନୂଆବଜାର ଆଦି ବିଭିନ୍ନ ସ୍ଥାନର ବ୍ୟବସାୟୀ ସିଧାସଳଖ ଅଦା ଟ୍ରେଡର୍‌ଙ୍କଠାରୁ କିଣିଥାନ୍ତି । ପରେ ହୋଲସେଲ ମୂଲ୍ୟରେ ଖୁଚୁରା ବଜାରକୁ ଛାଡ଼ନ୍ତି । ଉପରୋକ୍ତ ସବୁ ବଜାରକୁ ମିଶାଇ ଦୈନିକ ପ୍ରାୟ ୧୦ କ୍ୱିଣ୍ଟାଲ୍‌ ଅଦା ଓ ୧୫ କ୍ୱିଣ୍ଟାଲ୍‌ ରସୁଣ କାରବାର ହୁଏ । ଅଦା, ରସୁଣର ବଜାର ଦୃଷ୍ଟିରୁ ଦେଖିଲେ ଏହା ଏତେ ବଡ଼ ନୁହେଁ । କିନ୍ତୁ ଚାହିଦା ରହିଥିବାରୁ ଏହାର ମୂଲ୍ୟ ଖାଉଟିଙ୍କ ଉପରେ ପ୍ରଭାବ ପକାଏ ।

କିଛି ଦିନ ଧରି ଅଦାର ମୂଲ୍ୟ ବଢ଼ିଚାଲିଥିଲା । ଏବେ ଏହା ଧୀରେ ଧୀରେ କମୁଥିବା ବେଳେ ରସୁଣ ମୂଲ୍ୟ ଲମ୍ବ ଡିଆଁ ମାରିଛି । ଫାଇନ୍‌ ତଥା ୧ନମ୍ବର ରସୁଣ ମୂଲ୍ୟ ଶୁକ୍ରବାର ହୋଲସେଲ୍‌ ବଜାରରେ ୨୧୦ଟଙ୍କା ରହିଥିବା ବେଳେ ଖୁଚୁରା ମାର୍କେଟ୍‌ରେ ୨୫୦ ଟଙ୍କାରେ ବିକ୍ରି ହେଉଛି । କାର୍ତ୍ତିକ ମାସ ସରିବା ପରେ ରସୁଣ ଓ ଅଦାର ଚାହିଦା ପୂର୍ବଭଳି ପୁଣି ବଢ଼ିଛି ।

ମୂଲ୍ୟବୃଦ୍ଧି ସମ୍ପର୍କରେ ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ରନାଥ ସାହୁ କହିଛନ୍ତି, ବାହାର ରାଜ୍ୟରେ ଅମଳ ପ୍ରଭାବିତ ହୋଇଥିବାରୁ ଆମଦାନୀ ପ୍ରଭାବିତ ହୋଇଛି । ଷ୍ଟକ୍‌ ପଏଣ୍ଟ୍‌ରେ ମୂଲ୍ୟ ଚଢ଼ା ରହିଛି । ଅଦା ମୂଲ୍ୟ କମିଥିବା ବେଳେ ରସୁଣ କମିବାକୁ ଆଉ କିଛି ଦିନ ସମୟ ଲାଗିବ ।

   Related Posts