ହାଇଦ୍ରାବାଦରେ ଓଡ଼ିଶା ଗଞ୍ଜେଇ ଚକୋଲେଟର ଡିମାଣ୍ଡ, ବଜାରରେ ମିଳୁଛି ଚାରମିନାର ଗୋଲ୍ଡ ବ୍ରାଣ୍ଡ

Published By : Prameya-News7 Bureau | February 26, 2024 IST

ଭୁବନେଶ୍ୱର,୨୬/୦୨: ଗଞ୍ଜେଇ ମାଫିଆଙ୍କ ନୂଆ ଚାଲ୍‌ । ବଜାରକୁ ଛାଡ଼ିଛନ୍ତି ଗଞ୍ଜେଇ ଚକୋଲେଟ୍‌ । ଯାହାକି ଏବେ ହାଇଦ୍ରାବାଦ ପୋଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଓଡ଼ିଶାରୁ ଯାଉଥିବା ଶହ ଶହ ଦାଦନ ଶ୍ରମିକ ଏହି ଗଞ୍ଜେଇ ଚକୋଲେଟ୍‌ ହାଇଦ୍ରାବାଦ ନେଇ ବେପାର କରୁଥିବା ତେଲଙ୍ଗାନାର ଜଣେ ବରିଷ୍ଠ ପୋଲିସ ଅଫିସର କହିଛନ୍ତି ।

ହାଇଦ୍ରାବାଦର ବାଲାନଗର ଅଞ୍ଚଳରେ ପୋଲିସ ଜନୈକ ଓଡ଼ିଆ ଅନନ୍ତ କୁମାର ବାରିକକୁ ଗିରଫ କରି ତାଙ୍କ ନିକଟରୁ ୧୪୦ଟି ଗଞ୍ଜେଇ ଚକୋଲେଟ୍‌ ଜବତ କରିଛି । ସୌମ୍ୟରଞ୍ଜନ ମଲ୍ଲିକ ନାମକ ଅନ୍ୟ ଜଣେ ବ୍ୟକ୍ତିଠାରୁ ୪ କିଲୋ ଚକୋଲେଟ୍‌ ଜବତ କରାଯାଇଛି । ନାନାକ୍ରାମଗୁଡ଼ା ଅଞ୍ଚଳରେ ହିଲାଲୁଦ୍ଦିନ ମଜୁମଦାର ନାମକ ପାନ ଦୋକାନୀଠାରୁ ମଧ୍ୟ ଏଭଳି ଚକୋଲେଟ୍‌ ଜବତ ହୋଇଛି ।

ଲକ୍ଷ୍ନୌର ଜଣେ ବ୍ୟକ୍ତିଠାରୁ ସେ କୋରିଅର ମାଧ୍ୟମରେ ୫୬୦ଟି ଗଞ୍ଜେଇ ଚକୋଲେଟ୍‌ (୨.୬ କିଲୋ) ମଗାଇ ବିକୁଥିବା ସ୍ୱୀକାର କରିଛନ୍ତି । ସେ ୫ ଟଙ୍କା ଦରରେ ଏହା କିଣିଥିବା ବେଳେ ୨୦/୩୦ ଟଙ୍କା ଦରରେ ବିକୁଛି । ବିପିନ ନାମକ ଜଣେ ଓଡ଼ିଆଙ୍କଠାରୁ ସେ ଲକ୍ଷ୍ନୌର ବେପାରୀଙ୍କ ଠିକଣା ଯୋଗାଡ଼ କରିଥିଲା । ପୋଲିସ କହିଛି ଅନନ୍ତ ଓ ସୌମ୍ୟ ଭଳି ଶହ ଶହ ଦାଦନ ଏବେ ଓଡ଼ିଶାରୁ ଯିବାବେଳେ ଗଞ୍ଜେଇ ଚକୋଲେଟ ନେଇ ଯାଉଛନ୍ତି ।

ସେମାନେ ସେଠାରୁ ଅଣଓଡ଼ିଆ ଦାଦନ ଓ କଲେଜ/ସ୍କୁଲ ପିଲାଙ୍କୁ ପ୍ରଥମେ ମାଗଣାରେ ଏହି ଚକୋଲେଟ୍‌ ବାଣ୍ଟୁଛନ୍ତି । ଏହା ଖାଇବା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯିବା ପରେ ପ୍ରତି ଚକୋଲେଟ୍‌କୁ ୨୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଏହି ଚକୋଲେଟ୍‌ର ଓଜନ ୫ ଗ୍ରାମ ଏବଂ ଏଥିରେ ୧୬% ଗଞ୍ଜେଇ ଭାଗ ରହୁଛି । ଚକୋଲେଟକୁ ରଙ୍ଗୀନ ଜରିରେ ଗୁଡ଼ାଇ ଆକର୍ଷଣୀୟ କରାଯାଉଛି ।

wp:embed {"url":"https://www.prameyanews7.com/police-crime-scene-recreation-with-accused-in-bolangir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-crime-scene-recreation-with-accused-in-bolangir/
/wp:embed

