ଚିକିତ୍ସାରେ ଅର୍ଥ ସାଜିଛି ବାଧକ; ୮ ମାସ ହେଲା ରୋଗ ଶଯ୍ୟାରେ ଘରର ରୋଜଗାରିଆ ପୁଅ ରମେଶ

Published By : Prameya-News7 Bureau | May 12, 2022 IST

ଭୁବନ ୧୨/୦୫ : ଦୁଃଖ ଏମିତିବି ଆସେ। ଘରର ଏକ ମାତ୍ର ରୋଜଗାରିଆ ପୁଅ ରମେଶ ଏବେ ବିଛଣାରେ ରୋଗ ସହ ସଂଘର୍ଷ କରୁଛନ୍ତି । ବିଗତ ୮ ମାସ ହେଲା ସେ ବିଛଣାରେ ଶଜ୍ଜାସାୟୀ ଅଛନ୍ତି। ଅଣ୍ଟାଠାରୁ ଗୋଡ଼ ପଯ୍ୟନ୍ତ ଅକାମି ହୋଇଯାଇ ଥିବାରୁ ସେ ଚଲାବୁଲା କରି ପାରୁନାହାନ୍ତି । ଦୁଇଟି ଦଉଡ଼ି ସାହାଜ୍ୟରେ ବହୁ କଷ୍ଟରେ ଉଠି ବସୁଛନ୍ତି। ତାଙ୍କର ଏପରି ସ୍ଥିତି ଦେଖି ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡ଼ି ୭ ମାସର ଝିଅକୁ ନେଇ ଛାଡ଼ି ଚାଲି ଯାଇଛନ୍ତି । ଏବେ କେବଳ ବିଧବା ମାଆଙ୍କ ସହିତ ବହୁ କଷ୍ଟରେ ଦିନ କାଟୁଛନ୍ତି ସେ । ଏପରି ଦୁଃଖଦନୀୟ ଘଟଣା ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ଗ୍ରାମ ପଞ୍ଚାୟତରେ ଥିବା ଅସୁରବନ୍ଧ ଗାଁରେ ଦେଖିବାକୁ ମିଳିଛି ।

ପ୍ରାୟ ୮ ବର୍ଷ ପୂର୍ବେ ଏକ ଅଜଣା ରୋଗରେ ରମେଶଙ୍କ ବାପା ଏକ ଅଜଣା ରୋଗରେ ପ୍ରାଣ ହରାଇଥିଲେ। ପରେ ଘରର ସମସ୍ତ ଦାୟିତ୍ୱ ପୁଅ ରମେଶ ବୁଝୁଥିଲେ। ପେଷାରେ ରମେଶ ଜଣେ ଗାଡ଼ି ଚାଳକ। ଗାଡି ଚଲାଇ ଦୁଇ ଭଉଣୀଙ୍କ ବାହାଘର କରିଥିଲେ । ହସଖୁସିରେ ସଂସାର ଚାଲୁଥିଲା। ଥରେ ଗାଡ଼ି ଚଲାଇବା ସମୟରେ ରମେଶ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କଲେ। ସେ ପ୍ରଥମେ ଭୁବନ ଡାକ୍ତରଖାନା ଓ ପରେ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ସେଠାରେ ଚିକିତ୍ସା ଫଳପ୍ରଦ ହେଲା ନାହିଁ।  ଫଳରେ ତାଙ୍କ ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି। ଏବେ ସେ କଟକ ବଡ଼ ଡାକ୍ତରଖାନାରୁ ଫେରି ଆଠ ମାସ ହେଲା ବିଛଣାରେ ଶଜ୍ଜାସାୟି ଅବସ୍ଥାରେ ଅଛନ୍ତି। ଘରେ ଯାହା ଥିଲା ନିଜ ଚିକିତ୍ସା ପାଇଁ ବିକିଭାଙ୍ଗି ସାରିଲେଣି। ଏପରି ସ୍ଥିତିରେ ତାଙ୍କ ସ୍ତ୍ରୀ ମଧ୍ୟ ସାତ ମାସର ଝିଅକୁ ନେଇ ଛାଡି ଚାଲିଯାଇାଛନ୍ତି।

ସରକାରୀ ସହାୟତା କହିଲେ ମାସକୁ ଦଶ କିଲୋ ଚାଉଳ ସହ ୭୦୦ ଟଙ୍କା ବିଧବା ଭତ୍ତା ମିଳୁଛି। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ। ସାହି ପଡ଼ିଶା ଓ ଭାଇବନ୍ଧୁଙ୍କ ସାହାଯ୍ୟ ପାଇ କଟକ ବଡ ମେଡିକାଲକୁ ଯାଇ ଔଷଧ ଖାଉଛନ୍ତି ରମେଶ। କିନ୍ତୁ ଏବେ ତାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ତାଙ୍କ ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ହେଉଥିବା ବେଳେ ତାଙ୍କ ପାଖରେ ଆଉ ଚିକିତ୍ସା ପାଇଁ ସମ୍ୱଳ ନାହିଁ ? ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ଅଛି କିନ୍ତୁ କାମରେ ଆସୁନି। ଏବେ ଚିକିତ୍ସା ପାଇଁ ପ୍ରଶାସନର ସହୟତାକୁ ଅପେକ୍ଷା କରିଛନ୍ତି ରମେଶ। ଖୁବ ଶୀଘ୍ର ରମେଶଙ୍କୁ କିପରି ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେ ନେଇ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.