ଶ୍ରୀଲଙ୍କାରେ ଭୟଙ୍କର ଇନ୍ଧନ ସଙ୍କଟ, ସୋମବାରଠୁ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ ବନ୍ଦ କରିବାକୁ ଆଦେଶ

Published By : Prameya-News7 Bureau | June 18, 2022 IST

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ସ୍ଥିତି ଅଧିକ ବିକଟ ହେବାରେ ଲାଗିଛି । ସ୍ଥିତି ଏମିତି ଯେ, ସୋମବାରଠୁ ଗୋଟିଏ ସପ୍ତାହ ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଶ୍ରୀଲଙ୍କା ସରକାର ଘୋଷଣା କରିଛନ୍ତି । ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ଦ୍ୱୀପ ଦେଶରେ ଇନ୍ଧନ ସଙ୍କଟ ଆହୁରି ଘନୀଭୂତ ହେବାରେ ଲାଗିଛି । ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବାରୁ ଶିକ୍ଷା ମନ୍ତ୍ରଣାଳୟ କଲୋମ୍ବୋ ସହରର ସମସ୍ତ ସରକାରୀ ଏବଂ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ଘରୋଇ ସ୍କୁଲକୁ ଆଗାମୀ ସପ୍ତାହେ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡେଲି ମେଲର ଖବର ଅନୁଯାୟୀ, ଦେଶରେ ସଂପ୍ରତି ଇନ୍ଧନର ଅଭାବ କାରଣରୁ ସବୁ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ରହିଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ବି ଆମଦାନୀ କରି ପାରୁନି । ଦେଶର ଅର୍ଥବ୍ୟବସ୍ଥା ସ୍ଥାଣୁ ପାଲଟିଛି । ଏହାର ପ୍ରଭାବରେ ଶିକ୍ଷାନୁଷ୍ଠାନକୁ ମଧ୍ୟ ବିଜୁଳି ଯୋଗାଣ ସମ୍ଭବ ହୋଇ ପାରୁନି ।

ଲୋକ ପ୍ରଶାସନ ଏବଂ ଗୃହ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଜାରି ସର୍କୁଲାର ଅନୁସାରେ, ଇନ୍ଧନ ଯୋଗାଣ ଉପରେ କଟକଣା, ଖରାପ ସାର୍ବଜନୀନ ପରିବହନ ପ୍ରଣାଳୀ ଏବଂ ଘରୋଇ ଗାଡିର ଉପଯୋଗରେ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସୋମବାରଠୁ ସର୍ବନିମ୍ନ କର୍ମଚାରୀଙ୍କ ସହିତ କାମ କରିବାକୁ କହିଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ତ କର୍ମଚାରୀ କାମ ଜାରି ରଖିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.