ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ନିଲମ୍ୱନ କଲା ଗୃହ ମନ୍ତ୍ରାଳୟ

Published By : Prameya-News7 Bureau | October 17, 2022 IST

ପୋର୍ଟ ବ୍ଲେୟାର, ୧୭/୧୦: ସରକାରୀ ଚାକିରୀ ଦେବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ କଲେ ମୁଖ୍ୟ ଶାସନ ସଚିବ । ଉଚ୍ଚ-ପଦସ୍ଥ ସରକାରୀ ଅଧିକାରୀଙ୍କ ଏପରି ଘୃଣ୍ୟ କାର୍ଯ୍ୟ ଆଣ୍ଡାମାନ୍‌ ଏବଂ ନିକୋବର ଦ୍ୱିପରେ ଦେଖିବାକୁ ମିଳିଛି । ବରିଷ୍ଠ ପ୍ରଶାସନିକ ଅଧିକାରୀ ଜିତେନ୍ଦ୍ର ନାରାୟଣଙ୍କ ନାମରେ ଏପରି ଅଭିଯୋଗ ହୋଇଛି । ଜଣେ ୨୧ ବର୍ଷୀୟ ମହିଳା ନାରାୟଣ ଏବଂ ଅନ୍ୟ ଜଣେ ଆଇଏଏସ୍‌ ଅଧିକାରୀ ଆର୍‌ଏଲ୍‌ ଋଷି ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ।

ମହିଳା ଜଣକ ଚାକିରୀ ଖୋଜୁଥିବା ବେଳେ ଜଣେ ହୋଟେଲ୍‌ ମାଲିକ ତାଙ୍କୁ ଆଇଏଏସ୍‌ ଅଧିକାରୀ ଆର୍‌ଏଲ୍‌ ଋଷିଙ୍କ ସହ ସାକ୍ଷାତ କରାଇଥିଲେ । ଋଷି ତାଙ୍କୁ ସରକାରୀ ଚାକିରୀ କରାଇଦେବାକୁ କହି ତାଙ୍କ ଅନିଚ୍ଛା ସତ୍ତ୍ୱେ ଜିତେନ୍ଦ୍ରଙ୍କ ସହ ଭେଟ କରାଇଥିଲେ । ଜିତେନ୍ଦ୍ର ତାଙ୍କୁ ତାଙ୍କ ଘରେ ମଦ ପିଇବା ପାଇଁ ଅଫର୍‌ କରିଥିବା ବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ସେମାନେ ଦୁହେଁ ମିଶି ତାଙ୍କୁ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି ।

ଗତମାସରେ ଏନେଇ ପୋଲିସ୍‌ରେ ଅଭିଯୋଗ କରିଥିଲେ ମହିଳା । ତାଙ୍କୁ ଏପ୍ରିଲ୍‌ ଏବଂ ମେ ମାସରେ ଦୁଇଥର ଗଣ ଦୁଷ୍କର୍ମ କରାଯାଇଥିବା ଏଥିରେ ଉଲ୍ଲେଖ କରିଥିଲେ । ଏଥି ସହିତ ଏହାର ପ୍ରମାଣ ପାଇଁ ଜିତେନ୍ଦ୍ର ରହୁଥିବା ଘରର ସିସିଟିଭି ଯାଞ୍ଚ ପାଇଁ ପୋଲିସ୍‌କୁ କହିଥିଲେ ।  

ଅକ୍ଟୋବର ୧୬ ତାରିଖରେ ଆଣ୍ଡାମାନ ଏବଂ ନିକୋବର ପୋଲିସ୍‌ ଏନେଇ ଗୃହ ବିଭାଗକୁ ଜଣାଇଥିଲା । ପୋଲିସ୍‌ ଦ୍ୱିପର ମୁଖ୍ୟ ଶାସନ ସଚିବ ଥିବା ଆଇଏଏସ୍‌ ଅଧିକାରୀ ଜିତେନ୍ଦ୍ର ନାରାୟଣ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିବା ଏଥିରେ ଜଣାଇଥିଲେ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସରକାରଙ୍କ ଉଚ୍ଚ ପଦରେ ରହିଛନ୍ତି ଜିତେନ୍ଦ୍ର । ତେଣୁ ତାଙ୍କ ନାମରେ ଆସିଥିବା ଅଭିଯୋଗର ତଦନ୍ତ ପ୍ରଭାବିତ ହେବାର ଅନେକ ସମ୍ଭାବନା ରହିଛି ।

ତେବେ ଏହି ରିପୋର୍ଟର ବିଚାର କରି ଗୃହ ମନ୍ତ୍ରାଳୟ ତାଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ଚାକିରୀରୁ ନିଲମ୍ୱିତ କରାଯାଇଛି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି । କେନ୍ଦ୍ର ସରକାର ପଦ ହେଉ ବା ସ୍ଥିତିକୁ ଧ୍ୟାନ ନଦେଇ ଶୂନ୍ୟ ସହନଶୀଳତା ନୀତି ଅପଣାଇଛନ୍ତି ବୋଲି ଗୃହମନ୍ତ୍ରାଳୟ କହିଥିବା ବେଳେ ମହିଳାଙ୍କ ସମ୍ମାନ କ୍ଷେତ୍ରରେ ଏହାକୁ ବରଦାସ୍ତ କରାଯିବନି ବୋଲି ସୂଚନା ଦେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.