ଉପରେ କୁଣ୍ଡା ଭିତରେ ଗଞ୍ଜେଇ : ଦିଲ୍ଲୀ ଚୋରାଚାଲାଣ ବେଳେ ୪୫୦୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ
18/08/2022 at 4:07 PM

ରାୟଗଡ଼ା ୧୮।୮: ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ମଧ୍ୟାହ୍ନ ସମୟରେ ଏକ କୁଣ୍ଡା ବୋଝେଇ ଟ୍ରକରୁ ୪୫୦୦ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ସୂଚନାଯୋଗ୍ୟ ଯେ, ସିଜି-୧୩-ବାଇ-୫୨୬୩ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ଯୋଗେ ୧୨୭ ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା । ଅବକାରୀ କର୍ମଚାରୀମାନେ ମଦ ଧରପଗଡ ପାଇଁ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ଦୃତ ଗତିରେ ଟ୍ରକଟି ବାଇପାସ୍ ରାସ୍ତାରେ ଯାଉଥିବା ସମୟରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ପ୍ରଥମେ କୁଣ୍ଡା ବାହାରିଥିବା ବେଳେ ଭିତରେ ବସ୍ତାରେ ଗଞ୍ଜେଇ ରହିଥିଲା । ତୁରନ୍ତ ଟ୍ରକ ଜବତ କରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଅଣାଯାଇଥିଲା । ପୁନର୍ବାର ଯାଞ୍ଚ ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା । ଓଜନ କରିବା ପରେ ତାହା ୪୫୦୦ କେଜି ବୋଲି ଜଣାପଡିଛି । ବିଶାଖାପାଟଣାରୁ କୋରାପୁଟ ଦେଇ ଗଞ୍ଜେଇ ଦିଲ୍ଲୀ ଚୋରାଚାଲାଣ ହେଉଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।