କଟକ ୧୩/୮: କଟକ ସହରର ବହୁ ପୁରୁଣା ଗଡଗଡିଆ ଘାଟ । ବାହାରକୁ ସଫା ଦେଖାଯାଉଥିବା ଏହି ଘାଟକୁ ପାଖରୁ ଦେଖିଲେ ଚିତ୍ର ପୁରା ଅଲଗା । । ଯୁଆଡେ ଆଖି ବୁଲାଇଲେ କୁଢ କୁଢ ଅଳିଆ । ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ପ୍ରତିବର୍ଷ ଶ୍ରାବଣ ମାସରେ ବୋଲ୍ବମ୍ ଯାତ୍ରା ଆସିଲେ ଓଡ଼ିଶାର କୋଣ ଅନୁକୋଣରୁ ପାଣି ଉଠାଇବାକୁ ଏଠାକୁ ଧାଇଁ ଆସନ୍ତି କାଉଡିଆ ।
ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସର ତୃତୀୟ ସୋମବାର ପାଇଁ ଘାଟରେ ଏକତ୍ରିତ ହୋଇଥିଲେ ପ୍ରାୟ ୫୦ ହଜାରରୁ ଅଧିକ କାଉଡିଆ । ପ୍ରଥମେ ବେଶ ସଫା ଥିବା ଏହି ଘାଟର ଦୃଶ୍ୟ କିନ୍ତୁ କାଉଡିଆ ଯିବା ପରେ ପୁରା ବଦଳିଯାଇଛି । ବର୍ଜ୍ୟବସ୍ତୁରେ ଭର୍ତ୍ତି ହୋଇଯାଇଛି ପୁରା ଘାଟ । ସଫେଇ ପ୍ରତି କାହାରି ନଜର ନାହିଁ । ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କାଉଡିଆ ।
କାଉଡିଆ ଗଡଗଡିଆ ଘାଟ ସହ ଅନେକ ଐତିହାସିକ କଥା ଓ କିମ୍ବଦନ୍ତୀ ଯୋଡି ହୋଇ ରହିଛି । ବୋଲବୋମ୍ ଯାତ୍ରା ସହ ଗଡଗଡିଆ ଘାଟର ରହିଛି ଭିନ୍ନ ସଂପର୍କ । ବାଲିଯାତ୍ରା ପାଇଁ ମଧ୍ୟ ଏହି ଘାଟ ବେଶ ଜଣାଶୁଣା । ତେବେ ବାଲିଯାତ୍ରା ସମୟରେ ଏହି ଘାଟକୁ ଯେତିକି ପରିଷ୍କାର ରଖାଯାଏ । ଅନ୍ୟ କୌଣସି ସମୟରେ ଏହା ଦେଖିବାକୁ ମିଳେନା ।
ଗଡଗଡିଆ ଘାଟର ପରିଷ୍କାର ପରିଚ୍ଛନତା ଉପରେ ଧ୍ୟାନ ଦେବାକୁ ବିଭିନ୍ନ ମହଲରୁ ଦାବି ଉଠିବା ପରେ ସୌନ୍ଦର୍ଯ୍ୟକରଣୀ ପାଇଁ ଗତ କିଛି ବର୍ଷ ଭିତରେ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ବୋଲ୍ବୋମ ଯାତ୍ରା ପରେ ଘାଟକୁ ସଫାସୁତରା ରଖିବାକୁ କାହାରି ମନେ ପଡେନି । ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି କଟକିଆ । ପ୍ରତିବର୍ଷ ନଦୀପଠାକୁ ସ୍ବଚ୍ଛ ରଖିବାକୁ କିଛି ସ୍ବେଚ୍ଛାସେବୀ ଶ୍ରମଦାନ କରନ୍ତି । କିନ୍ତୁ ତା ଅର୍ଥ ନୁହେଁ ଯେ ପ୍ରଶାସନ ତାର ଦାୟିତ୍ବ ଭୁଲିଯିବ ।