ଗଞ୍ଜାମରେ 'ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ' ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପକୃତ ହେବେ ୨୫ ଲକ୍ଷ ହିତାଧିକାରୀ

Published By : Prameya-News7 Bureau | December 12, 2021 IST

ବ୍ରହ୍ମପୁର,୧୨/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ଗଞ୍ଜାମ ଜିଲ୍ଲା ଗସ୍ତ କରି ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ପ୍ରସିଦ୍ଧ ତାରାତାରିଣୀ ପୀଠ ନିକଟରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଜିଲ୍ଲାର ପ୍ରାୟ ୨୫ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ। ରାଜ୍ୟର ଅନ୍ୟତମ ବୃହତ୍ ଜିଲ୍ଲା ଭାବେ ଗଞ୍ଜାମ ଏହି ମହତ୍ତ୍ଵପୂର୍ଣ୍ଣ ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଯାଇଛି।

ରବିବାର ସକାଳେ ପ୍ରଥମେ ତାରାତାରିଣୀ ପୀଠରେ ଦେବୀ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ସେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ସେଠାରେ ବିଏସକେଓ୍ୱାଇ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା। ଏଥି ସହିତ ଡିଜିଟାଲ ମାଧ୍ୟମରେ ୨୨୮୧ କୋଟି ଟଙ୍କାର ୧୨୯୯ ପ୍ରକଳ୍ପ ଲୋକାର୍ପିତ କରିଥିଲେ ସେ। ସେଥିରୁ ୫୭୦.୯୭ କୋଟିରେ ହୋଇଥିବା ୬୫୧ଟି ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୧୫୮୨.୯୯୪ କୋଟି ଟଙ୍କାରେ ହେବାକୁ ଥିବା ୬୪୫ ପ୍ରକଳ୍ପ ସକାଶେ ସେ ଶୁଭ ଦେଇଥିଲେ । ଅନ୍ୟ ୩ଟି ପ୍ରକଳ୍ପ ହିଂଜିଲିକାଟୁରେ ସେ ଆରମ୍ଭ କରିବେ। ଉଲ୍ଲେଖନୀୟ ଭାବେ ଜିଲ୍ଲାର ଏକମାତ୍ର ମହାନଗର ବ୍ରହ୍ମପୁରବାସୀଙ୍କ ନିମନ୍ତେ ୩୨.୭୫ କୋଟିରେ ନିର୍ମିତ ବହୁମୁଖୀ ଜରା ନିବାସ, ୧୩.୪୦ କୋଟି ଟଙ୍କାରେ ନିର୍ମିତ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ କୋଠା ଆଦି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍‌ଲାଇନ୍‌ରେ ଉଦ୍‌ଘାଟିତ ହୋଇଛି।

ଏତତ୍ ବ୍ୟତୀତ ତାରାତାରିଣୀ ପୀଠର ଭବ୍ୟ ରୂପାନ୍ତରଣ ଘଟିଛି। କେବଳ ମନ୍ଦିର ନୁହେଁ, ଏହା ଚତୁଃପାର୍ଶ୍ବର ନବକଳେବର ହୋଇଛି। ଆଗାମୀ ଦିନରେ ଏହା ଏକ ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଲୋକାଦୃତ ହେବ । ସେଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରସ୍ତୁତ କରାଯାଉଛି। ସିଂହଦ୍ଵାର ହେଉ କି ତୀର୍ଥଯାତ୍ରୀଙ୍କ ସକାଶେ ଯାବତୀୟ ସୁବିଧା ସୁଯୋଗ, ପାଦଚଲା ରାସ୍ତା, ବିଶୁଦ୍ଧ ପାନୀୟ ଜଳ, ଅଭ୍ୟର୍ଥନା କେନ୍ଦ୍ର, ମୁଣ୍ଡନ ପ୍ରକୋଷ୍ଠ, ସର୍ବସାଧାରଣ ଶୌଚାଳୟ ସାଙ୍ଗକୁ ପାହାଡ଼ ଉଚ୍ଚରେ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ କରାଯାଇଛି। ଆହୁରି ମଧ୍ୟ ତାରାତାରିଣୀ ପୀଠରେ ପ୍ରସାଦ ସେବନ ମଣ୍ଡପ ଠାରେ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବାବଦରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲା ବା ନିଜ ନିର୍ବାଚନମଣ୍ଡଳୀକୁ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ତାରାତାରିଣୀ ଠାରେ ୧୦ ପ୍ଲାଟୁନ୍‌ ଫୋର୍ସ ସମେତ ବହୁ ଅଧିକାରୀ ମୁତୟନ ହୋଇଥିଲେ। ଶାନ୍ତିଶୃଙ୍ଖଳାରେ କାର୍ଯ୍ୟକ୍ରମ ଆୟୋଜିତ କରିବାରେ ପୋଲିସ ଫୋର୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.