ଭୁବନେଶ୍ଵର: ଜିଲ୍ଲା ବୁଲିବେ ବାବୁ । ଚଳିତ ମାସରୁ ଜିଲ୍ଲା ଗସ୍ତରେ ଯିବେ ସଚିବ । ପ୍ରତିମାସରେ ବଦଳିବ ଆବଣ୍ଟିତ ଜିଲ୍ଲା । ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଣ୍ଟିତ ଜିଲ୍ଲା ପରିଦର୍ଶନ କରିବା ପାଇଁ ୨-୨ ଦିନର ଯୋଜନା ପ୍ରସ୍ତୁତ କରିବା ସହ ଅନ୍ୟ ୧୧ଟି ଦିଗ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଆଜି ସମସ୍ତ ବିଭାଗର ସଚିବ ଓ ଅନ୍ୟ ୮ଜଣ ନିର୍ଦ୍ଦେଶକ ପାହ୍ୟାର ଅଫିସରଙ୍କୁ ଚିଠି ଲେଖି ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଆଇଏଏସ୍ ଅଫିସରମାନେ ଆବଣ୍ଟିତ ଜିଲ୍ଲାର ଯେକୌଣସି ସ୍ଥାନକୁ ନିଜ ଇଚ୍ଛା ଅନୁସାରେ ପରିଦର୍ଶନରେ ଯାଇପାରିବେ । ତେବେ ଏଥିରେ ଅପହଞ୍ଚ ଓ ଆଦିବାସୀ ବହୁଳ ଅଞ୍ଚଳକୁ ସାମିଲ କରିବାକୁ କୁହାଯାଇଛି । ଗସ୍ତ ସମୟରେ ଅଫିସରମାନେ ଯେ କୌଣସି ଗୋଟିଏ ପଞ୍ଚାୟତକୁ ପରିଦର୍ଶନ କରି ସେଠାରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡ଼ିକ କିଭଳି ଉପଲବ୍ଧ ହେଉଛି ତାହା ତଦାରଖ କରିବେ । ଏଥି ସହ ଦିନକୁ ଅତିକମରେ ଧାର୍ଯ୍ୟ ମୂଲ୍ୟ ଦେଇ ଆହାର କେନ୍ଦ୍ର, ଆବାସିକ ଛାତ୍ରାବାସ, ସ୍କୁଲ ମଧ୍ୟାହ୍ନ ଭୋଜନ, ଅନାଥ ଆଶ୍ରମରେ ଭୋଜନ କରି ଖାଦ୍ୟର ଗୁଣବତ୍ତା ଓ ସେଠାକାର ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ ।
Also read: ଫୁଡ୍ କମିଶନରଙ୍କ ନିଯୁକ୍ତି ନେଇ ବର୍ଷିଲେ ଯୋଗାଣ ମନ୍ତ୍ରୀ,କାଉଣ୍ଟର କଲେ ବିଜେଡି ବିଧାୟକ
ଏହି ସମୟରେ ଛାତ୍ରଛାତ୍ରୀ ଓ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେଠାରେ ଉପଲବ୍ଧ ସୁରକ୍ଷା, ସୁବିଧାସୁଯୋଗ ଓ ସେମାନଙ୍କ ପ୍ରତି କରାଯାଉଥିବା ଆଚରଣ ପଚାରି ବୁଝିବେ । ଜିଲ୍ଲାଗସ୍ତ ବେଳେ ବିଭିନ୍ନ ବର୍ଗର ଲୋକ, ହସ୍ପିଟାଲରେ ଚିକିତ୍ସିତ ରୋଗୀ ଅଙ୍ଗନବାଡ଼ି ହିତାଧିକାରୀ, ସ୍କୁଲ ଓ ହଷ୍ଟେଲର ଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହେବେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସମୀକ୍ଷା କରିବା ସହ ଜିଲ୍ଲାରେ ଥିବା ବନ୍ଦର, ବିମାନ ବନ୍ଦର, ଶିଳ୍ପ କରିଡର, ମେଡିକାଲ କଲେଜ, ବୃହତ୍ତ ଜଳସେଚନ ପ୍ରକଳ୍ପ, ନୂଆ ପ୍ରକଳ୍ପ ଆଦିର ସମୀକ୍ଷା କରିବେ ।
ଜିଲ୍ଲାରେ ଯଦି ଟ୍ରେନି ଆଇଏଏସ୍ ଥିବେ ସେମାନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । କ୍ଷେତ୍ର ପରିଦର୍ଶନ ପରେ ଅତିକମରେ ଅଧାଦିନ ସମ୍ପୃକ୍ତ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରି ଏହି ଅଫିସରମାନେ ନିଜସ୍ବ ମନ୍ତବ୍ୟ ଦେବେ । ୮ଟି ଡିଏଫ୍ଏମ୍ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଓ ଓମ୍ବାଡ୍ସି ପାଣ୍ଠିର ବିନିଯୋଗ ଏବଂ ୨୯ ଆକାଂକ୍ଷୀ ବ୍ଲକଗୁଡ଼ିକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ । ପ୍ରତିମାସରେ ଜିଲ୍ଲା ଗସ୍ତରୁ ଫେରିବା ପରେ ଗସ୍ତର ସାରାଂଶ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କୁ ଅବଗତ କରିବେ ।