Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସ୍କ୍ରାପିଂ ପଲିସିକୁ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା, ନୂଆ ସରକାରୀ ଗାଡ଼ି କିଣିବା ବଜେଟ୍‌ରେ ହୋଇଛି ପର୍ଯ୍ୟାପ୍ତ ବ୍ୟବସ୍ଥା

1/02/2023 at 7:48 PM

ନୂଆଦିଲ୍ଳୀ, ୦୧/୦୨: ସଂସଦରେ ଉପସ୍ଥାପନ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଏହିଭଳି ସ୍କ୍ରାପିଂ ପଲିସିକୁ ନେଇ ମଧ୍ୟ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ, ପୁରୁଣା ଗାଡ଼ିର ସ୍କ୍ରାପିଂ ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥିରେ ସ୍କ୍ରାପିଂ ପଲିସି ଅନୁଯାୟୀ ରାଜ୍ୟମାନେ ମଧ୍ୟ ପୁରୁଣା ସରକାରୀ ଗାଡ଼ି ଏବଂ ଆମ୍ବୁଲାନ୍ସକୁ ବଦଳାଇବାରେ ସହଯୋଗ କରିବେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁଜ ଅର୍ଥନୀତି ଲକ୍ଷ୍ୟ ଅନୁଯାୟୀ ଏହି ପଦକ୍ଷେପ ନିଆଯାଉଛି। ପ୍ରଦୂଷଣ କରୁଥିବା ପୁରୁଣା ଗାଡ଼ି ଗୁଡ଼ିକୁ ବଦଳାଇବା ସବୁଜ ଅର୍ଥନୀତି କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ସଂସଦରେ ଅର୍ଥମନ୍ତ୍ରୀ କହିଛନ୍ତି ‘ ସ୍କ୍ରାପିଂ ପଲିସି ୨୦୨୧-୨୨ ଅଧୀନରେ ପର୍ଯ୍ୟାପ୍ତ ପାଣ୍ଠିର ଘୋଷଣା କରାଯାଇଛି । ଏହା ଦ୍ବାରା କେନ୍ଦ୍ର ସରକାରଙ୍କ ପୁରୁଣା ଗାଡ଼ିକୁ ବଦଳାଯିବ। ରାଜ୍ୟ ସରକାର ମଧ୍ୟ ପୁରୁଣା ଗାଡ଼ି ଏବଂ ଆମ୍ବୁଲାନ୍ସକୁ ବଦଳାଇବାରେ ସହଯୋଗ କରିବେ।’

ଖରାପ ଏବଂ ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକୁ ହଟାଯିବା ପାଇଁ ଭେଇକିଲ୍ ସ୍କ୍ରାପିଂ ପଲିସିର ଲକ୍ଷ୍ୟ ରହିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଅନୁଯାୟୀ, ଏହି ପ୍ରକ୍ରିୟାରେ ଅତିରିକ୍ତ ୧୦ ହଜାର କୋଟି ନିବେଶ ଏବଂ ୩୫ ହଜାର ନିଯୁକ୍ତି ସୃଷ୍ଟି ହେବା ନେଇ ଅନୁମାନ କରାଯାଉଛି।

ଏହି ପଲିସି ଅନୁଯାୟୀ, ୧୫ ବର୍ଷ ପରେ ଯଦି କର୍ମସିଆଲ ଗାଡ଼ି ଫିଟ୍‌ନେସ୍‌ ପାଇଁ ଅନୁପଯୁକ୍ତ ହେଉଛି ତାହାକୁ ଡି ରେଜିଷ୍ଟର କରାଯିବ। ସେହିଭଳି ୨୦ ବର୍ଷ ହୋଇଥିଲେ, ଏବଂ ଫିଟ୍‌ନେସ୍‌ ଟେଷ୍ଟ କିମ୍ବା ରିନ୍ୟୁ ସାର୍ଟିଫିକେଟ୍‌ ପାଇବାରେ ବିଫଳ ହେଲେ ପାସେଞ୍ଜର ଗାଡ଼ିକୁ ମଧ୍ୟ ଡି ରେଜିଷ୍ଟର କରାଯିବ।

ଏହା ଛଡ଼ା ଏହି ପଲିସିରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର, ମହାନଗର ନିଗମ, ପଞ୍ଚାୟତ, ରାଜ୍ୟ ପରିବହନ ବିଭାଗ ଅଧୀନ, ପିଏସୟୁ ଅଧୀନରେ ଥିବା ଗାଡ଼ି ଗୁଡ଼ିକୁ ରେଜିଷ୍ଟେ୍ରସନ ତାରିଖ ଠାରୁ ୧୫ ବର୍ଷ ପରେ ଏହାକୁ ବଦଳାଯିବ।

ଏହି ପଲିସିରେ ପୁରୁଣା ଗାଡ଼ିକୁ ବଦଳାଇ ନୂଆ ଗାଡ଼ି ନେଉଥିବା ବ୍ୟକ୍ତିଙ୍କୁ ରିହାତି ବ୍ୟବସ୍ଥା ମଧ୍ୟ ରହିଛି।

  • ସ୍କ୍ରାପିଂ ସେଣ୍ଟର ପୁରୁଣା ଗାଡ଼ିର ସ୍କ୍ରାପିଂ ମୂଲ୍ୟ ଦେବ। ଯାହାକି ନୂଆ ଗାଡ଼ିର ୪-୬ % ରହିବ।
  • ରାଜ୍ୟ ସରକାର ବ୍ୟକ୍ତିଗତ ବାହନ ପାଇଁ ୨୫ ପ୍ରତିଶତ ରୋଡ୍‌ ଟ୍ୟାକ୍ସ ଏବଂ କମର୍ସିଆଲ ଯାନ ପାଇଁ ୨୫ ପ୍ରତିଶତ ରୋଡ୍ ଟ୍ୟାକ୍ସରେ ଛାଡ଼ କରିପାରନ୍ତି।
  • ଗାଡ଼ି ନିର୍ମାତାଙ୍କୁ ମଧ୍ୟ ସ୍କ୍ରାପ୍‌ ସାର୍ଟିଫିକେଟ୍‌ ବଦଳରେ କିଣୁଥିବା ନୂଆ ଗାଡ଼ି ଉପରେ ୫ % ଛାଡ଼ ଦେବାକୁ କୁହାଯାଇଛି।
  • ଏହା ସହ ସ୍କ୍ରାପିଂ ସାର୍ଟିଫିକେଟ୍‌ ବଦଳରେ କିଣୁଥିବା ନୂଆ ଗାଡ଼ିର ପଞ୍ଜୀକରଣ ଦେୟରେ କମ୍ କରାଯାଇପାରେ।

   Related Posts