ଆଜିଠୁ ଇକୋ-ରିଟ୍ରିଟ୍, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳୀରେ ୩ ମାସ ପର୍ଯ୍ୟଟକଙ୍କୁ ସୁଯୋଗ

Published By : Prameya-News7 Bureau | December 09, 2020 IST

ଭୁବନେଶ୍ୱର, ୦୯/ ୧୨: ଶୀତ ଦିନ ଆସିଲାଣି । ସମସ୍ତେ ଏବେ ପିକନିକ୍ ଆଉ ବୁଲାବୁଲିର ମଜା ନେବାକୁ ଉଚ୍ଛୁକ ରହିଛନ୍ତି । ରାଜ୍ୟରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ପ୍ରକୃତି କୋଳରେ ଅସୀମିତ ମଜା। କେଉଁଠି ସମୁଦ୍ର ଜଳରାଶିରେ ଆଉ କେଉଁଠି ଘଞ୍ଚ ଜଙ୍ଗଲରେ ଉପଭୋଗ କରିହେବ ପ୍ରାକୃତିକ ଦୃଶ୍ୟ। ଜେଟ୍‌ ସ୍କାଏରେ ଆକାଶକୁ ଛୁଇଁବାର ପ୍ରୟାସ ସାଙ୍ଗକୁ ଜଳକ୍ରୀଡ଼ାରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି ସହ ଏକାକାର ହୋଇଯିବାର ଅନୁଭୂତି। ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏମିତି ନିଆରା ଅନୁଭୂତି ଆଣିଦେବ ସରକାରଙ୍କ ଦ୍ୱାରା ଆୟୋଜିତ ଇକୋ-ରିଟ୍ରିଟ୍‌।

ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳର ଦାରିଙ୍ଗବାଡ଼ିରୁ ସାତକୋଶିଆ, ହୀରାକୁଦରୁ ଭିତରକନିକା। ପୁଣି ବ୍ଲାଗ୍‌ ପାଗୋଡ଼ା କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି। ଏହି ୫ଟି ସ୍ଥାନରେ ଆରମ୍ଭ ହେବ ଇକୋ-ରିଟ୍ରିଟ୍‌। ବୁଧବର କାର୍ଯ୍ୟକ୍ରମକୁ ଭୁର୍ଚଆଲ୍‌ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ପର୍ଯ୍ୟଟକମାନେ ପ୍ରକୃତ କୋଳରେ ରହିବା ସହ ବିଭିନ୍ନ ପ୍ରକାରର ଦୁଃସାହସିକ କ୍ରୀଡ଼ାର ମଜା ନେଇପାରିବେ। ଆଖାପାଖରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲିବେ । ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବେ।

ଆହୁରି ମଧ୍ୟ ଓଡ଼ିଶାର ଖାଦ୍ୟପେୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ନୂଆ ନୂଆ ଅନୁଭୂତି ସାଉଁଟିବେ। ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୋଣାର୍କ ଇକୋ-ରିଟ୍ରିଟ୍‌ରେ ରହିବା ପାଇଁ ୪୦୦ ବୁକିଂ ହୋଇଛି । ସେହିପରି ଦାରିଙ୍ଗବାଡ଼ି ଓ ସାତକୋଶିଆରେ ୭୦ ଲେଖାଏଁ, ହୀରାକୁଦରେ ୨୫ ଓ ଭିତରକନିକାରେ ୮୫ ବୁକିଂ କରାଯାଇଛି। ଏହି ଇକୋ-ରିଟ୍ରିଟ୍‌ ଆସନ୍ତା ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଦୀର୍ଘ ତିନି ମାସ ଧରି ପର୍ଯ୍ୟଟକମାନେ ଇକୋ ରିଟ୍ରିଟର ମଜା ନେଇପାରିବେ ।

ସୂଚନାଯୋଗ୍ୟ, ଗତ ବର୍ଷ ପ୍ରଥମ କରି କୋଣାର୍କରେ ଇକୋ-ରିଟ୍ରିଟ୍‌ ଆୟୋଜନ କରାଯାଇଥିଲା। ଏହାର ସଫଳତାକୁ ଦେଖି ଏଥର ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ କରାଯାଇଛି। ମହାମାରୀ କରୋନା କଟକଣା ଯୋଗୁ ଅନ୍ତର୍ଜାତୀୟ ପର୍ଯ୍ୟଟକ ଆସିବା ବାରଣ ରହିଛି । କିନ୍ତୁ ଦେଶୀୟ ଓ ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ, ବିଭାଗ ପକ୍ଷରୁ ଆଗକୁ ଇକୋ-ରିଟ୍ରିଟ୍‌ର କଳେବର ବୃଦ୍ଧି କରିବାକୁ ବଡ଼ ଯୋଜନା ହେଉଛି । ଯଦି ଏଥର ଇକୋ-ରିଟ୍ରିଟ୍‌ ସଫଳ ହୁଏ, ତେବେ ଆସନ୍ତାବର୍ଷଠୁ ନୁହେଁ ବରଂ ସବୁଦିନ ପାଇଁ ଏହାକୁ ସ୍ଥାୟୀ ଭାବେ କରାଯିବା ସହ ଅନ୍ୟ ସ୍ଥାନକୁ ମଧ୍ୟ ସାମିଲ କରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.