ଏଭଳି ଚକୋଲେଟ୍‌ ବେପାର କରୁଥିବା ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ କୋରାପୁଟ ଓ ପାଖଆଖ ଜିଲ୍ଲାରୁ ଚାଲାଣ ହେଉଥିବା ଗଞ୍ଜେଇକୁ ନେଇ ବାଲେଶ୍ୱର ଜିଲ୍ଲାର କୌଣସି ସ୍ଥାନରେ ଏଭଳି ଚକୋଲେଟ୍‌ ପ୍ରସ୍ତୁତ ହେଉଛି । ଏପରିକି କେତେକ ବେପାରୀ ଓଡ଼ିଶାରୁ ଗଞ୍ଜେଇ ନେଇ ଲକ୍ଷ୍ନୌରେ ଚକୋଲେଟ ପ୍ରସ୍ତୁତ କରି ଭିନ୍ନ ଭିନ୍ନ ରାଜ୍ୟକୁ ଚାଲାଣ କରୁଛନ୍ତି ।

ହାଇଦ୍ରାବାଦର ଅନେକ ଅଞ୍ଚଳରେ ଗଞ୍ଜେଇ ଚକୋଲେଟ୍‌ କାରବାର ବଢ଼ିବାରେ ଲାଗିଛି । ଏହା ଖାଇବାର କେଇ ମିନିଟ ମଧ୍ୟରେ ବ୍ୟକ୍ତି ଅର୍ଦ୍ଧ ନିଶାଗ୍ରସ୍ତ ହୋଇଯାଉଛି । କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ‘ଚାରମିନାର ଗୋଲ୍ଡ ମୁନାକ୍କା’ ବ୍ରାଣ୍ଡରେ ବିକ୍ରି ହେଉଛି । ସେହିପରି ଟିକେ ବଡ଼ ଆକାରର ଚକୋଲେଟ୍‌ ‘ମସ୍‌ଥି ମୁନାକ୍କା’ ବ୍ରାଣ୍ଡରେ ବିକ୍ରି କରାଯାଉଛି ।

ଏଥିରେ ରୋକ୍‌ ଲଗାଇବାକୁ ସ୍ପେଶାଲ ଟିମ୍‌ ଗଠନ କରି ବିଭିନ୍ନ ବସ୍ତିରେ ଚଢ଼ାଉ କରିବାକୁ ପୋଲିସର ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ଗତ କେଇଦିନ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ଓଡ଼ିଆ ଦାଦନ ଶ୍ରମିକଙ୍କ ନିକଟରୁ ୪୧.୫ କିଲୋ ଗଞ୍ଜେଇ ଚକୋଲେଟ ଜବତ କରିଛି ।

କୋକାପେଟ ଅଞ୍ଚଳରୁ ଗିରଫ ହୋଇଥିବା ବାଲେଶ୍ୱରର ଜଣେ ବ୍ୟକ୍ତି ନିକଟରୁ ୩.୬ କିଲୋ ଏବଂ ରାମନାଥପୁରରେ ଗିରଫ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ନିକଟରୁ ୩୫.୨ କିଲୋ ଗଞ୍ଜେଇ ଚକୋଲେଟ ଜବତ ହୋଇଛି । ସେହିପରି ହାଫିଜପେଟ ଅଞ୍ଚଳରେ ଗିରଫ ହୋଇଥିବା ଉତ୍ତର ପ୍ରଦେଶର ଦୁଇ ଜଣ ବ୍ୟକ୍ତି ମୁକେଶ ଓ ଗାନ୍ତା ମାନୁଠାରୁ ୨.୭ କିଲୋ ଚକୋଲେଟ ଜବତ କରାଯାଇଛି । ଏହା ପୂର୍ବରୁ ଏକ ସ୍କୁଲ ସମ୍ମୁଖରୁ ୩ ଜଣ ଓଡ଼ିଆଙ୍କୁ ଏହି ଚକୋଲେଟ୍‌ ବିକିବା ଅପରାଧରେ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.