ଗଗନଯାନକୁ ନେଇ ନୂଆ ଅପଡେଟ୍, ଜାଣନ୍ତୁ କେବେ ଲଞ୍ଚ ହେବ ଭାରତର ପ୍ରଥମ ମାନବ ବିହୀନ ଅନ୍ତରୀକ୍ଷ ମିଶନ
21/12/2022 at 8:59 PM

ନୂଆଦିଲ୍ଳୀ, ୨୧/୧୨: ବିଳମ୍ବରେ ଲଞ୍ଚହେବ ଗଗନଯାନ ମିଶନ। ଭାରତର ପ୍ରଥମ ମାନବ ବିହୀଦ ଅନ୍ତରୀକ୍ଷ ମିଶନ ଗଗନଯାନକୁ ପୁଣି ଦୁଇ ବର୍ଷ ଘୁଞ୍ଚାଯାଇଛି। ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୨୦୨୨ ରେ ଲଞ୍ଚ ହେବାକୁ ଥିବା ଗଗନଯାନ ମିଶନକୁ ପୁଣି ବିଳମ୍ବିତ କରାଯାଇଛି। ଗଗନଯାନ ମିଶନ ଏବେ ୨୦୨୪ ଶେଷରେ ଲଞ୍ଚ ହେବ।
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ବୁଧବାର କହିଛନ୍ତି ଯେ ଭାରତର ପ୍ରଥମ ମାନବ ବିହୀନ ଅନ୍ତରୀକ୍ଷ ଉଡ଼ାଣ ‘ଏଚ୧’ ମିଶନକୁ ୨୦୨୪ ର ଚତୁର୍ଥ ତ୍ରୈମାସିକରେ ଲଞ୍ଚ କରିବାକୁ ଯୋଜନା କରାଯାଇଛି। ଚାଳକ ଦଳର ସୁରକ୍ଷା ସବୁଠୁ ମହତ୍ବପୂର୍ଣ୍ଣ, ଏଥିପାଇଁ ସବୁ ସିଷ୍ଟମକୁ ଠିକ୍ ଭାବରେ ଟେଷ୍ଟିଂ କରାଯାଉଛି।
ମନ୍ତ୍ରୀ କହିଛନ୍ତି ଯେ ‘ଏଚ୧’ ମିଶନ ପୂର୍ବରୁ ୨ ଟି ଟେଷ୍ଟ ଲଞ୍ଚ କରାଯିବ। ଯେଉଁଥିରେ ପ୍ରଥମ ଟେଷ୍ଟ ୨୦୨୩ ଶେଷ ବେଳକୁ ଏବଂ ଦ୍ବିତୀୟ ଟେଷ୍ଟ ୨୦୨୪ ଦ୍ବିତୀୟ ତ୍ରୈମାସିକରେ ଟେଷ୍ଟ କରାଯିବା ନେଇ ଯୋଜନା ରହିଛି ଏବଂ ଶେଷରେ ୨୦୨୪ ସୁଦ୍ଧା ଅନ୍ତିମ ମାନବ ଅନ୍ତରୀକ୍ଷ ଉଡ଼ାଣ ‘ଏଚ୧’ ମିଶନ ଲଞ୍ଚ କରାଯିବ। ଭାରତୀୟ ବାୟୁସେନା ଦ୍ବାରା ବଛାଯାଇଥିବା ଅନ୍ତରୀକ୍ଷ ଯାତ୍ରୀ ଏବେ ବେଙ୍ଗାଲୁରୁରେ ମିଶନ ସହ ଜଡ଼ିତ ଟ୍ରେନିଂ ନେଉଛନ୍ତି।
ପୂର୍ବରୁ ମଧ୍ୟ ଏହି ମିଶନ ବିଳମ୍ବ ହେବା ନେଇ କୁହାଯାଉଥିଲା। କାରଣ ଇସ୍ରୋ ସେହି ସିଷ୍ଟମକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି ଯେଉଁଥିରେ ମିଶନକୁ ଲଞ୍ଚ କରିବା ଏବଂ ଭାରତୀୟଙ୍କ ଅନ୍ତରୀକ୍ଷରେ ନେଇଯିବ। ଭାରତର ସ୍ବତନ୍ତ୍ରତାର ୭୫ ବର୍ଷ ପୂର୍ତ୍ତି ହେବା ଅବସରରେ ଗଗନଯାନ ପ୍ରଥମେ ୨୦୨୨ ରେ ଲଞ୍ଚ କରିବା ନେଇ ଯୋଜନା କରାଯାଇଥିଲା। ଅବଶ୍ୟ କରୋନା ଭାଇରସ ମହାମାରୀ ଏବଂ ଲକଡାଉନ କାରଣରୁ ମଧ୍ୟ ଏଥିରେ ବିଳମ୍ବ ହୋଇଛି।