ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ, ବାଲ୍ୟ ବିବାହର ସୂଚନା ପ୍ରଦାନ କଲେ ଦିଆଯିବ ପାଞ୍ଚ ହଜାର ଟଙ୍କା

Published By : Prameya-News7 Bureau | December 04, 2020 IST

ଖଲ୍ଲିକୋଟ ୦୪।୧୨: ସମନ୍ଵିତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଅଙ୍ଗନଓ୍ବାଡି କେନ୍ଦ୍ର, ଶୁଖିଲା ଖାଦ୍ୟର ଆବଣ୍ଟନ, ଅଣ୍ଡା ବଣ୍ଟନ, ମୋ ଗେହ୍ଳାଝିଅ, ପୁଷ୍ଟିକର ଖାଦ୍ୟ, ମିଶନ୍ ଶକ୍ତି ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଯାଇଛି। ଅଙ୍ଗନଓ୍ଵାଡି କେନ୍ଦ୍ର ଗୁଡିକ ସଫେଇ ସହ ଏହାର ପରିବେଶ ସୌନ୍ଦର୍ଯ୍ୟକରଣ ଓ ସବୁଜମୟ କରିବା ନେଇ ବୃକ୍ଷ ରୋପଣ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ।

ଅଙ୍ଗନଓ୍ବାଡି କେନ୍ଦ୍ର ପରିସରରେ ସ୍ଥାନ ଥିଲେ ନରେଗାରେ ମୋ କାରୀ ଫସଲ ଜାତୀୟ ବୃକ୍ଷ ରୋପଣ କରି କିଚେନ ଗାର୍ଡନ ନିମନ୍ତେ ପ୍ରୟାସ କରିବାକୁ କୁହାଯାଇଛି  । କୋଠାବାଡିର ରଙ୍ଗ ଖରାପ ଥିଲେ ରଙ୍ଗ ଦେବାକୁ ଜିଲ୍ଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଥିଲେ  । ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ଗ୍ୟାସ୍ ଚୂଲା ଦ୍ବାରା ରୋଷେଇ କରି କେନ୍ଦ୍ରଟିରେ ଧୂଆଁମୁକ୍ତ କରାନ୍ତୁ  । ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା ଶିଶୁ ମାନଙ୍କୁ ହାତ ଧୋଇବା ଓ ଶୌଚାଳୟ ବ୍ୟବହାର କରିବା ସକାଶେ ଅଭ୍ୟାସ କରାନ୍ତୁ । ଏହି ଅଭ୍ୟାସ ହେଲେ ସେମାନେ ନିଜ ଘରେ ଶୌଚାଛୟ ବ୍ୟବହାର କରିବାକୁ ନିଜ ଅଭିଭାବକଙ୍କୁ ଜଣାଇବେ  ।ଏହି ଅଭ୍ୟାସ ଦ୍ବାରା ପରିମଳ ବ୍ୟବସ୍ଥାରେ ସୁଧାର ଆସିବ  । ମିଶନ୍ ଶକ୍ତି ଗୃହ ଓ ଅଙ୍ଗନଓ୍ବାଡି କେନ୍ଦ୍ର ୨୨ ଟି ବ୍ଳକ୍ ରେ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ତାହାର ସ୍ଥିତି ସମ୍ପର୍କରେ ବିଡିଓ ମାନଙ୍କ ଠାରୁ ଚିଠା ମାଧ୍ୟମରେ ତଥ୍ୟ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସିଡିପିଓ ମାନେ ଅଙ୍ଗନଓ୍ବାଡି କମିଟି ଦ୍ବାରା ବାଲ୍ୟ ବିବାହ ରୋକିବା ନେଇ ନଜର ରଖନ୍ତୁ। ବାଲ୍ୟ ବିବାହ ହେଉଥିବା ନଜରକୁ ଆସେ ତେବେ ଅଙ୍ଗଓ୍ବାଡି କର୍ମୀ ଓ ସିଡିପିଓ ମାନଙ୍କୁ ଦାୟୀ କରାଯିବ। ବିବାହ ହେଉଥିବା ପୁଅ ଝିଅଙ୍କ ଆଧାର କାର୍ଡ ଯାଂଚ୍ କରି ସେମାନଙ୍କ ସମ୍ପର୍କରେ ତଥ୍ୟ ଓ ବୟସ ପଞ୍ଜିକରଣ କରାନ୍ତୁ। ବାଲ୍ୟ ବିବାହ ସମ୍ପର୍କିତ ପ୍ରାଥମିକ ସୂଚନା ପ୍ରଦାନ କଲେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ନାମ ଗୋପନ ରଖାଯାଇ ତାଙ୍କୁ ୫୦୦୦ ଟଙ୍କାର ଆର୍ଥିକ ପୁରସ୍ବାର ଦିଆଯିବା ନେଇ ଜିଲ୍ଲାପାଳ ଘୋଷଣା କରିଥିଲେ ।

