ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତାପ୍ରକଟ କଲେ ଗଜପତି ମହାରାଜ,ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା

Published By : Prameya-News7 Bureau | July 10, 2024 IST

ପୁରୀ ୧୦/୭: ଆଡପ ପହଣ୍ଡି ବେଳେ ବଡଠାକୁର ପଡିଯିବା ଘଟଣା ସମସ୍ତଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ଏଭଳି ଦୃଶ୍ୟ ଆମେ କେବେ ଦେଖିନଥିଲୁ । ଅଘଟଣ କାହିଁକି ଓ କେମିତି ଘଟିଲା ତଦନ୍ତ ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଚିନ୍ତାପ୍ରକଟ କରି ଏମିତି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ ଆହୁରି କହିଛନ୍ତି ଏହି ଘଟଣାକୁ ନେଇ ସେବାୟତମାନେ ଯାହା ଶିକ୍ଷା ପାଇବା କଥା ପାଇସାରିଛନ୍ତି । କେତେ ଗୁଡିଏ ମୂଳ ସମସ୍ୟା ରହିଛି। ପହଣ୍ଡିରେ ଅଧିକ ସଂଖ୍ୟକ ସେବକ ଏବଂ ରଥ ଉପରେ ଅଧିକ ସଂଖ୍ୟକ ସେବକ ରହିବା ଚିନ୍ତାଜନକ। ନିଳାଦ୍ରୀ ବିଜେ ପରେ ଏହି ଘଟଣା ନେଇ ତଦନ୍ତ ହେବ। ଆଗାମୀ ରଥଯାତ୍ରା ସମୟରେ ଯେଭଳି ଏହାର ପୁନରାବୃତ୍ତି ନହେବ ସେନେଇ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି।


ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପହଣ୍ଡି ଅଘଟଣ ଏବଂ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ। କହିଛନ୍ତି ପହଣ୍ଡି ବେଳେ ଘଟିଥିବା ଅଘଟଣକୁ ନେଇ ଏକ କମିଟି ଗଠନ କରାଯାଇଛି । କମିଟିରେ ଜଣେ ଅତିରିକ୍ତ ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ଡେପୁଟି ସୁପରିଟେଣ୍ଡଣ୍ଟ ରହିଛନ୍ତି। ତଦନ୍ତ କରି ନିଳାଦ୍ରୀ ବିଜେ ପରେ ରିପୋର୍ଟ ପ୍ରଦାନ କରିବ କମିଟି ।ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ନେଇ ମଧ୍ୟ ହୋଇଛି ଆଲୋଚନା । ଆସନ୍ତା ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲାଯିବା ନେଇ ପରିଚାଳନା କମିଟି ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ ହେବ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯାହା ପଦକ୍ଷେପ ନିଆଯିବ ସେନେଇ କାର୍ଯ୍ୟକାରୀ ହେବ। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.