ବର୍ଷାରେ ବେହାଲ ଉତ୍ତର ବଙ୍ଗ, ବାହ୍ୟଜଗତରୁ ଗ୍ୟାଙ୍ଗଟୋକ୍ ବିଛିନ୍ନ, ଜାତୀୟ ରାଜମାର୍ଗ ନମ୍ବର ୧୦ର ଏକାଧିକ ସ୍ଥାନରେ ଭୂ-ସ୍ଖଳନ

Published By : Prameya-News7 Bureau | October 20, 2021 IST

କୋଲକାତା ୨୦।୧୦: ହିମାଳୟ ରାଜ୍ୟ ସିକ୍କିମ ଓ ଉତ୍ତର ବେଙ୍ଗଲର ଚା ବାଗାନ କ୍ଷେତ୍ରରେ ଜାରି ବର୍ଷା ଜାତୀୟ ରାଜମାର୍ଗ ନମ୍ବର ୧୦ ସମେତ ଅନେକ ସ୍ଥାନରେ ଭୂ-ସ୍ଖଳନର କାରଣ ପାଲଟିଛି। ଫଳରେ ସିକ୍କିମ ରାଜଧାନୀ ଗ୍ୟାଙ୍ଗଟୋକ୍ ସଡକ ମାର୍ଗରେ ଦେଶର ଅନ୍ୟ ରାଜ୍ୟଙ୍କଠାରୁ ବିଛିନ୍ନ ହୋଇଯାଇଛି। ଦାର୍ଜିଲିଂ, କାଲିମପୋଙ୍ଗ ଓ ଜଲପାଇଗୁଡ଼ି ଜିଲ୍ଲାରେ ବର୍ଷା ଯୋଗୁ ଭୂ-ସ୍ଖଳନ ଘଟଣା ବଢିବାରେ ଲାଗିଛି। ଫଳରେ ସଡ଼କ ଓ ପୋଲ ଭାଙ୍ଗିଯାଇଥିବା ବେଳେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରିବାକୁ ପଡୁଥିବା ଜଣାପଡିଛି।

ଦୁର୍ଗାପୂଜା ସମୟରେ ଦେଶର ବିଭିନ୍ନ ଭାଗରୁ ଯାଇଥିବା ପର୍ଯ୍ୟଟକ ଆଗାମୀ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବାକୁ ଅଥବା ଘରକୁ ଫେରିବା ଲାଗି ରେଳଷ୍ଟେସନ ଓ ବାଗଡୋଗ୍ରା ବିମାନ ବନ୍ଦରରେ ଅଟକି ରହିଛନ୍ତି। ଭୀଷଣ ବର୍ଷା ଯୋଗୁ ସେନା ଓ ସାଧାରଣ ନାଗରିକଙ୍କ ଯାତାୟାତରେ ଆସୁଥିବା ଜାତୀୟ ରାଜମାର୍ଗ ନମ୍ବର ୧୦ର ଅନେକ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ମିଳୁଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଥିବା ରାଜମାର୍ଗର ୨୯ ନମ୍ବର ମାଇଲ ଖୁଣ୍ଟ ନିକଟରେ ଭୂ-ସ୍ଖଳନ ହୋଇଛି। ଫଳରେ ହିମାଳୟ ରାଜ୍ୟ ରଙ୍ଗୋପକୁ ଯୋଗାଯୋଗ ବିଛିନ୍ନ  ହୋଇଛି।

{"id":530293,"sizeSlug":"full","linkDestination":"none"}

ସେହିପରି ରାଜମାର୍ଗର ପନି ହାଉସ ନିକଟରେ ଦ୍ୱିତୀୟ ଭୂ-ସ୍ଖଳନ ହୋଇଛି। ଫଳରେ ରାଜମାର୍ଗରେ ଯାନବାହନ ଯାତାୟାତ ସମ୍ପୂର୍ଣ୍ଣ ବାଧିତ ହୋଇଛି। ସଡକରେ ଜମା ହୋଇ ରହିଥିବା ମାଟି ପଥର ହଟାଇବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଛି। ରାସ୍ତାକୁ ଯାନବାହନ ଲାଗି ଆଂଶିକ ଖୋଲିବା ନିମନ୍ତେ ଏହି କାର୍ଯ୍ୟ ଚଳାଯାଇଥିବା ବେଳେ ଲଗାଣ ବର୍ଷାରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପୋଲିସ ପହଞ୍ଚାଇବାରେ ଲାଗିଛି।

ସେପଟେ ତିସ୍ତା ନଦୀରେ ବନ୍ୟା ଆସିବା ଯୋଗୁ ସିକ୍କିମକୁ ପ୍ରବେଶ ଦ୍ୱାର କୁହାଯାଉଥିବା ରଙ୍ଗପୋ ନିକଟରେ ନିର୍ମିତ ଇସ୍ପାତ ସେତୁର ଗୋଟିଏ ଖମ୍ବ ଭାସି ଯାଇଛି। ଫଳରେ ସେତୁ ଦେଇ ଯାନବାହନ ଚଳାଚଳ ବନ୍ଦ କରିଦିଆଯାଇଛି। ଦାର୍ଜିଲିଂ ଜିଲ୍ଲାର ମହାନଦୀ ଅଞ୍ଚଳରେ ଭୂ-ସ୍ଖଳନର ଅନ୍ୟ ଏକ ଘଟଣା ଏବେ ଜଣାପଡିଛି। ଫଳରେ କୁରୁସିଙ୍ଗାକୁ ସୁକନା ସହ ସଂଯୁକ୍ତ କରୁଥିବା ସଡକ ଅବରୋଧ ହୋଇଛି। ଲଗାଣ ବର୍ଷା ଯୋଗୁ ବେଙ୍ଗଲ ଗଜୋଲଡୋବାସ୍ଥିତ ତିସ୍ତା ବ୍ୟାରେଜରୁ ୩ ହଜାର ୮୦୦ କ୍ୟୁସେକ୍ ପାଣି ଛଡାଯାଇଛି। ଫଳରେ ଜଲପାଇଗୁଡିର ନିମ୍ନାଞ୍ଚଳରେ ପାଣି ଭରିଯାଇଛି।   

{"id":530292,"width":839,"height":480,"sizeSlug":"full","linkDestination":"none"}

ପାଣିପାଗ ବିଭାଗଙ୍କ ଅନୁସାରେ ଦାର୍ଜିଲିଂରେ ବୁଧବାର ସକାଳ ସାଢେ ୮ରେ ସମାପ୍ତ ହୋଇଥିବା ୨୪ ଘଣ୍ଟାରେ ୨୩୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟରେ କାଲିମପୋଙ୍ଗରେ ୧୯୯ ମିଲିମିଟର, ଜଲପାଇଗୁଡିରେ ୧୫୧ ମିଲିମିଟର ଓ କୁଚବିହାରରେ ୬୦.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଏପରି ପାଗ ଗୁରୁବାର ସକାଳଓଳା ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ କହିଛନ୍ତି। ଏବେ ରାଜ୍ୟର ଅନେକ ଅଞ୍ଚଳରେ ପାଗ ସୁଧୁରିଲାଣି। ତଥାପି କିଛି ଅଞ୍ଚଳରେ ଘଡଘଡ଼ି ସହ ବର୍ଷା ହୋଇଥିବାର କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.