ଏହା ପୂର୍ବରୁ ଜିଲ୍ଲାପାଳ ଲିଙ୍ଗ ନିରୁପଣ ହେଉଥିବାର ସୂଚନା ଦେଲେ ଓ ଗୁଣିଗାରିଡି ପ୍ରମାଣ ଦେଲେ ମଧ୍ୟ୍ୟ ୫ ହଜାର ଟଙ୍କା  ପୁରସ୍କାର ଘୋଷଣା କରିଥିଲେ. ବାଲ୍ୟବିବାହ ହେଉଥିବାର ଅଙ୍ଗନଓ୍ବାଡି କର୍ମୀ ଏ ସମ୍ପର୍କରେ ପ୍ରାଥମିକ ସୂଚନା ଦେଲେ ସେମାନଙ୍କୁ ମଧ୍ୟ ୫୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ  । ଯେଉଁ ପରିବାରରେ ଝିଅ ଜନ୍ମ ନିଏ ସେମାନଙ୍କ ପିତାମାତା ଓ ପରିବାର ବର୍ଗଙ୍କୁ ଉତ୍ସାହିତ କରି କନ୍ୟାରତ୍ନ ବିଷୟରେ ବୁଝାନ୍ତୁ  । ଏହା ଦ୍ବାରା ସେମାନେ କନ୍ୟା ର ଜନ୍ମ ଓ ଲାଳନ ପାଳନ ଦିଗରେ ଆଗ୍ରହ ପ୍ରକାଶ କରି କନ୍ୟା ସନ୍ତାନ ଜନ୍ମ ହେତୁ ଖୁସି ହେବେ ଓ ତାର ଉତ୍ତମ ଲାଳନ ପାଳନ କରିବେ। ନିର୍ଭୟ କଢି ଯୋଜନା ସକାଶେ ସଚେତନତା କାର୍ଯ୍ୟ ବ୍ୟାପକ କରାନ୍ତୁ । ଜିଲ୍ଲାରେ ଅପପୁଷ୍ଟିରେ ଥିବା ଶିଶୁ ମାନଙ୍କ ସ୍ଥିତି ଏକ ତିନି ଜଣିଆ  କମିଟି ଗଠନ କରାଯାଇ ଯାଂଚ୍ କରାଯାଉ  । ଡାକ୍ତର, ନ୍ୟୁଟ୍ରିସନ୍ ଓ ସିଡିପିଓ ଙ୍କ ଦ୍ବାରା ଜିଲ୍ଲା ସ୍ତରୀୟ ଟିମ୍ ଗଠନ କରି ଏହି ପ୍ରକ୍ରିୟାର ତଦାରଖ କରି ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ କିଭଳି ପୁଷ୍ଟିକର କରାଯିବ ସେ ଘେନି କାର୍ଯ୍ୟପନ୍ଥା ସ୍ଥିର କରାଯାଉ  । ଅଙ୍ଗନଓ୍ବାଡି କର୍ମୀଗଣ ଗର୍ଭବତୀ ମା ମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖନ୍ତୁ  । ସେମାନଙ୍କୁ କନ୍ୟାଭୃଣ ହତ୍ୟା ନକରି କନ୍ୟା ରତ୍ନର ମହତ୍ବ ସମ୍ପର୍କରେ ସଚେତନ କରାନ୍ତୁ  ।

ଜିଲ୍ଲାରେ ଗୋଟିଏ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ର କରାଯାଉ  । ଉକ୍ତ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ରର କାନ୍ଥରେ ଶିକ୍ଷଣୀୟ ବିଷୟ ଥାଇ ପିଲାଙ୍କୁ ଆକୃଷ୍ଟ କଲାଭଳି ରଙ୍ଗ ବେରଙ୍ଗର ଚିତ୍ର ଅଙ୍କନ କରାଯାଉ  । ଟିଭି, ଛୋଟ ଗୋଲେଇ ଟେବୁଲ ଇତ୍ୟାଦି ସାମଗ୍ରୀ ରଖାଯାଉ ଏବଂ ପିଲାମାନଙ୍କୁ ଅଙ୍ଗଭଙ୍ଗୀ ସଙ୍ଗୀତ ଇତ୍ୟାଦି ମାଧ୍ୟମ ଦ୍ବାରା ଶିକ୍ଷା ଦିଆଯାଉ  । ଏହି ମଡେଲ ଯଦି ଠିକ୍ ରୂପେ କାର୍ଯ୍ୟକାରୀ ହେବ ଏବଂ ପିଲାଙ୍କ ଆଗଭର ବଢୁଛି ତେବେ ସେହି ଅନୁସାରେ ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ରରେ ପରିଣତ କରାଯିବ ବୋଲି ଜିଲ୍ଲାପାଳ ମତ ଦେଇଥିଲେ  ।  

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ସମସ୍ତ ତଥ୍ୟ ପ୍ରଦାନ କରି ସମୀକ୍ଷା କରିଥିଲେ  । ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ଯୋଜନା ମ୍ୟାନେଜର୍ ଅରୁଣ କୁମାର ନାୟକ, ସାଶ୍ବତ କୁମାର ସାହୁ, ଦେବବ୍ରତ ମହାନ୍ତି  ପ୍ରମୁଖ ଉପସ୍ଥିତ ଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.