ନୂଆଦିଲ୍ଲୀ: କାନାଡ଼ାର ଆଉ ଏକ ଖଲିସ୍ତାନୀ ଆତଙ୍କବାଦୀ ସୁଖଦୋଲ ସିଂହ ହତ୍ୟାକାଣ୍ଡରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଛି। ଏକଥା ଲରେନ୍ସ ଗ୍ୟାଙ୍ଗ ନିଜେ ସ୍ୱୀକାର କରିଛି। ସୁଖଦୋଲ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲା। ଅନେକ ଜୀବନ ନଷ୍ଟ କରିଥିଲା। ତେଣୁ ତାକୁ ହତ୍ୟା କରାଯାଇଛି ବୋଲି ଗ୍ୟାଙ୍ଗ ପକ୍ଷରୁ ଫେସ୍ବୁକ୍ରେ ପୋଷ୍ଟ କରି ଏହି ସୂଚନା ଦିଆଯାଇଛି।
ଫେସ୍ବୁକ୍ ପୋଷ୍ଟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କହିଛି ଯେ ସୁଖଦୋଲ ସିଂହ ଓରଫ ଶୁଖା ଦୁନୁକେ ଗ୍ୟାଙ୍ଗଷ୍ଟର ଗୁରଲାଲ ବ୍ରାର ଓ ଭିକି ମିଡ୍ଡାଖେରା ହତ୍ୟାକାଣ୍ଜର ମାଷ୍ଟର ମାଇଣ୍ଡ ଥିଲା। ସେ ବିଦେଶରେ ରହିବି ଯୋଜନା କରି ଏହି ଦୁଇ ଜଣଙ୍କୁ ହତ୍ୟା କରିଥିଲା ବୋଲି ଲରେନ୍ସ ଗ୍ୟାଙ୍ଗ କହିଛି।
ସୁଖଦୋଲ ସିଂହ ଡ୍ରଗ୍ସ ଅଭ୍ୟାସାକାରୀ ଥିବା ବେଳେ ଅନେକ ଲୋକଙ୍କର ଜୀବନ ନଷ୍ଟ କରିଛି। ତେଣୁ ତା ପାପ ପାଇଁ ତାକୁ ଦଣ୍ଡିତ କରାଯାଇଛି ବୋଲି ଲରେନ୍ସ ଗ୍ୟାଙ୍ଗ କହିଛି। ସୂଚନା ଅନୁସାରେ, ସୁଖଦୋଲ ସିଂହ ଦମ୍ବିନ୍ଦର ବାମ୍ବିଆ ଗ୍ୟାଙ୍ଗର ସଦସ୍ୟ ଥିଲା। ସେ ଆଉ ଜଣେ ଗ୍ୟାଙ୍ଗଷ୍ଟର ସନ୍ଦୀପ ନାଙ୍ଗଲ ଅମ୍ବିଆକୁ ମଧ୍ୟ ହତ୍ୟା କରିଛି ବୋଲି ଲରେନ୍ସ ଗ୍ୟାଙ୍ଗ କହିଛି। ଏଥିସହିତ ଆମ ଗ୍ୟାଙ୍ଗର ଶତ୍ରୁକୁ ଆମେ ଶାନ୍ତିରେ ରହିବାକୁ ଦେବୁ ନାହିଁ। ସେ ଭାରତରେ ରୁହନ୍ତୁ ବା ଭାରତ ବାହାରେ ବୋଲି ଗ୍ୟାଙ୍ଗ କହିଛି।
ସୂଚନା ଥାଉକି ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଡ୍ରଗ୍ସ ଚାଲାଣ ଅଭିଯୋଗରେ ଅହମଦାବାଦ ଜେଲ୍ରେ ଅଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ କରୁଛି। ଲରେନ୍ସ ବିରୋଧରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଅଭିଯୋଗ ମଧ୍ୟ ରହିଛି।
ସୁଖଦୋଲ ସିଂହ କିଏ ?
ଗ୍ୟାଙ୍ଗଷ୍ଟର ସୁଖଦୋଲ ସିଂହ ପଞ୍ଜାବ ମୋଗାର ବାସିନ୍ଦା। ସେ ଦେଶ ଛାଡ଼ି କାନାଡ଼ା ପଳାଇଥିଲା। ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହର ସେ ବଡ଼ ସହଯୋଗୀ। ସୁଖଦୋଲ ସିଂହ ନକଲି ତଥ୍ୟ ଦେଇ ପାସ୍ପୋର୍ଟ ସହ ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ ନେଇ ୨୦୧୭ରେ କାନାଡ଼ା ଫେରାର୍ ହୋଇଛି। ତା ବିରୋଧରେ ୧୮ଟି ଅପରାଧିକ ମାମଲା ରହିଛି।
ସୂଚନା ଥାଉକି ଜୁନ ମାସରେ ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ଭାରତ କାନାଡ଼ା ସମ୍ପର୍କରେ ତିକ୍ତତା ଦେଖା ଦେଇଥିବା ବେଳେ ସୁଖଦୋଲର ହତ୍ୟା ମାମଲାକୁ ଆହୁରି ବଢ଼ାଇପାରେ।