ଏମ୍‌ଡିଏଚ୍‌ ଓ ଏଭେରେଷ୍ଟକୁ କ୍ଲିନ୍‌ଚିଟ୍‌, ଇଥିଲିନ୍‌ ଅକ୍ସାଇଡ୍‌ ନଥିବା ସ୍ପଷ୍ଟ କଲା FSSAI

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨/୦୫: ଭାରତୀୟ ମସଲା ଏମ୍‌ଡିଏଚ୍‌ ଓ ଏଭେରେଷ୍ଟକୁ କ୍ଲିନ୍‌ଚିଟ୍‌ । ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ETO ତଥା ଇଥିଲିନ୍‌ ଅକ୍ସାଇଡ୍‌ ନଥିବା ସ୍ପଷ୍ଟ କରିଛି ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ବା FSSAI। 

ଏମ୍‌ଡିଏଚ୍‌ ଓ ଏଭରେଷ୍ଟର କିଛି ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କାରକ ତଥା କାର୍‌କିନୋଜେନ୍ସ ଓ ଇଟିଓ ଥିବା ଦାବି କରାଯାଇଥିଲା । ଏହାପରେ ଏହି ଭାରତୀୟ ମସଲାକୁ ସେଠାରେ ବ୍ୟାନ୍‌ କରାଯାଇଥିଲା। ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ ମସଲାରେ କାର୍‌କିନୋଜେନ୍ସ ଓ ଇଥିଲିନ୍‌ ଅକ୍ସାଇଡ୍‌ ଥିବା ଖବର ସାମ୍ନାକୁ ଆସିବା ପରେ ଅନ୍ୟ ସମସ୍ତ ମସଲା ଉପରେ ପ୍ରଶ୍ନ ଉଠିଥିଲା। 

ଏପ୍ରିଲ୍ ୨୨ରେ ଦେଶର ସମସ୍ତ ପୁଡ୍‌ କମିଶନରଙ୍କୁ ମସଲାର ନମୂନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। FSSAI ଭାରତୀୟ ମସଲାର ନମୂନା ପରୀକ୍ଷା ପାଇଁ ନେଇଥିଲା।ଏଭରେଷ୍ଟ ମସଲାର ଦୁଇଟି ଉତ୍ପାଦନ ୟୁନିଟ୍‌ରୁ ୯ଟି ନମୂନା ନିଆଯାଇଥିଲା। ସେହିପରି MDH ର ୧୧ଟି ଉତ୍ପାଦନ ୟୁନିଟ୍‌ରୁ ୨୫ଟି ନମୂନା ସଂଗ୍ରହ କରାଯାଇଥିଲା। ସଂଗ୍ରହ କରାଯାଇଥିବା ମୋଟ ୩୪ଟି ନମୂନା ଭିତରୁ ୨୮ଟିର ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଇଥିଲିନ୍ ଅକ୍ସାଇଡ୍‌ର କୌଣସି ଉପସ୍ଥିତି ନଥିବା FSSAI ସ୍ପଷ୍ଟ କରିଛି।

ସେହିପରି ଅନ୍ୟ ବ୍ରାଣ୍ଡ ମସଲାର ୩୦୦ଟି ନମୂନା ପରୀକ୍ଷା କରାଯାଇଥିଲା । ଏଥିରେ ମଧ୍ୟ ETOର କୌଣସି ଉପସ୍ଥିତି ନଥିବା କୁହାଯାଇଛି । ଅନ୍ୟାନ୍ୟ ପାରାମିଟରରେ ମଧ୍ୟ ହୋଇଥିବା ପରୀକ୍ଷାରେ ଭାରତୀୟ ବଜାରରେ ଉପଲବ୍ଧ ମସଲା ପାସ୍‌ ହୋଇଛି । 

ସିଙ୍ଗାପୁର ଓ ହଂକଂ ପରେ ନେପାଳ ବି ଗୁଣାତ୍ମକ ଚିନ୍ତାଧାରା ହେତୁ ଭାରତୀୟ କମ୍ପାନୀଗୁଡିକର କିଛି ମସଲାର ଆମଦାନୀ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି । ସନ୍ଦିଗ୍ଧ ଇଥିଲିନ୍ ଅକ୍ସାଇଡ୍ ଥିବା ଯୋଗୁ ଏମ୍‌ଡିଏଚ୍‌ ଓ ଏଭେରେଷ୍ଟର ୪ଟି ମସଲା ପାଉଡର ଉପରେ ନେପାଳରେ ଶୁକ୍ରବାର ବ୍ୟାନ୍‌ ଲାଗିଯାଇଛି। MDHର ମାଡ୍ରାସ କରି ପାଉଡର, ସାମ୍ବର ମାସାଲା ପାଉଡର ଏବଂ ମିକ୍ସଡ ମସାଲା କରି ପାଉଡର ଓ ଏଭରେଷ୍ଟର ଫିସ୍ କରି ମସାଲା ଉପରେ ନିଷେଧାଦେଶ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.