ବୌଦ୍ଧ,୧୧/୧୨: ବୌଦ୍ଧ ଜିଲ୍ଲାରେ ଚାଲିଥିବା ବେଆଇନ୍ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ କରିବା ପାଇଁ ଅଣ୍ଟା ଭିଡିଛି ବୌଦ୍ଧ ପୋଲିସ୍ ବିଭାଗ । ଦିନକୁ ଦିନ ବିଭିନ୍ନ ଜଙ୍ଗଲ ଜମିରେ ଅନୁସନ୍ଧାନ କରି ଜଙ୍ଗଲ ଜମିରେ ହେଉଥିବା ଗଞ୍ଜେଇ ଚାଷକୁ ଚିହ୍ନଟ କରିବା ସହିତ ନଷ୍ଟ କରିବା ଅଭିଯାନ ଜାରି ରହିଛି । ତେବେ ଲଗାତାର ଭାବେ ଦ୍ଵିତୀୟ ଦିନରେ ପ୍ରାୟ ୩୩ ଏକରରେ ଲାଗିଥିବା ୪୯ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରିଥିବା ପୋଲିସ୍ ସୂଚନା ଦେଇଛି ।
ସୂଚନା ଅନୁଯାୟୀ ଜିଲ୍ଲାର କେତେକ ଉପାନ୍ତ ଜଙ୍ଗଲ ଗୋଚର ଜମିକୁ ଅକ୍ତିଆର କରି ଗଞ୍ଜେଇ ମାଫିଆମାନେ ଚାଷ କରୁଥିବା ବେଳେ ପୋଲିସ ମଧ୍ୟ ତାଙ୍କୁ ଉଚିତ୍ ଜବାବ ଦେଇ ସ୍ଥାନ ନିରୂପଣ କରି ଗଞ୍ଜେଇ ଚାଷ ନଷ୍ଟ କରିବାରେ ସକ୍ଷମ ହୋଇଛି। ଆଜି ବୌଦ୍ଧ ଏସପି ପ୍ରହଲ୍ଲାଦ ସହଇ ମିନାଙ୍କ ନିର୍ଦ୍ଦେଶକ୍ରମେ ଦ୍ଵିତୀୟ ଦିନରେ କଣ୍ଟାମାଳ ଥାନାର ବଡଝାରମୁଣ୍ଡା ସଂରକ୍ଷିତ ଜଙ୍ଗଲରେ କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଜଙ୍ଗଲରେ ଚଢ଼ାଉ କରି ୩୩ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି । ପ୍ରାୟ ୪୯ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ଏବଂ ଯେ ପର୍ଯ୍ୟନ୍ତ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଏପରି ଚଢ଼ାଉ ଜାରିରହିବ ବୋଲି ବୌଦ୍ଧ ଏସପି ସୂଚନା ଦେଇଛନ୍ତି ।