ପାଖେଇ ଆସୁଛି ଗଣେଷ ପୂଜା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…
13/09/2023 at 1:17 PM

ଭଦ୍ରକ ୧୩।୦୯ : ଏଥର ଜାକଜମକରେ ହେବ ବିଘ୍ନ ବିନାଶକଙ୍କ ଆବାହନ । ଭଦ୍ରକ ଜିଲ୍ଲାର ଐତିହାସିକ ବାବା ବୁଢା ଗଣେଶ , ଟୋକା ଗଣେଶ , ପିଲା ଗଣେଶଙ୍କ ଆବାହନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଉ କିଛି ଦିନ ପରେ ଧରାବତରଣ କରିବେ ଗଜାନନ । ପ୍ରଶାସନ ତରଫରୁ ପୂଜା କମିଟି ସହ ଆଲୋଚନା ପରେ ଚାଲିଛି ପ୍ରସ୍ତୁତି ।

ଆଉ ଦିନ କେଇଟା ପରେ ଦୁଲୁକିବ ପୂଜା ମଣ୍ଡପ। ଧରାବତରଣ କରିବେ ବିଘ୍ନ ବିନାଶକ । ସବୁବର୍ଷ ପରି ଏଥର ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ଐତିହାସିକ ବାବା ବୁଢା ଗଣେଶଙ୍କ ଆବାହନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୋଗଲ ତାମସାରେ ମଧ୍ୟ ବାବା ବୁଢା ଗଣେଶଙ୍କ ବିଷୟ ରେ ବର୍ଣ୍ଣନା ହୋଇଛି । ଏଠି ସ୍ୱତନ୍ତ୍ରତା ଯେ, ପ୍ରତ୍ୟେକ ବର୍ଷ ବାବାଙ୍କ ମୂର୍ତ୍ତି ସମାନ ଭାବେ ନିର୍ମିତ ହୋଇଥାନ୍ତି । ମାନସିକ କଲେ ପୂରଣ ହେବା ନେଇ ବହୁ ଉଦାହରଣ ରହିଛି । ବାବା ଗୋଟାଏ ମାସ ଧରି ମଣ୍ଡପରେ ବିରାଜିତ ହୁଅନ୍ତି । ଏହି ସମୟ ମଧ୍ୟରେ ହେବାକୁ ଥିବା ପର୍ବପର୍ବାଣି ମଧ୍ୟ ପାଳିତ ହୁଏ । ରାଜ୍ୟ ବାହାରୁ ମାନସିକଧାରୀ ମଧ୍ୟ ଆସିଥାନ୍ତି । ବନ୍ଧୁ ମିଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରେ ପୂଜା କମିଟି । ମାସେ ପରେ ଜାକଜମକରେ ହୁଏ ବିସର୍ଜନ ଶୋଭାଯାତ୍ର ।
ସେହିପରି ବାବା ଟୋକା ଗଣେଶଙ୍କ ପୂଜା କମିଟି ଏଥର କିଛି ନୂଆ କରି ପୂଜା ଆୟୋଜନ କରିବ । ଚାନ୍ଦି ମେଢ଼ରେ ପୂଜା ପାଇବେ ବାବା ବୁଢା ଗଣେଶ । ଅଳଙ୍କାର ମଧ୍ୟ ଚାନ୍ଦିରେ ନିର୍ମିତ ହୋଇଛି । ମୂର୍ତ୍ତିକାର ମାନେ ମଧ୍ୟ ମୂର୍ତ୍ତି ପ୍ରସ୍ତୁତିରେ ବ୍ୟସ୍ଥ । ଭଳିକି ଭଳି ଡିଜାଇନର ମୂର୍ତ୍ତି ତିଆରି ହେଉଛି । ଅନେକ ସ୍ଥାୟୀ ମଣ୍ଡପରେ ମୂର୍ତ୍ତିକାର ମାନେ ମୂର୍ତ୍ତି ଗଢୁଥିବା ବେଳେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ସ୍ଥିତ କୁମ୍ଭାରସାହିରେ ଅନେକ ପରିବାର ଏବେ ମୂର୍ତ୍ତି ତିଆରି କରୁଛନ୍ତି । ପୂର୍ବ ଭଳି ଏଥର ମଧ୍ୟ ନୂଆ ନୂଆ ଥିମ ଆଧାରରେ ଆକର୍ଷଣୀୟ ମୂର୍ତ୍ତି ତିଆରି ସରିଛି । ଅନେକ ମଣ୍ଡପ ମଧ୍ୟ ନିଜ ମନ ପସନ୍ଦର ଡିଜାଇନ ଦେଇ ମୂର୍ତ୍ତି ଗଢିଛନ୍ତି ।

ପୋଲିସ ମଧ୍ୟ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ମଣ୍ଡପ ଗୁଡିକ ପାଇଁ କେତେକ ଗାଇଡ଼ ଲାଇନ ପ୍ରସ୍ତୁତ କରିଛି । ଟ୍ରାଫିକ ବ୍ୟବସ୍ଥା ସହ ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ସୁଗମ କରିବା ନେଇ ପୋଲିସ ପ୍ରସ୍ତୁତ ରହିଛି ।