ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଗଣେଶ ମେଢ, ଜଣେ ମୃତ, ତିନି ଗୁରୁତର
18/09/2023 at 8:47 PM

ଯାଜପୁର: ସକାଳ ହେଲେ ବିରାଜିବେ ବିଘ୍ନ ବିନାଶକ ଗଣେଶ। ଏଥିପାଇଁ ସହରଠୁ ନେଇ ପୂରପଲ୍ଲୀ ଚଳଚଞ୍ଚଳ। ତେବେ ଗଣେଶ ପୂଜା ପାଇଁ ସାଜସଜ୍ଜା ସମୟରେ ଘଟିଛି ଅଘଟଣ। ଯାଜପୁର ବରୀ ବ୍ଲକ ବାଲିବିଲ ପଞ୍ଚାୟତ ଠାରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଏହି ଘଟଣା ସ୍ଥାନୀୟରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ପ୍ରାୟ ୮ ଜଣ ଯୁବକ ଗୋଟିଏ ଟ୍ରାକ୍ଟରରେ ଗଣେଶ ମେଢ଼ ନେଇ ଯାଉଥିଲା ବେଳେ ବାଲିବିଲ ନିକଟ ରାସ୍ତା ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସହିତ ମେଢ଼ ଲାଗି ଯାଇଥିଲା । ଫଳରେ ଟ୍ରାକ୍ଟର ଚାର୍ଜ ହୋଇ ଯାଇଥିଲା । ଟ୍ରାକ୍ଟରରେ ଥିବା ଯୁବକ ମାନଙ୍କ ମଧ୍ୟରୁ କିଛି ଛିଟିକି ପଡିଥିଲା ବେଳେ ଚାରି ଜଣ ଗୁରୁତର ଆହତ ହୋଇଥିଲେ ।
Also read- ଛାତ୍ର ସଂସଦ ନିର୍ବାଚନ କରାଇବା ଦାବିରେ ହାଇକୋର୍ଟରେ ମାମଲା ଦାୟର
ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଢିଅ ବାରିଙ୍ଗି ଗ୍ରାମର ଦତ୍ତହରି ରାଉତଙ୍କ ପୁଅ ସମୀର ରାଉତ(୩୫)ଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ବାଜପଡା ଗ୍ରାମର ନରେଶ ଦାସ(୩୪), ଅଜମ୍ବର ରାଉତ(୩୫) ଓ ସମରେନ୍ଦ୍ର ରାଉତ(୩୫) ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନରେଶ ଦାସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।