ପଞ୍ଜାବରେ ଗ୍ୟାଙ୍ଗଷ୍ଟର ଜର୍ଣ୍ଣେଲ ସିଂହକୁ ହତ୍ୟା, ମରାଯାଇଛି ୨୦ରୁ ୨୫ ଗୁଳି
24/05/2023 at 4:30 PM

ଅମୃତସର ୨୪।୫: ପଞ୍ଜାବରେ ଗ୍ୟାଙ୍ଗଷ୍ଟର ଜର୍ଣ୍ଣେଲ ସିଂହକୁ ହତ୍ୟା କରାଯାଇଛି। ତାକୁ ୨୦ରୁ ୨୫ଟି ଗୁଳି ମରା ଯାଇଛି। ଫଳରେ ତାର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣା ଅମୃତସର ସାଠିଆଲା ଗାଁରେ ହୋଇଛି, ଯେଉଁଠି କିଛି ଲୋକେ ଘେରିଯାଇ ଗ୍ୟାଙ୍ଗଷ୍ଟର ଉପରକୁ ଗୁଳିମାଡ କରିଛନ୍ତି। ପରେ ପୋଲିସ ପହଞ୍ଚି ଜର୍ଣ୍ଣେଲକୁ ହସ୍ପିଟାଲ ନେଇଥିଲା। ତେବେ ସେଠାରେ ତାକୁ ମୃତ ଘୋଷଣା କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ସିସିଟିଭି ଭିଡିଓ ମଧ୍ୟ ରହିଛି। ଯେଉଁଥିରେ ମୁଖାଧାରୀମାନେ ତାକୁ ଗୁଳି କରୁଥିବା ଦେଖାଯାଇଛି।

ଜର୍ଣ୍ଣେଲ ସିଂହର ହତ୍ୟା ଅଭିଯୋଗ ଗ୍ୟାଙ୍ଗଷ୍ଟର ଗୋପୀ ଘନଶ୍ୟାମପୁରିଆ ଗ୍ୟାଙ୍ଗ ଉପରେ ଲଗାଯାଉଛି। କୁହାଯାଉଛି ଏହି ଗ୍ୟାଙ୍ଗର ଲୋକେ ଜର୍ଣ୍ଣେଲ ସିଂହ ଉପରକୁ ଆଖିବୁଜା ଗୁଳି କରି ହତ୍ୟା କରିଛନ୍ତି। ଗତବର୍ଷ ମେ ୨୯ ତାରିଖରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଥିଲା। ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସିଦ୍ଧୁ ମୁସେୱାଲା ହତ୍ୟାର ମାଷ୍ଟରମାଇଣ୍ଡ ଗୋଲ୍ଡି ବରାଡ ବୋଲି କୁହାଯାଇଥିଲା। ସେ ଲରେନ୍ସ ବିଶ୍ନୋଇ ସହିତ ମିଶି ମୁସେୱାଲା ହତ୍ୟା ଯୋଜନା କରିଥିଲା।

ପଞ୍ଜାବରେ ଗତ ବର୍ଷମାନଙ୍କରେ ଯେତେ ବି ଗ୍ୟାଙ୍ଗୱାର ହୋଇଛି ଏହା ମୁଖ୍ୟତଃ ୮ଟି ଗ୍ୟାଙ୍ଗ ମଧ୍ୟରେ ହୋଇଛି। ତେବେ ସବୁଠୁ ଯାହା ବଡ଼ କଥା ହୋଇଛି ତାହା ହେଉଛି ଏହି ସବୁ ଗ୍ୟାଙ୍ଗୱାରରେ ଗ୍ୟାଙ୍ଗର ମୁଖ୍ୟଙ୍କ ମୃତ୍ୟୁ ହୋଇଛି ଅଥବା ପୋଲିସ ହାତରେ ଧରାପଡି ଜେଲରେ ଅଛନ୍ତି। ତେବେ ସବୁଠୁ ଯାହା ଅସୁବିଧା ଏହି ଗ୍ୟାଙ୍ଗଷ୍ଟରମାନେ ଜେଲ ଭିତରେ ମଧ୍ୟ ସେପରି କାମ କରୁଛନ୍ତି ଯେପରି ଜେଲ ବାହାରେ ରହି କରିପାରୁଥିଲେ। ଏହାର ଉଦାହରଣ ଭାବେ ତିହାର ଜେଲରେ ବନ୍ଦୀ ଲରେନ୍ସ ବିଶ୍ନୋଇକୁ ନିଆଯାଇପାରେ। ଲରେନ୍ସ ଜେଲରେ ଥିବା ବେଳେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ହୋଇଥିଲା।