ଗଞ୍ଜେଇ ମାଫିଆଙ୍କୁ ବଡ ଝଟକା : ୧୧ ଜଣଙ୍କ ଆକାଉଣ୍ଟ୍ ଫ୍ରିଜ୍, ୩ କୋଟି ଟଙ୍କାର ସମ୍ପତ୍ତି ସିଲ୍

Published By : Prameya-News7 Bureau | October 07, 2021 IST

ମାଲକାନଗିରି, ୦୭/୧୦: ମାଲକାନଗିରି ଜିଲ୍ଲାରେ ଚୋରା ଗଞ୍ଜେଇ କାରବାର କରୁଥିବା ଲୋକଙ୍କୁ ଲାଗିଛି ବଡ଼ ଝଟକା । ଗଞ୍ଜେଇ ଚୋରା ଚାଲାଣ କାରବାରରେ ସମ୍ପୁକ୍ତ ଥିବା ଜିଲ୍ଲାର ୧୧ ଜଣଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିଛନ୍ତି କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ବିଭାଗ । ତେବେ ମାଲକାନଗିରି ଜିଲ୍ଲାରୁ ପ୍ରତିଦିନ ଶହ ଶହ କ୍ବିଣ୍ଟାଲ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ , ପୋଲିସ ଓ ଅବକାରୀ ବିଭାଗ କାଁ ଭାଁ କେତୋଟି ଗାଡ଼ିକୁ ଧରି କେବଳ ନାଁ ନେଉଛନ୍ତି ।

ଗଞ୍ଜେଇ ମାଫିଆର ଘର ସିଲ୍, ଦୋକାନ ବି ସିଲ୍। ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ମୃଣାଳ ମଣ୍ଡଳର ଘର ଓ ଦୋକାନକୁ ସିଲ୍ କରିଛନ୍ତି ଅବକାରୀ ଅଧିକାରୀ ଏବଂ ପୋଲିସ। ବୁଧବାର ମୃଣାଳ ମଣ୍ଡଳ ସମେତ ୧୧ ଜଣ ଗଞ୍ଜେଇ ମାଫିଆଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଥିଲା। ସେମାନଙ୍କର ୩ କୋଟି ୫ ଲକ୍ଷ ୫୭ ହଜାର ଟଙ୍କାର ସଂପତ୍ତି ଥିବା ବେଳେ ୫ ଟି କୋଠା, ୧୨ ଟି ବ୍ୟାଙ୍କ ଆକାଉଣ୍ଟ ଓ ୬ ଗାଡି ଥିବା ପୋଲିସ ଜାଣିଛି। ଏସବୁକୁ ଅଚଳ କରାଯିବା ସହିତ ଘର ସଂପତ୍ତିବାଡ଼ିକୁ ସିଲ କରାଯାଇଛି। ଗତ ଫେବୃଆରି ୨ ତାରିଖରେ ମାଲକାନଗିରି ପୋଲିସ ଏକ କ୍ରେଟା କାର ଅଟକାଇଥିଲା। ଯେଉଁଥିରୁ ୧୪ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। MV 79 ଅଞ୍ଚଳରୁ ଗଞ୍ଜେଇ ବିହାରକୁ ଚାଲାଣ ହେଉଥିଲା। ଏଥିରେ ସମ୍ପୃକ୍ତ ୧୧ ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଘଟଣାର ମୁଖ୍ୟ ଆସାମୀର ଘର ତଲାସି ସମୟରେ ପୋଲିସକୁ ମିଳିଥିଲା ଦୁର୍ଲଭ କସ୍ତୁରୀ । ଏବେ ଏନଡିପିଏସ ଆକ୍ଟ ଅନୁସାରେ ଏହି ୧୧ ଜଣଙ୍କର ସଂପତ୍ତି ଜବତ କରାଯାଇଛି।

ପ୍ରଶ୍ନ ଉଠୁଛି ଏହି କାର୍ପଟଦାରମାନେ ଗଞ୍ଜେଇ ଚାଲାଣ କରି ନିଜର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି। ଏହି କାମରେ ସରଳ ଆଦିବାସୀମାନଙ୍କୁ ମଧ୍ୟ ନିୟୋଜିତ କରୁଛନ୍ତି। କିନ୍ତୁ ଅବକାରୀ ବିଭାଗ ନିଘୋଡ଼ ନିଦରେ ଶୋଇରହୁଛି କି? ଯେଉଁ ଅଭିଯୁକ୍ତର ସଂପତ୍ତି ଜବତ ହୋଇଛି ସେଇ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲା ନ୍ୟୁଜ୭। ଦେଖନ୍ତୁ କାଲିମେଳାର ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତି ଥିବା ଆସାମୀ ମାନଙ୍କ ଘର । କିଏ ଦୁଇ ମହଲା କୋଠା ଆଉ କିଏ ତିନି ମହଲା କୋଠା ଠିଆ କରାଇଛନ୍ତି। ଦୋକାନ ଲମ୍ବେଇଛନ୍ତି। ଗାଁରେ ଏମାନଙ୍କ ଶହେ ଏକର ଜମିବାଡ଼ି। ଗଞ୍ଜେଇ ଗଛ ଉଠି ଅମଳ ହେଉଛି, ବାହାର ରାଜ୍ୟକୁ ରପ୍ତାନୀ ହେଉଛି ଆଉ ମୋଟା ଅଙ୍କରେ ଲାଭ ପାଇ ମାଫିଆମାନେ ସଂପତ୍ତିବାଡ଼ି ଲମ୍ବାଉଛନ୍ତି। ପୋଲିସ ହେଉ କି ଅବକାରୀ ବିଭାଗ କିଛି କେମିତି ଟେର ପାଉନାହାନ୍ତି? ସ୍ଥାନୀୟ ଲୋକଙ୍କ ସନ୍ଦେହ ଅବକାରୀ ବିଭାଗର କିଛି କାର୍ପଟଦାର କର୍ମଚାରୀ ଏମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି। ଚିତ୍ରକୋଣ୍ଡା ଅଞ୍ଚଳରେ ଗଞ୍ଜେଇ ଚାଷ କରିବା ଲାଗି ପୋଲିସ ଓ ଅବକାରୀ ବିଭାଗ ପ୍ରୋତ୍ସାହନ ଦେଉଥିବା ସଙ୍ଗୀନ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.