ଆନନ୍ଦପୁର ୬|୬: ପ୍ରଶାସନ ଶୁଣିଲାନି, ଅଧାରେ ଅଟକି ଗଲେ ନେତା ଓ ସଂସ୍ଥା । କିନ୍ତୁ ମୁଣ୍ଡି ମାରିବାକୁ ଅଣ୍ଟାଭିଡିଲେ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । ଆନନ୍ଦପୁର ଉପଖଣ୍ଡର ଶାଳନ୍ଦୀ ତଟ କାନପୁର ଗାଁ ଲୋକଙ୍କ ବହୁ ଦିନର ଆଶା ପୂରଣ ହେବାକୁ ଯାଉଛି । ସରି ଆସିଲାଣି ପୋଲ ନିର୍ମାଣ କାର୍ଯ୍ୟ । ଆଉ ସବୁ ଶ୍ରେୟ କାନପୁର ବାସିନ୍ଦା ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଗଙ୍ଗାଧର ରାଉତଙ୍କୁ ଯାଇଛି । ସେ ସରକାରୀ ଚାକିରିରୁ ଅବସର ପରେ ପାଇଥିବା ପୁରା ପ୍ରାପ୍ୟକୁ ପୋଲ ନିର୍ମାଣ କାମ ପାଇଁ ଦାନ କରିଛନ୍ତି ।
{"id":120124}ଆଉ ଜଣେ ବାଇମୁଣ୍ଡି । ତାଙ୍କର କଷ୍ଟ ଅର୍ଜୀତ ପ୍ରାପ୍ୟକୁ ସେ ଶାଳନ୍ଦି ନଦୀ ଉପରେ ପୋଲ ପାଇଁ ଦାନ କରିଛନ୍ତି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅନ୍ତର୍ଗତ କାନପୁର ଗାଁର ଏହି ବ୍ୟକ୍ତି ଜଣକୁ ଏବେ ଖାଲି ପ୍ରସଂସା ଆଉ ପ୍ରଶଂସା । କାରଣ ପ୍ରଶାସନ , ନେତା କିମ୍ବା ବେସରକାରୀ ସଂସ୍ଥା ଯାହା କରିପାରିଲେନି , ଏହି ବ୍ୟକ୍ତି ଜଣକ ତାହା କରିବାରେ ସଫଳ ହୋଇଛନ୍ତି ।
{"id":120125}ଏ ହେଉଛନ୍ତି କାନପୁର ଗାଁର ଗଙ୍ଗାଧର ରାଉତ । ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ । ଅବସର ପରେ ଅବସର ପ୍ରାପ୍ୟ ଜଣେ ବ୍ୟକ୍ତିଙ୍କ ଲାଗି ସବୁଠୁ ବେଶି ଦରକାର ହୋଇଥିବା ବେଳେ, ଏକ ମହତ ଲକ୍ଷ୍ୟରେ ତାହାକୁ ଦାନ କରିଛନ୍ତି ଗଙ୍ଗାଧର । ତାଙ୍କରି ଅର୍ଥରେ ଦୂରହେବାକୁ ଯାଉଛି କାନପୁର ବାସୀଙ୍କ ଦୁଃଖ । ଶାଳନ୍ଦୀ ଉପରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଅଟକିଥିବା ପୋଲ କାମ ଏବେ ସରିବା ଉପରେ । ଆଉ ବିପଦଜନକ ଅବସ୍ଥାରେ ନଦୀ ପାର ହେବେନି ଲୋକେ । ବହୁତ ଖୁସି ଗାଁ ଲୋକେ ।
{"id":120126}ସାଳନ୍ଦୀ ତଟର କାନପୁର ଗାଁ ପାଇଁ ଶାଳନ୍ଦୀ ଅତିକ୍ରମ ଥିଲା ସମସ୍ୟା । ନଦୀ ଆରପଟେ ଥିବା କ୍ଷେତ ଓ ବଗିଚାକୁ ଯିବାକୁ ନଥିଲା ସ୍ଥାୟୀ ପୋଲ । ହଳ-ବଳଦ ଧରି ଆତଙ୍କିତ ଅବସ୍ଥାରେ ନଦୀ ପାର ହେଉଥିଲେ ଲୋକେ । ପୋଲ ଦାବି ପ୍ରତି ପ୍ରଶାସନର କାନ ସତେ ଯେପରି ବନ୍ଦ ଥିଲା ।
{"id":120127}ତେବେ ୨୦୦୫ ରେ ପ୍ରଥମେ ପ୍ରୟାସ ଆରମ୍ଭ ହୋଇଥିଲା । କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ କିଛି ଅର୍ଥ ଦେଇଥିଲେ । ସ୍ଥାନୀୟ ବିଧାୟକ ତାଙ୍କ ପାଣ୍ଠିରୁ କିଛି ସହାୟତା ଦେଇଥିଲେ । ତଥାପି ଆଧାରେ ଅଟକିଗଲା ପୋଲ କାମ । ଆଉ ସେହି କାମ ସାରିବାକୁ ହିଁ ସହାୟତାର ହାତ ବଢାଇଲେ ଗଙ୍ଗାଧର ରାଉତ । ୨୦୧୬ ମସିହାରେ ଅବସର ନେଇଥିବା ଗଙ୍ଗାଧର ନିଜ ଅବସର ପ୍ରାପ୍ୟ ବାବଦ ପାଇଥିବା ଅର୍ଥରୁ ୧୦ ଲକ୍ଷ ଟଙ୍କା ପୋଲ କାମରେ ଲଗାଇ ସାରିଲେଣି । ଅବଶିଷ୍ଟ ପ୍ରାପ୍ୟକୁ ବି ବିନିଯୋଗ କରିବାକୁ ଆଶା ରଖିଛନ୍ତି । ଏପଟେ କାମ ସରିବା ଉପରେ । ଏଥିରେ ତାଙ୍କୁ ତାଙ୍କ ପରିବାର ବି ଦେଇଛନ୍ତି ସହଯୋଗ ।
{"id":120128}ଅର୍ଥସର୍ବସ୍ୱ ସମାଜରେ ଏପରି ବି ସହୃଦୟ ବ୍ୟକ୍ତି ଅଛନ୍ତି, ଯେଉଁ ମାନେ ନିଜଠୁ ପରିବାରଠୁ ସମାଜକୁ ବେଶି ଭଲପାଆନ୍ତି । ଦିନେ କଟକର ସୁରକ୍ଷା ପାଇଁ ବନ୍ଧ କରିବାକୁ ରାଜାଙ୍କୁ ସଞ୍ଚିତ ଅର୍ଥ ଦାନ କରିଥିଲେ ବାଇମୁଣ୍ଡି । ଆଉ ଏବେ ଶାଳନ୍ଦୀ ଉପରେ ପୋଲ ପାଇଁ ଗଙ୍ଗାଧରଙ୍କ ତ୍ୟାଗ । ନିଶ୍ତିତ ଭାବେ ପ୍ରଶଂସନୀୟ ଏବଂ ପ୍ରେରଣାଦାୟୀ ।