ଚଳଚଞ୍ଚଳ ବଡଦାଣ୍ଡ, ୩ ରଥରେ ଛେରାପହଁରା କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

Published By : Prameya-News7 Bureau | July 01, 2022 IST

ପୁରୀ ୧।୭: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ହୋଇଛନ୍ତି ମହାପ୍ରଭୁ । ଚଳଚଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ହୋଇଛି ମହାମିଳନ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ପ୍ରକମ୍ପିତ ହୋଇଉଠିଛି ବଡଦାଣ୍ଡ । ସକାଳୁ ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ତିନି ଠାକୁର । ଏହାପରେ ତିନି ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରଥ ଉପରେ ଛେରାପହଁରା ନୀତି କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ଭଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରାପହଁରା କରିଥିଲେ ମହାରାଜା । ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ କରିଥିଲେ ମହାରାଜା ଦିବ୍ୟସିଂହ ଦେବ ।

ଦୁଇ ବର୍ଷ କାଳ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଥିଲା କରୋନା । ଦୁଇ ବର୍ଷ ପରେ ଘଣ୍ଟ, ଘଣ୍ଟା, କାହାଳୀ ନାଦରେ ପୁଣି ଦୁଲୁକୁଛି ବଡଦାଣ୍ଡ । ପତିତପାବନ ଯାତ୍ରାରେ ଶରଧାବାଲି ଜନ୍ମବେଦୀକୁ ବିଜେ କରିବେ ଶ୍ରୀଜିଉ । ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡଦାଣ୍ଡ । ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ବନୀରେ ଗଗନପବନ ମୁଖରିତ ହୋଇଛି ବଡଦାଣ୍ଡ।

ରଥଯାତ୍ରା ପାଇଁ ପୁରୀରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରୀର ସମସ୍ତ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ପୂରା ସହର ଉପରେ ନଜର ରଖିଛି ସିସିଟିଭି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ରେ ପ୍ରତିଟି ଗାଡି ସହ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି ପୋଲିସ ଟିମ୍‌ । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପୁରୀରେ ୧୮୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିବା ବେଳେ ୧ ହଜାର ବଛା ବଛା ଅଧିକାରୀ, ସାଧା ପୋଷାକଧାରୀ ପୋଲିସ, ବମ୍‌ ସ୍କ୍ବାର୍ଡ଼, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.