କାଲିଠୁ ହେବାକୁ ଯାଉଛି ବଡ ପରିବର୍ତ୍ତନ, ଆପଣଙ୍କ ପକେଟ୍ ହେବନି ତ ପ୍ରଭାବିତ
31/05/2023 at 2:27 PM

ନୂଆଦିଲ୍ଲୀ ୩୧।୦୫: ଶେଷ ହେବାକୁ ଯାଉଛି ମେ ମାସ । ଗୁରୁବାରଠାରୁ ଆରମ୍ଭ ହେବ ଜୁନ୍ ମାସ । ପ୍ରତି ମାସର ପ୍ରଥମ ଦିନରେ ଦେଶରେ କିଛି ପରିବର୍ତ୍ତନ ଆସିଥାଏ । ସେହିପରି ଜୁନ୍ ୧ରୁ ଘଟିବାକୁ ଯାଉଛି ଅନେକ ପରିବର୍ତ୍ତନ । ଯାହା ଆପଣଙ୍କ ପକେଟକୁ କରିପାରେ ସିଧାସଳଖ ପ୍ରଭାବିତ । ତେବେ ଜୁନ୍ ମାସ ଆରମ୍ଭ ପୂର୍ବରୁ ଜାଣି ନିଅନ୍ତୁ କେଉଁଥିରେ ଆସିବାକୁ ଯାଉଛି ପରିବର୍ତ୍ତନ । ଆପଣଙ୍କ ପକେଟକୁ କରିବନି ତ ପ୍ରଭାବିତ ।

ପହିଲାରୁ ଦେଶରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଗାଡି କିଣିବା ହେବ ମହଙ୍ଗା । ଅର୍ଥାତ୍ ଜୁନ୍ ୧ ପରେ ଇଲେକ୍ଟ୍ରିକ୍ ବାଇକ୍ କିମ୍ବା ସ୍କୁଟର କିଣିବାକୁ ଯାଆନ୍ତି, ତେବେ ଆପଣଙ୍କୁ ଦେବାକୁ ପଡିବ ଅଧିକ ମୂଲ୍ୟ । ମେ ୨୧ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଭାରୀ ଶିଳ୍ପ ମନ୍ତ୍ରଣାଳୟ FAME-II ସବସିଡି ରାଶି ସଂଶୋଧନ କରି ଏହାକୁ କିଲୋୱାଟ ପ୍ରତି ୧୦ ହଜାର ଟଙ୍କାକୁ ହ୍ରାସ କରିଛି । ପୂର୍ବରୁ ଏହି ପରିମାଣ କିଲୋୱାଟ ପ୍ରତି ୧୫ ହଜାର ଟଙ୍କା ଥିଲା। ଏହି କାରଣରୁ, ଅଧିକାଂଶ ବୈଦ୍ୟୁତିକ ଯାନ ୨୫ ହଜାରରୁ ୩୫ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ମହଙ୍ଗା ।

ଜୁନ୍ ୧ ରୁ ରିଜର୍ଭ ବ୍ୟାଙ୍କ ଦେଶର ବ୍ୟାଙ୍କରେ ଜମା ହୋଇଥିବା ଅନାବଶ୍ୟକ ରାଶି ସମାଧାନ ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ଅଭିଯାନର ନାଁ ହେଉଛି ‘100 ଡେ 100 ପେ’ । ଏ ବାବଦରେ ବ୍ୟାଙ୍କମାନଙ୍କୁ ସୂଚନା ଦେଇଛି ଆରବିଆଇ । ଏହି ଅଭିଯାନ ଅଧୀନରେ ୧୦୦ ଦିନରେ ୧୦୦ ଅନାବଶ୍ୟକ ରାଶିର ହେବ ସମାଧାନ ହେବ ।

ସେହିପରି ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ LPG ର ମୂଲ୍ୟରେ କରିଥାନ୍ତି ପରିବର୍ତ୍ତନ । ପ୍ରତ୍ୟେକ ମାସର ୧ ତାରିଖରେ ସ୍ଥିର ହୋଇଥାଏ ଏଲପିଜି ଗ୍ୟାସ ମୂଲ୍ୟ । | ଏପ୍ରିଲ ଏବଂ ମେ ମାସର ପ୍ରଥମ ତାରିଖରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା । ମାର୍ଚ୍ଚରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କାକୁ ହ୍ରାସ କରାଯାଇଥିଲା। କିନ୍ତୁ ମେ ମାସରେ ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

LPG ସିଲିଣ୍ଡର ପରି CNG-PNGର ମୂଲ୍ୟ ମଧ୍ୟ ପ୍ରତ୍ୟେକ ମାସର ପ୍ରଥମ ଦିନରେ ବଦଳିଥାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ଦିଲ୍ଲୀ ଏବଂ ମୁମ୍ବାଇ ପରି ସହରରେ CNG-PNG ର ମୂଲ୍ୟ ପରିବର୍ତ୍ତନ କରନ୍ତି । ଏପ୍ରିଲରେ ଦିଲ୍ଲୀ ଏବଂ ମୁମ୍ବାଇରେ CNG-PNG ମୂଲ୍ୟ ହ୍ରାସ କରାଯାଇଥିଲା । ତେବେ ମେ ମାସ ୧ତାରିଖରେ ଅଧିକ ପରିବର୍ତ୍ତନ ହୋଇନଥିଲା । ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ଆଖି ୧ ତାରିଖ ଉପରେ ରହିଛି । ଆଉ ସମସ୍ତେ CNG-PNG ମୂଲ୍ୟରେ ପରିବର୍ତ୍ତନ ହେବାର ଆଶା କରୁଛନ୍ତି ।
You Can Read: