ସମଗ୍ର ଦେଶରେ କେବଳ ସମ୍ବଲପୁର ଜିଲ୍ଲାରେ ରହିଛି ଗାନ୍ଧୀଙ୍କ ଏକମାତ୍ର ମନ୍ଦିର: ଯେଉଁଠି ଠାକୁରଙ୍କ ଭଳି ପୂଜା ପାଆନ୍ତି ମହାତ୍ମା
Published By : Prameya-News7 Bureau | October 02, 2018 IST
ସମ୍ବଲପୁର୨|୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ, ଗାନ୍ଧୀ ମନ୍ଦିରରେ ପୂଜାର୍ଚ୍ଚନା, ସଂକୀର୍ତ୍ତନ,ରାମଧୂନ୍ ସାଙ୍ଗକୁ, ଗୀତା ପାଠ ଓ ଭାଗବତ ଚର୍ଚ୍ଚା । ସମ୍ବଲପୁର ଭତ୍ରା ଗାନ୍ଧୀ ମନ୍ଦିରରେ ଦେଖିବାକୁ ମିଳିଥିଲା ଏଭଳି ଆଧ୍ୟାତ୍ମିକ ପରିବେଶ । ରାଜ୍ୟ ତଥା ଦେଶର ଏକମାତ୍ର ଗାନ୍ଧିଙ୍କ ମନ୍ଦିରରେ ଗାଁର ଦଳିତ ନିଷ୍ପେସିତ ଲୋକଙ୍କ ସହ ସାଧାରଣ ଲୋକେ ବିଶ୍ବାସର ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ମନ୍ଦିର ପାଇଁ ହିଁ ଗାଁ ପାଲଟିଛି ଅହିଂସାଧର୍ମୀୟଙ୍କ ତୀର୍ଥସ୍ଥଳ । …
ଗାନ୍ଧୀଙ୍କ ପୂଜାର୍ଚ୍ଚନା । ଗାନ୍ଧୀ ମନ୍ଦିରରେ ଦେବାଦେବୀଙ୍କ ଭଳି ପୂଜା ପାଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧି । ଗାନ୍ଧୀ ଜୟନ୍ତୀ ଅବସରରେ ମନ୍ଦିରରେ ସବୁ ସଂପ୍ରଦାୟର ଲୋକେ ସଂକୀର୍ତ୍ତନ,ରାମଧୂନ୍ ସାଙ୍ଗକୁ, ଗୀତା ପାଠ ଓ ଭାଗବତ ଚର୍ଚ୍ଚା କରିଛନ୍ତି । ସ୍ବାଧୀନତା ସଂଗ୍ରାମ ବେଳେ ୧୯୨୦ ରେ ସମ୍ବଲପୁର ବାଲିବନ୍ଧାକୁ ଆସିଥିଲେ ଗାନ୍ଧିଜୀ। ସେଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାସହ, ଦଳିତ ସଂପ୍ରଦାୟଙ୍କ ଘରେ ରାତ୍ରି ଯାପନ କରି ରାତ୍ରି ଭୋଜନ କରିଥିଲେ । ଛୁଆଁ ଅଛୁଆଁ ଭାବ ତୀବ୍ର ରହିଥିବା ବେଳେ, ଗାନ୍ଧୀଜୀଙ୍କ ଏପରି ବାର୍ତ୍ତା ଦଳିତ ଓ ଆଦିବାସୀଙ୍କ ମନକୁ ଜିତିଥିଲା ।ଗାନ୍ଧୀଜୀଙ୍କ ଦେହାନ୍ତ ପରେ, ତାଙ୍କର ଏକ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ, ଭତରା ଗାଁର ଦଳିତ ସଂପ୍ରଦାୟର ଲୋକେ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ରାଜ୍ୟ ତଥା ଦେଶର ଏହି ଏକମାତ୍ର ଗାନ୍ଧୀମନ୍ଦିରରେ ପୂଜା ପାଇ ଆସୁଛି ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ।
ଗାନ୍ଧିଙ୍କ ମନ୍ଦିର ପାଇଁ ୧୯୭୦ରେ ଗାଁର ଜଣେ ବ୍ୟକ୍ତି ମନ୍ଦିର ପାଇଁ ଜମି ଦେଇଥିଲେ । ୧୯୭୨ରେ ତତ୍କାଳୀନ ଉତ୍ତରାଞ୍ଚଳ ଆର୍ଡିସି ଭତରା ଗାଁରେ ମହାତ୍ମାଗାନ୍ଧୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜା କରିଥିଲେ। ମନ୍ଦିର ନିର୍ମାଣ ଖର୍ଚ୍ଚ ପାଇଁ ସେତେବେଳେ ଜିଲ୍ଲାପ୍ରଶାସନ ୧୦ହଜାର ଟଙ୍କା ଦେଇଥିଲା । ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣ ଅବୟବ ବ୍ରୋଞ୍ଚ ମୂର୍ତ୍ତୀ ପ୍ରତିଷ୍ଠା କରିବା ପାଇଁ ସବୁ ଖର୍ଚ୍ଚ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଦେଇଥିଲେ । ଏପ୍ରିଲ୍ ୧୧, ୧୯୭୪ରେ ଏହାକୁ ଉଦ୍ଘାଟନ କରିଥିଲେ ନନ୍ଦୀନ ଶତପଥୀ । ଅନ୍ୟସବୁ ମନ୍ଦିର ପରି ଏହି ମନ୍ଦିରରେ ମଧ୍ୟ ସକାଳଧୂପ, ନିଶଙ୍କୁଡି ଭୋଗ, ଧୂପ,ଆଳତୀ କରାଯିବା ସହ, ପ୍ରତ୍ୟହ ରାମ୍ଧୂନ,ପ୍ରହରୀ କରାଯାଉଛି । ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨, ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସରେ ପ୍ରାତଃହରୁ ରାମଧୂନ କରାଯିବା ସହ, ପ୍ରଭାତ ଫେରି କରାଯାଏ ।
ଗାନ୍ଧୀଜୀ ଆଦର୍ଶକୁ ଭୁଲି ଯାଇ ରାଜନୈତିକ ଦଳର ନେତା ଓ କର୍ମୀ ହିଂସା ଦ୍ବେଶରେ ମାତୁଛନ୍ତି । ହେଲେ ଭତ୍ରା ଗାଁର ଲୋକେ ଗାନ୍ଧିଙ୍କ ଆଦର୍ଶକୁ ନେଇ ଅହିଂସାର ବାର୍ତ୍ତା ପ୍ରଚାର କରୁଛନ୍ତି ।