ରିଙ୍କୁ ସିଂଙ୍କ ଡବଲ ଧମାଲ୍‌; ବୋଲିଂରେ ଡେବ୍ୟୁ କରି କଲେ ଐତିହାସିକ କାରନାମା, ହେଡ୍‌ କୋଚ୍‌ ଦେଲେ ରିଆକ୍ସନ୍‌

Published By : Prameya-News7 Bureau | July 31, 2024 IST

ନୂଆଦିଲ୍ଲୀ ୩୧।୦୭:  ଟି-୨୦ ଇଣ୍ଟରନ୍ୟାସନାଲ୍‌ ମ୍ୟାଚରେ ବୋଲିଂରେ ଡେବ୍ୟୁ । ଶ୍ରୀଲଙ୍କା ବିପକ୍ଷରେ କଲେ ଦମଦାର୍‌ ପ୍ରଦର୍ଶନ । ସିରିଜ୍‌ର ୩ୟ ମ୍ୟାଚରେ କଲେ ଜବରଦସ୍ତ ବୋଲିଂ । ୧୯ ଓଭରରେ ବୋଲି ପାଇଁ ଆସି ହେଲେ ମ୍ୟାଚ୍‌ ଓ୍ବିନର । ୨ ଓ୍ବିକେଟ ନେଇ ଟିମ୍‌ ଇଣ୍ଡିଆକୁ କରାଇଲେ ପ୍ରତ୍ୟାବର୍ତ୍ତନ । 

ରିଙ୍କୁ ସିଂ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ର ଶେଷ ଓଭର ଆସି କରିଛନ୍ତି ଧମାଲ୍‌ । ୧୯ତମ ଓଭରରେ ରିଙ୍କୁ ସିଂଙ୍କୁ ବୋଲିଂ ଦାୟିତ୍ବ ଦେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଯେତେବେଳେ ରିଙ୍କୁ ବୋଲିଂ ପାଇଁ ପଡିଆକୁ ଓହ୍ଲାଇଥିଲେ, ସେତେବେଳେ ଶ୍ରୀଲଙ୍କାକୁ ଜିତିବା ପାଇଁ ଆବଶ୍ୟକ ରହିଥିଲା ୨ ଓଭରରେ ମାତ୍ର ୯ ରନ୍ । 

ରିଙ୍କୁଙ୍କ ଓଭର ଆରମ୍ଭ ପୂର୍ବରୁ ଲାଗୁଥିଲା କି ଶ୍ରୀଲଙ୍କା ସହଜରେ ଜିତିବ । କିନ୍ତୁ ଖେଳକୁ ପୁରା ଓଲଟପାଲଟ କରି ଦେଇଥିଲେ ରିଙ୍କୁ ସିଂ । ରିଙ୍କୁ ତାଙ୍କ ଓଭରରେ ମାତ୍ର ୩ରନ୍‌ ଦେଇଥିଲେ । କେବଳ ଏତିକି ନୁହେଁ ସେ  ୨ଟି ଓ୍ବିକେଟ ମଧ୍ୟ ନେଇଛନ୍ତି ।  ରିଙ୍କୁଙ୍କ ପ୍ରଥମ ବଲ୍‌ ଡଟ୍‌ ରହିଥିଲା । 

ଏହାପରେ ଦ୍ବିତୀୟ ବଲରେ ସେ କୁସଲ ପରେରାଙ୍କୁ କ୍ୟାଚ୍‌ ଜରିଆରେ ଆଉଟ୍‌ କରିଥିଲେ । ରିଙ୍କୁ ଓ୍ବିକେଟ୍‌ ନେବା ଦେଖି ଏକ ଶାନଦାର୍‌ ସ୍ମାଇଲ୍‌ ଦେଇଥିଲେ ହେଟ୍‌ କୋଚ୍‌ ଗୌତମ ଗମ୍ଭୀର । ତାଙ୍କର ସେହି ସମୟର ରିଆକ୍ସନ୍‌ ଏବେ ସୋଶିଆଲ୍‌ ମିଡିଆରେ ଭାଇରାଲ୍ ହେଉଛି । ହେଡ୍‌ କୋଚ୍‌  ରିଙ୍କୁଙ୍କ ବୋଲିଂରେ ବହୁତ ଖୁସି ଥିବା ଜଣାପଡୁଛି । 

ରିଙ୍କୁ ୱିକେଟ୍ ନେବା ମାତ୍ରେ ହିଁ ଗମ୍ଭୀରଙ୍କ ମୁହଁରେ ହସ ଫୁଟି ଉଠିଥିଲା। ଗମ୍ଭୀରଙ୍କ ଏହି ପ୍ରତିକ୍ରିୟା ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି । ଯଦି ମ୍ୟାଚ୍‌ ବିଷୟରେ କହିବା ତେବେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ସୁପର ଓଭରରେ ପହଞ୍ଚିଥିଲା । ସୁପର ଓଭରରେ ଟିମ୍ ଇଣ୍ଡିଆ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦ ଓଭରରେ କରିଥିଲା ୧୩୭ ରନ୍‌ । 

ଏହାର ଜବାବରେ ଶ୍ରୀଲଙ୍କା ମଧ୍ୟ ୧୩୭ ରନ୍‌ ସ୍କୋର୍‌ କରିପାରିଥିଲା । ଯେଉଁକାରଣରୁ ମ୍ୟାଚ୍‌ ଟାଇ ହୋଇଥିଲା । ଏହାପରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ମାତ୍ର ୨ ରନ୍ କରିଥିଲା। ଏହାପରେ ସୁପର ଓଭରରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇବା ମାତ୍ରେ ହିଁ ଛକା ମାରି ବିଜୟ ହାସଲ କରିଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.