ଓଡ଼ିଶାର ଏହି ସ୍ଥାନରେ ରହିଛି ଗାନ୍ଧୀଜୀଙ୍କ ମନ୍ଦିର; ଜୟନ୍ତୀରେ ପୂଜା ପାଆନ୍ତି ମହାତ୍ମା, ହୁଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Published By : Prameya-News7 Bureau | October 02, 2022 IST

ସମ୍ୱଲପୁର ୦୨/୧୦: ସମ୍ବଲପୁର ଭତରାରେ ରହିଛି ଭାରତର ପ୍ରଥମ ଗାନ୍ଧୀ ମନ୍ଦିର। ଯେଉଁଠି ଭଗବାନଙ୍କ ମୂର୍ତ୍ତି ବଦଳରେ ରହିଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି। ବର୍ଷ ତମାମ ୩୬୫ ଦିନ ଧରି ସେଠାରେ ମହାତ୍ମା ଗାନ୍ଧୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। କିନ୍ତୁ ବିଶେଷ କରି ଗାନ୍ଧି ଜୟନ୍ତୀରେ  ଏହି ମନ୍ଦିରରେ ବହୁ ଲୋକଙ୍କ ଭିଡ ଜମେ। ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ମନ୍ଦିରକୁ ଆସି ପୂଜା କରିବା ସହିତ ଗାନ୍ଧୀ ଜୟନ୍ତୀ ପାଳନ କରନ୍ତି। ରେଢ଼ାଖୋଲର ତତ୍କାଳୀନ ବିଧାୟକ ଅଭିମନ୍ୟୁ କୁମ୍ଭାର ୧୯୭୨ରେ ଏହି ଗାନ୍ଧୀ ମନ୍ଦିରକୁ ସମ୍ବଲପୁର ସହରର ଭତରାରେ ତିଆରି କରିଥିଲେ। ୧୯୭୪ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହାକୁ ଉଦଘାଟନ କରିଥିଲେ।

ଏହି ମନ୍ଦିର ସର୍ବଧର୍ମ ସମନ୍ବୟ ଓ ଅହିଂସାର ବାର୍ତ୍ତା ଦିଏ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅହିଂସାର ବାର୍ତ୍ତା ଦେଉଥିବା ଏହି ମନ୍ଦିରରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି। ତେବେ ବିଭିନ୍ନ ରାଜନୈତିକ ଦଳର କର୍ମୀ ତଥା ନେତା ଓ ଜିଲ୍ଲାପାଳ ରବିବାର ମନ୍ଦିର ଯାଇ ବାପୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ତେବେ ମନ୍ଦିରର ଯେଉଁ ବିକାଶ ଓ ଉନ୍ନତି ହେବା କଥା ହେଉନାହିଁ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ମନ୍ଦିର ସହ ଜଡିତ ଥିବା କର୍ମକର୍ତ୍ତା। କେବଳ ଗୋଟିଏ ଦିନ ପାଇଁ ସମସ୍ତେ ଆସନ୍ତି ଓ ମନ୍ଦିରର ଉନ୍ନତି ପାଇଁ ପ୍ରତିଶୃତି ଦିଅନ୍ତି ବୋଲି କହିଛନ୍ତି ସେମାନେ ଜଣାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.